ଲଗାଣ ବର୍ଷା ହାତୀ ନଦୀରେ ବନ୍ୟା

କଲମପୁର: ଗତ ରାତିରୁ ଲାଗି ରହିଛି ଲଗାଣ ବର୍ଷା। ଗତ ଦୁଇ ବର୍ଷ ପରେ ଚଳିତ ବର୍ଷର ଏହା ହାତୀ ନଦୀର ପ୍ରଥମ ବନ୍ୟା। ଏହାର ପ୍ରଭାବରେ ବିରିପୁର, ମାଟିଖାଲ, ଜାମପଡା, କର୍ମେଲ, ବାଲିଛଡା, ବଙ୍କାପଲା, ପରୁଆଗୁଡା ଓ ଟେମରା ପ୍ରମୁଖ ନଦୀକୂଳିଆ ଗ୍ରାମର ଜନବସତି ନିକଟକୁ ନଦୀ ପାଣି ଲାଗି ରହିଛି। ଟେମରା ତଳପଡାର କିଛି ଘରକୁ ବନ୍ୟା ପାଣି ପଶି ସାରିଥିବା ବେଳେ କଲମପୁର କୋଟାଗାଁ ମୁପଖ୍ୟ ରାସ୍ତାର ଭେଲାଗାଁ ନିକଟରେ ବନ୍ୟା ପାଣି ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଯୋଗା ଯୋଗ ବିଚ୍ଛିନ୍ନ ହେଇଛି। ସେହିଭଳି ମଣ୍ଡଳ ହରିଜନ ପଡାରେ ବର୍ଷା ପାଣି ନିଷ୍କାସିତ ହେଇନପାରିବାରୁ ଘର ଭିତରକୁ ପଶିଯାଇଛି। ଅନ୍ୟପଟେ ବିଜମରା ପଞ୍ଚାୟତ ଅଧିନସ୍ଥ ଦୁଲକିବନ୍ଧ ନନ୍ଦିନୀପଡା ଠାରେ ମଧ୍ୟ ବର୍ଷା ଜଳ ନିଷ୍କାସିତ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଘର ଭିତରକୁ ପାଣି ପଶିଯାଇଛି। କଳାହାଣ୍ଡି ହାତୀ ନଦୀର ବନ୍ୟା ସମୟରେ ଚର୍ଚ୍ଚାର ପରିଧିକୁ ଆସୁଥିବା ବାଲିଛଡା ଗାଁକୁ ସଂଯୋଗ କରୁଥିବା ଇଛାପୁର ରାସ୍ତାରେ ପାଣି ପ୍ରବାହିତ ହେଉଛି ସେହିଭଳି ଜାମପଡାକୁ ରାସ୍ତାରେ ମଧ୍ୟ ପାଣି ପ୍ରବାହିତ ହେଉଛି। ଗତ ଶନିବାର ସକାଳ ୮ ଟାରୁ ରବିବାର ସକାଲ ୮ଟା ମଧ୍ୟରେ କଲମପୁର ଠାରେ ମାତ୍ର ୩୫ ମିଲିମିଟର ବର୍ଷା ହେଇଥିବା ରେକର୍ଡ କରାଯାଇଥିବା ବେଳେ ପରବର୍ତି ଅପରାହ୍ନ ୪ଟା ମଧ୍ୟରେ୭୮ ମିଲିମିଟର ବର୍ଷା ହେଇଥିବା ପ୍ରଶାସନ ତରଫରୁ ସୁଚନା ମିଳିଛି। ସେହିଭଳି ଜୟପାଟଣା ଅଂଚଳରେ ଗତ ୨୪ ଘଣ୍ଟାମଧ୍ୟରେ ୧୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାସହ ହାତୀ ନଦୀର ଉପର ମୁଣ୍ଡ ସମେତ ବିଭିନ୍ନ ଜୋର ନାଳ ଅଂଚଳର ପାଣି ହାତୀ ନଦୀରେ ସଂଯୋଗ ହେଉଥିବାରୁ ଏବେ ହାତୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । କଲମପୁର ଅଞ୍ଚଳର ସମସ୍ତ ଶହ ଶହ ହେକ୍ଟର ଚାଷ ଜମି ଏବେ ଜଳମଗ୍ନ। ଅନେକ ଚାଷ ଜମିରେ ଧାନ ରୁଆ ଯାଇଥିବାରୁ ନଷ୍ଟ ହେବାର ଆଶଙ୍କାରେ ଚାଷୀ।

Comments are closed.