ଜମି ଚିହ୍ନଟ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଘୋଡାବନ୍ଧା ଗ୍ରାମର ହିତାଧିକାରୀ

କଲମପୁର: ୨୦୦୬ ମସିହାରେ ସରକାରଙ୍କ ରାଜସ୍ୱ ବିଭାଗ ତରଫରୁ ଘର ଡିହ ନଥିବା ପରିବାରକୁ ଘର ନିର୍ମାଣ ପାଇଁ ୪ ଡିସିମିଲ ପରିମାଣର ଜମି ଯୋଗାଇ ଦିଆଯାଇଥିଲା। ସମସ୍ତ ହିତାଧିକାରୀଙ୍କୁ ଜମି ପଟ୍ଟା ଦିଆଯାଇଥିଲା। କିନ୍ତୁ ଦୀର୍ଘ ୧୬ ବର୍ଷ ବିତି ସାରିଥିଲେ ମଧ୍ୟ ହିତାଧିକାରୀମାନେ ନିଜ ଜମି ଦେଖି ନାହାଁନ୍ତି। ରାଜସ୍ୱ ବିଭାଗ ମଧ୍ୟ ହିତାଧିକାରୀଙ୍କ ଜମି ଚିହ୍ନଟ ନେଇ କୌଣସି ପଦକ୍ଷେପ ନେଇ ନାହିଁ। ଯେଉଁଥିପାଇଁ ଘର ଡିହ ପଟ୍ଟା ପାଇ ମଧ୍ୟ ହିତାଧିକାରୀମାନେ କିଏ କାହାର ଓଳି ତଳେ ତ କିଏ ଅନାବାଦି ଜମିରେ ଝାଟି ମାଟିର କୁଡିଆ ଘର କରି ରହିଛନ୍ତି।

ପାହାଡ ତଳେ ଏହି ଗାଁ ର ଅବସ୍ଥିତି। ଅନେକ ସମୟରେ ଏହି ଜଙ୍ଗଲରେ ହାତୀର ଚଳ ପ୍ରଚଳ ରହିଥାଏ। ଏପରିକି ଅନେକ ସମୟରେ ଗାଁ ମୂହାଁ ହେଉଛି ହାତୀ। ଯେଉଁଥିପାଇଁ କୁଡିଆ ଘରେ ରହୁଥିବା ଲୋକେ ଆତଙ୍କିତ ହେଇ ପଡନ୍ତି। କେବଳ ହାତୀ ନୁହେଁ ବାରହା, ଭାଲୁ ଓ କଲରାପତରିଆ ବାଘ ଆଦି ଜଙ୍ଗଲି ହିଂସ୍ର ଜନ୍ତୁ ଙ୍କ ପ୍ରଭାବ ରହୁଛି। ବର୍ତମାନ କିଛି ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଆର୍ôଥକ ସହାୟତା ମିଳିଥିଲେ ମଧ୍ୟ ଜମି ଚିହ୍ନଟ ହେଇନଥିବାରୁ ଘର ନିର୍ମାଣ କରିବାରୁ ବଂଚିତ ହେଉଛନ୍ତି। ଏହାର ସମାଧାନ ପାଇଁ ଘୋଡାବନ୍ଧା ଗ୍ରାମର ଅରୁପ ହରିଜନ, ସୁଧିର ମାଝୀ, ଝିରି ମାଝୀ, ଲଳିତା ପଟେଲ, ନିଳାମ୍ବର ପଟେଲ, ମାନିଆ ମାଝୀ, ପାନି ମାଝୀ, ଟିକେନ ମାଝୀ, ଡୁମେନ ମାଝୀ, ସାଧୁରାମ ପଟେଲ, ସୁନା ମାଝୀ, ବୁଧବାରୁ ମାଝୀ, ଲୁଦୁ ମାଝୀ, ନିର୍ମଲ ମାଝୀ ଓ କମଲୁ ହରିଜନ ପ୍ରମୁଖ ହିତାଧିକାରୀ କଲମପୁର ତହସିଲଦାର କରିଶ୍ମା ବେଶ୍ରାଙ୍କୁ ସାକ୍ଷାତ କରି ନିଜେ ପାଇଥିବା ଘର ଡିହର ଚିହ୍ନଟ କରିବା ପାଇଁ ଅନୁରୋଧ କରିଛନ୍ତି। ତୁରନ୍ତ ସେମାନଙ୍କ ଘର ଡିହ ଚିହ୍ନଟ କରି ଦେଲେ ସରକାରଙ୍କ ଆବାସ ଯୋଜନାରେ ସାମିଲ ହେଇ ପାରିବେ ବୋଲି ମତବ୍ୟକ୍ତ କରିଛନ୍ତି।

Comments are closed.