ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢାଇବେ ପ୍ରାଥମିକ ଶିକ୍ଷକ, ଧାରଣାରେ ବସିଲେ ଛାତ୍ରଛାତ୍ରୀ

କଲମପୁର: ସରକାର ଆମ ପ୍ରତି ଦୟା କର। ଆମ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଅ ନାହିଁ। ଆମକୁ ପଢାଇବା ପାଇଁ ଶିକ୍ଷକ ନିଯୁକ୍ତି ଦିଅ। ଏ ହେଉଛି କଲମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଏକାଦଶ ଶ୍ରେଣୀରେ ପଢିବା ପାଇଁ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସରକାରଙ୍କ ପ୍ରତି ନିବେଦନ। ଓଡିଶାର ଗ୍ରାମାଂଚଳର ଗରୀବ ଛାତ୍ର ଛାତ୍ରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ କେନ୍ଦ୍ରୀୟ ଢାଂଚାରେ ପାଠ ପଢିବା ସ୍ୱପ୍ନ ଥିଲା। କିନ୍ତୁ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ସ୍ଥାପନ କଲେ ଓଡିଶା ଆଦର୍ଶ ବିଦ୍ୟାଳୟ। ଏହି ବିଦ୍ୟାଳୟ ସବୁରେ ଗ୍ରାମାଂଚଳର ଛାତ୍ର ଛାତ୍ରୀ ମାନେ ପାଠ ପଢି ସହରୀ ପିଲାଙ୍କ ସହ ପ୍ରତିଯୋଗୀତା କରି ନିଜର ଭବିଷ୍ୟତ ଗଢି ପାରିବେ।

୨୦୧୭ ଶିକ୍ଷା ବର୍ଷାରୁ କଲମପୁର ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହେଲା। କିନ୍ତୁ କଲମପୁର ଅଂଚଳରେ ଉଚ୍ଚ ଶିକ୍ଷା ପାଇଁ ବିଜ୍ଞାନ ବିଷୟରେ କୌଣସି ବ୍ୟବସ୍ଥା ନଥିବାରୁ ଚଳିତ ଶିକ୍ଷା ବର୍ଷ କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଗଲା। କିନ୍ତୁ ପରିତାପର ବିଷୟ ଅଦ୍ୟାବଧି ଜଣେ ମାତ୍ର ଶିକ୍ଷକରେ ଶିକ୍ଷାଦାନ କରାଯାଉଛି। ବିଜ୍ଞାନ ବିଷୟର ସମସ୍ତ କଷ୍ଟ ସାଧ୍ୟ ବିଷୟ ଥିଲେ ମଧ୍ୟ ଅଧ୍ୟାପକ ଅଭାବ କାରଣରୁ ଏହି ବିଦ୍ୟାଳୟରେ ପାଠ ପଢୁଥିବା ୨୭ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଇଯାଉଛି ଗତ ଏକମାସ ତଳେ ଏନେଇ ଜିଲ୍ଲାପାଳଙ୍କୁ ଜଣାଇବା ସହ ଅଧ୍ୟାପକ ନିୟୋଜନ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଅଦ୍ୟାବଧି ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବୁଧବାର ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ତାଲା ଦେବା ସହ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରି ଅନ୍ୟ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ଶ୍ରେଣୀ ବର୍ଜନ କରି ଆନ୍ଦୋଳନରେ ସାମିଲ ହେଇଥିଲେ।

ଏନେଇ ସୁଚନା ପାଇବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିଶଙ୍କର ବାଗ ଓ ବି.ଡି.ଓ ପ୍ରଶନ୍ନ କୁମାର ପଟେଲ ଆନ୍ଦୋଳନ ସ୍ଥଳରେ ପହଂଚି ତୁରନ୍ତ ଶିକ୍ଷକ ପଦବୀ ପୁରଣ ନେଇ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଶିକ୍ଷକ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ ରୋକଠୋକ୍‍ ଶୁଣାଇବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଗ କିଛି ପ୍ରାଥମିକ ଶିକ୍ଷକଙ୍କୁ ସାମୟିକ ଭାବେ ନିୟୋଜନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ପରିତାପର ବିଷୟ କଲମପୁର ବ୍ଲକରେ ଏବେ ପ୍ରାଥମିକ ଶିକ୍ଷକ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇ ସାରିଛି। କିଛି ଶିକ୍ଷକ ଅବସର ନେଇଥିବା ବେଳେ ଅନେକ ଶିକ୍ଷକ ସହରାଭିମୁଖି ହେଉଥିବାରୁ ଆବଶ୍ୟକ ସଂଖ୍ୟକ ଠାରୁ ବହୁ କମ୍‍ ଶିକ୍ଷକ ଥିବା ଯୋଗୁଁ କିଛି ବିଦ୍ୟାଳୟ ତାଲା ପଡିବା ସ୍ଥିତିକୁ ଆସି ସାରିଛି। ଅନ୍ୟପଟେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଶିକ୍ଷକ କିଭଳି ପଢାଇବେ?

Comments are closed.