ଅଦିନିଆ ବର୍ଷା ସହ ଦାଉ ସାଧୁଛି ଶୋଷକ ପୋକ, ଚିନ୍ତାରେ ଚାଷୀ

କଲମପୁର: ଚାଷୀଙ୍କ ପଛ ଛାଡୁ ନାହିଁ ଦୁର୍ଦ୍ଦଶା। କେତେବେଳେ ବର୍ଷାର ଅଭାବ ତ ପୁଣି କେତେବେଳେ ଜଳ ସେଚନରେ ଅନିୟମିତତା। ରୋଗ ପୋକର ପ୍ରଭାବ ସମେତ ସାର ଓ କୀଟନାଶକର ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁଁ ନୟାନ୍ତ ହେଉଛି ଚାଷୀ। ଏବେ ଧାନ ଅମଳର ସମୟ। ଧାନ ଅମଳ କରି ଚାଷୀ ନିଜ ନିଜ ଘର ଏବଂ ଖଳାରେ ରଖିବାର ସମୟ। କିନ୍ତୁ ଲଘୁଚାପ ଓ ଟ୍ରପ ଲାଇନ ସୃଷ୍ଟି ଯୋଗୁଁ ଲାଗି ରହିଛି ଅଦିନଆ ବର୍ଷା। ଆକାଶ ରହୁଛି ମେଘାଛନ୍ନ। ଯେଉଁଥି ପାଇଁ ଧାନ ଅମଳ କରିବାରେ ଚାଷୀ ଅସୁବିଧାର ସମ୍ମୁଖିନ ହେବା ସହ କ୍ଷୟ କ୍ଷତି ର ଆଶଙ୍କା କରୁଛି। ଚାଷୀଙ୍କ ଏଭଳି ପରିସ୍ଥିତି ସମୟରେ ଏବେ ଦାଉ ସାଧୁଛି ଶୋଷକ ପୋକର ପ୍ରଭାବ।

୧୫୦ ଦିନରୁ ଅଧିକ ସମୟ ଅବଧି ଧାନରେ ଏହି ଶୋଷକ ପୋକର ପ୍ରଭାବ ରହୁଛି। ଏହାକୁ ଦମନ କରିବାରେ ମୁଖ୍ୟତଃ ପ୍ରତିବନ୍ଧକ ସାଜିଛି ମେଘୁଆ ପାଗ। ଯେଉଁଥିପାଇଁ କୀଟ ନାଶକ ସିଂଚନ କଲେ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଏହି ଶୋଷକ ପୋକର ପ୍ରଭାବ ଯୋଗୁଁ ଧାନ ପାକଳ ଅବସ୍ଥା କୁ ଆସିବା ପୂର୍ବରୁ ଶୋଷକ ପୋକ ରସ ସବୁ ଶୋଷି ନେଉଥିବାରୁ ଧାନ ସବୁ କଳା ହେଇଯାଉଛି। ଯାହା ଅମଳ ସହ ଧାନର ଏଫ.ଏ.କ୍ୟୁ ମାନ ହେବାରେ ମଧ୍ୟ ପ୍ରତିବନ୍ଧକ ହେବ। ବିଭିନ୍ନ ବ୍ୟାଙ୍କ, ସମବାୟ ସଂସ୍ଥା ଦୋକାନ ରୁ ଋଣ ନେଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚାଷ କରି ଥିଲେ ମଧ୍ୟ ଏବେ ଅମଳ ବେଳକୁ ଅଦିନିଆ ବର୍ଷା, ମେଘୁଆ ପାଗ ଓ ଶୋଷକ ପୋକ ଦାଉ ସାଧୁଥିବାରୁ ଚାଷୀ କ୍ଷତିଗ୍ରସ୍ଥ ହେବାର ଆଶଙ୍କା କରାଯାଉଛି।

Comments are closed.