ହାତୀନଦୀ ଗର୍ଭରେ ଲୀନହେବ ବାଲିଛଡ଼ା !

ଇନ୍ଦ୍ରାବତୀ : ଚାଷୀଙ୍କ ପାଇଁ ଆଶୀର୍ବାଦ, ଗ୍ରାମବାସୀଙ୍କ ପାଇଁ ଅଭିଶାପ

କଲମପୁର: କଳାହାଣ୍ଡିରେ ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କାରେ କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ପଞ୍ଚାୟତ ବାଲିଛଡ଼ା ଗ୍ରାମବାସୀଙ୍କ ନିଦ ହଜିଯାଏ। ହାତୀନଦୀ କୂଳରେ ଥିବା ଏହି ଗାଁର ସୁରକ୍ଷା ନେଇ ପ୍ରତିବର୍ଷ ସରଗରମ ଆଲୋଚନା ହୁଏ। କିନ୍ତୁ ବନ୍ୟା ପରେ ଏହି ଗାଁର ସୁରକ୍ଷାକୁ ସମସ୍ତେ ଭୁଲିଯାନ୍ତି। ଅପରପକ୍ଷେ ଇନ୍ଦ୍ରାବତୀ ପ୍ରକଳ୍ପ କଳାହାଣ୍ଡି ଜିଲାର ଚାଷୀଙ୍କ ପାଇଁ ଆଶୀର୍ବାଦ ପାଲଟିଥିବା ବେଳେ ବାଲିଛଡ଼ା ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି।
ବାଲିଛଡ଼ା ଗାଁରେ ୨୦୦ ପରିବାରର ୧୨୦୦ରୁ ଅଧିକ ଲୋକ ବସବାସ କରନ୍ତି। ସେମାନଙ୍କ ଜୀବିକା ହେଉଛି ଚାଷ। ଗ୍ରାମର ଅନେକ କୃଷିଶ୍ରମିକ। ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଆରମ୍ଭହେବା ପୂର୍ବରୁ ଏହି ହାତୀନଦୀ ଏକ ନାଳ ସ୍ୱରୁପ ଥିଲା। ବର୍ଷା ୪ ମାସ କେବଳ ପାଣି ପ୍ରବାହିତ ହେଉଥିଲା। କିନ୍ତୁ ଇନ୍ଦ୍ରାବତୀ ଜଳବିଦ୍ୟୁତ୍‌ ପ୍ରକଳ୍ପ କାର୍ୟ୍ୟକାରୀ ହେବା ପରେ ହାତୀନଦୀ ଚିରସ୍ରୋତା ପାଲଟିଲା ଏବଂ ବର୍ଷତମାମ ଏଥିରେ ପାଣି ପ୍ରବାହିତ ହେଲା। ଫଳରେ ନଦୀକୂଳର ମାଟି ଧୋଇହୋଇ ଏବେ ବିରାଟ ରୂପ ନେଇସାରିଲାଣି। ଏହି ନଦୀର ଗତିପଥ ଏବେ ଜନବସତି ମୁହାଁ ହେବା ସହ ୧୦ରୁ ଅଧିକ ଘର ନଦୀଗର୍ଭରେ ଲୀନ ହୋଇସାରିଲାଣି। ଆଗାମୀ ଦିନରେ ଆହୁରି କିଛି ଘର ମଧ୍ୟ ନଦୀଗର୍ଭରେ ଲୀନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। କେବଳ ଘର ନୁହେଁ କିଛି ଲୋକଙ୍କ ଜୀବନଜୀବିକାଥିବା ଚାଷଜମି ମଧ୍ୟ ଲୀନ ହୋଇସାରିଛି। ମରୁଡ଼ି ପ୍ରବଣ କଳାହାଣ୍ଡିର ଏହି ଅଞ୍ଚଳରେ ଇନ୍ଦ୍ରାବତୀ ଜଳବିଦ୍ୟୁତ୍‌ ପ୍ରକଳ୍ପ ଦ୍ୱାରା ଚାଷୀମାନେ ଦୁଇଫସଲି ଧାନଚାଷ କରି ଉପକୃତ ହେଲେ। ତେଣୁ ଚାଷୀଙ୍କ ପାଇଁ ଇନ୍ଦ୍ରାବତୀ ଆଶୀର୍ବାଦ ପାଲଟିଥିବା ବେଳେ ହାତୀନଦୀରେ ବର୍ଷତମାମ ପାଣି ପ୍ରବାହିତ ହୋଇ ଜନବସତି ମୁହାଁ ହେବା ଯୋଗୁଁ ଭିଟାମାଟି ହରାଉଥିବା ବାଲିଛଡ଼ା ଗ୍ରାମବାସୀଙ୍କ ପାଇଁ ଏହା ଅଭିଶାପ ପାଲଟିଛି।

କଳହାଣ୍ଡି ଜଳସେଚନ ବିଭାଗ ଦ୍ୱାରା ନଦୀକୂଳ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ତାହା ଦୀର୍ଘସ୍ଥାୟୀ ହେଉ ନ ଥିବାରୁ ଜନଜୀବନ ପ୍ରତି ବିପଦ ରହିଛି। ଗତ ୨୦୧୨ ମସିହାରେ ସୃଷ୍ଟି ହେଇଥିଲା ଏକ ଭୟଙ୍କର ବନ୍ୟା। ଯେଉଁଥିରେ ବହୁଘର ନଦୀଗର୍ଭରେ ଲୀନ ହୋଇଗଲା। ଅନେକ ନେତାମନ୍ତ୍ରୀ ବନ୍ୟା ଅଂଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ତତ୍‌କାଳୀନ ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶନ ବିଭାଗ ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ର ଗ୍ରାମବାସୀଙ୍କ ସମ୍ମୁଖରେ ଗ୍ରାମର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ ଅନୁଯାୟୀ ନଦୀକୂଳ ସୁରକ୍ଷା ପାଇଁ ଅନୁଦାନ ପ୍ରଦାନ କରାଗଲା, କିନ୍ତୁ ଟେଣ୍ଡରଧାରୀ ଠିକାସଂସ୍ଥା ଓ ବିଭାଗ ମଧ୍ୟରେ ଆଇନଯୁଦ୍ଧ ଚାଲିଥିବାରୁ ଗ୍ରାମବାସୀଙ୍କ ଭାଗ୍ୟ ଝୁଲି ରହିଛି। ତା’ର କେବେ ସମାଧାନ ହେବ ସେନେଇ କୌଣସି ଉତ୍ତର ମିଳୁନାହିଁ। ବାଲିଛଡା ଗାଁ ପାଇଁ ଥିବା ରାସ୍ତାକୁ ନଦୀ ଖାଇବାରେ ଲାଗିଥିବାରୁ ତୁରନ୍ତ ଏହାର ସୁରକ୍ଷା ଆବଶ୍ୟକ ହୋଇପଡିଛି।

  • ସେମାନେ ଯାହା କହନ୍ତି …

  • ସରକାର କିଛି କାମ ଆରମ୍ଭ କରିଥିଲେ। କୌଣସି କାରଣରୁ ଏହାର ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଏହାର ନିଷ୍ପତ୍ତି ପରେ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ।
            ବସନ୍ତ ପଣ୍ଡା, କଳାହାଣ୍ଡି ସାଂସଦ
  • ଇନ୍ଦ୍ରାବତୀ ଜଳବିଦ୍ୟୁତ୍‌ ପ୍ରକଳ୍ପ ଦ୍ୱାରା ଚିରସ୍ରୋତା ହେଇଛି ହାତୀନଦୀ। ବର୍ଷତମାମ ପାଣି ପ୍ରବାହିତ ହୋଇ ନଦୀକୂଳର ମାଟି ଧୋଇ ହୋଇଯାଉଛି। ଏହାର ସୁରକ୍ଷା ପାଇଁ ବହୁ ଆନ୍ଦୋଳନ ପରେ ମଧ୍ୟ ସୁଧୁରୁନି ଗାଁର ଅବସ୍ଥା। ଆଗାମୀଦିନରେ ଏହାର ସୁରକ୍ଷା କରା ନ ଗଲେ ବାଲିଛଡ଼ା ଗ୍ରାମ ଓ ଚାଷଜମି ନଦୀଗର୍ଭରେ ଲୀନ ହୋଇଯିବ।
    ଗଜିନ୍ଦ୍ର ବିହାର, ସମିତିସଭ୍ୟ, ଦେପୁର
  • ଜଳସେଚନ ବିଭାଗ ଦ୍ୱାରା ନଦୀକୂଳ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ ଗ୍ରାମବାସୀଙ୍କ ମତାମତ ଅନୁସାରେ ପାଣି କେଉଁ ଠାରେ ମାଡ ହେଉଛି ସେନେଇ ଉଚିତ ତଦନ୍ତ କରାଯାଇ ସୁରକ୍ଷା କରାଗଲେ ଲୋକ ଉପକୃତ ହୋଇପାରିବେ। ଅନେକ ସ୍ଥାନରେ ଏବେ ରାସ୍ତା ଖାଇଗଲାଣି। ଯାହା ଆଗାମୀଦିନରେ ଗାଁକୁ ଯାତାୟାତ ପାଇଁ ରାସ୍ତା ମିଳିବ ନାହିଁ।
    ଶଙ୍କର୍ଷଣ ବେହେରା, ଗ୍ରାମବାସୀ

Comments are closed.