ସମାଜ ପ୍ରଭାବ; ଅନ୍ନପୂର୍ଣ୍ଣ ଯୋଜନାରେ ସାମିଲ ହେଲା କାଲା ଦେଈ

କଲମପୁର : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ଅଲୁଆଗୁଡା ଗ୍ରାମର ଦିବ୍ୟାଙ୍ଗ କାଲା ଦେଈ ଏବେ ବୟସର ଅପରାହ୍ନରେ। ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ମାସିକ ଦିବ୍ୟାଙ୍ଗ ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ମାସିକ ୫ କେଜି ଚାଉଳ ତାର ପ୍ରାପ୍ୟ ଥିଲା। କିନ୍ତୁ ତା ପାଖରେ ଆଧାର କାର୍ଡ ଖଣ୍ଡକ ନଥିବାରୁ ଗତ କିଛି ମାସ ହେବ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଇ ଅସହାୟ ଜୀବନ ଅତିବାହିତ କରି ଆସୁଛି। ଅନେକଙ୍କ ଦ୍ୱାରସ୍ଥ ହେଇଥିଲେ ମଧ୍ୟ ଆଧାର କାର୍ଡ ଖଣ୍ଡକ ଯୋଗାଡ କରିନପାରି ଅସହାୟ ହେଇ ପଡିଥିଲା। ଏସମ୍ବନ୍ଧରେ ‘ସମାଜ’ରେ ଖବର ପ୍ରକାଶିତ ହେବା ପରେ ସାମାଜିକ କର୍ମୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନର ଅଧ୍ୟକ୍ଷ ଦିଲୀପ କୁମାର ଦାସ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସମେତ ବିଭାଗୀୟ ଉଚ୍ଚ ଅଧିକାରୀ ଓ କଳାହାଣ୍ଡି ଜିଲାପାଳଙ୍କୁ ଟ୍ୱିଟ ମାଧ୍ୟମରେ କାଲା ଦେଈର ସମସ୍ୟା ନେଇ ଅବଗତ କରାଇବା ସହ ସମାଧାନ ପାଇଁ ଅନୁରୋଧ କରିଥିଲେ। ଏସମ୍ବନ୍ଧରେ ପ୍ରଶାସନ ତରଫରୁ ତୁରନ୍ତ ତଦନ୍ତ କରାଯାଇଥିଲା ଓ ପରବର୍ତ୍ତି ସମୟରେ ଦିବ୍ୟାଙ୍ଗ କାଲା ଦେଈକୁ ପୁନଃ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଅଗଷ୍ଟ ମାସର ଭତ୍ତା ସହ କରୋନା ସହାୟତା ବାବଦରେ ୧୫ଶହ ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ଖାଦ୍ୟ ସୁରକ୍ଷା ଯୋଜନାର ଅନ୍ନପୂର୍ଣ୍ଣା ଯୋଜନାରୁ ୧୦ କିଲୋ ଚାଉଳ ମାଗଣାରେ ପ୍ରଦାନ କରାଯାଇଛି। ଯାହା ପ୍ରତି ମାସରେ ତାକୁ ଏହି ଯୋଜନାରୁ ମାସିକ ୧୦ କେଜି ଚାଉଳ ମାଗଣା ମିଳିବ।

Comments are closed.