ଇନ୍ଦ୍ରାବତୀ ବାମ, ଦକ୍ଷିଣ ମୁଖ୍ୟ କେନାଲ ସମେତ ଉଠା ଜଳ ସେଚନରୁ ଆରମ୍ଭ ହେଲା ଜଳସେଚନ

କଲମପୁର : ଇନ୍ଦ୍ରାବତୀ ଜଳ ସେଚନ ବିଭାଗର ପୂର୍ବ ସୁଚନା ଅନୁସାରେ ସୋମବାର ସକାଳ ୧୦ଟାରୁ ଏହି ପ୍ରକଳ୍ପର ବାମ ମୁଖ୍ୟ କେନାଲ, ଦକ୍ଷିଣ ମୁଖ୍ୟ କେନାଲ ଓ ଉଠା ଜଳ ସେଚନ ପ୍ରକଳ୍ପ ରୁ ଖରିଫ ଚାଷ ପାଇଁ ଜଳ ସେଚନ ଆରମ୍ଭ କରାଯାଇଛି। ସକାଳେ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ପଦ୍ମନାଭ ପଣ୍ଡାଙ୍କ ସମେତ ଦକ୍ଷିଣ ମୁଖ୍ୟ କେନାଲ ବିଭାଜନ ୧ ମୁଖିଗୁଡା ର କାର୍ଯ୍ୟ ନିର୍ବାହୀ ଇଂ ରାଜ କୁମାର ବେହେରା, ବିଭାଜନ ୨ ଜୁନାଗଡର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ନରେଶ କୁମାର ପାତ୍ର, ବାମ ମୁଖ୍ୟ କେନାଲ ବିଭାଜନ ୧ କୁସୁମଖୁଣ୍ଟିର କାର୍ଯ୍ୟ ନିର୍ବହୀ ଯନ୍ତ୍ରୀ ଇଂ ଅଜିତ କୁମାର ପାତ୍ର ବାମ ମୁଖ୍ୟ କେନାଲ ବିଭାଜନ ୨ ଧର୍ମଗଡ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ସଞ୍ଜିବ ଜ୍ଞାନ ଭତ୍ରା ପ୍ରମୁଖଙ୍କ ସମେତ ବିଭାଗୀୟ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ମଙ୍ଗଳପୁର ହାତୀ ବ୍ୟାରେଜରେ ପୂଜା ଅର୍ଚ୍ଚନା ପରେ ୬୯.୭୭ କ୍ୟୁମେକ୍ସ ଜଳ ସେଚନ କ୍ଷମତା ଥିବା ବାମ ମୁଖ୍ୟ କେନାଲରୁ ୯.୮୩ କ୍ୟୁମେକ୍ସ ପାଣି ଛଡା ଯାଇଛି।

ସେହିଭଳି ୫୦ କ୍ୟୁମେକ୍ସ ଜଳ ସେଚନ କ୍ଷମତା ଥିବା ଦକ୍ଷିଣ ମୁଖ୍ୟ କେନାଲରୁ ୫.୧୨ କ୍ୟୁମେକ୍ସ ପାଣି ଛଡାଯାଇଥିବା ବେଳେ ଚଳିତ ବର୍ଷ ପରୀକ୍ଷା ମୁଳକ ଭାବେ ଉଠା ଜଳ ସେଚନରୁ ୧୪.୮ କିଲୋମିଟର ପର୍ଯ୍ୟନ୍ତ ଜଳ ସେଚନ ଯୋଗାଇବା ପାଇଁ ୧୦ କ୍ୟୁମେକ୍ସ ପାଣି ଛଡା ଯାଇଛି। ଏହାସହ ହାତୀ ବ୍ୟାରେଜରୁ ହାତୀ ନଦୀ ମାଧ୍ୟମରେ ୧୧୬.୩୦ ପାଣି ନିଷ୍କାସିତ କରାଯାଉଛି। ଇନ୍ଦ୍ରାବତୀ ଜଳ ଭଣ୍ଡାରର ୬୪୨ ମିଟର ଜଳସ୍ତର ଧାରଣ କ୍ଷମତା ମଧ୍ୟରୁ ସୋମବାର ସକାଳ ୯.୩୦ ସୁଦ୍ଧା ୬୩୧.୫୬ ମିଟରରେ ରହିଛି। ଅନ୍ୟପଟେ ୪୫୦ ମେଗାୱାଟ ବିଦ୍ୟୁତ୍‍ ଉତ୍ପାଦନ ଜାରି ରହିଛି ଯେଉଁଥିପାଇଁ ୨୬୫ ମିଟର ଜଳସ୍ତର ଧାରଣ କ୍ଷମତା ଥିବା ମଙ୍ଗଳପୁର ହାତୀ ବ୍ୟାରେଜର ଜଳସ୍ତର ୨୬୩.୩୦ରେ ରହିଛି।

Comments are closed.