ଜଙ୍ଗଲ ଭିତରେ ଦରପୋଡ଼ା ମୃତଦେହ, ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି ନୁହେଁ ତ?

ଲାଞ୍ଜିଗଡ଼: ସାରା ଦେଶରେ କିଛିଦିନ ତଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ହାଇଦ୍ରାବାଦ ପ୍ରାଣୀ ଡାକ୍ତରାଣୀଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ଜଡ଼ିତ ନରରାକ୍ଷସମାନଙ୍କ ଏନ୍‌କାଉଣ୍ଟର ସହିତ ଘଟଣାର ପରିସମାପ୍ତି ଘଟିଛି । ତେବେ ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା ଅନ୍ତର୍ଗତ କିଡ଼ିଙ୍ଗ ଗାଁକୁ ଲାଗିଥିବା ଜଙ୍ଗଲରେ ଉଦ୍ଧାର ହୋଇଥିବା ଅଧାପୋଡ଼ା ମୃତଦେହ ଏବେ ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ପ୍ରାୟ ସପ୍ତାହେ ହେଲା କେଉଁ ଦୁବୃର୍ତ୍ତ କିଡ଼ିଙ୍ଗ-କଦଳୀଘାଟି ରାଜ୍ୟ ରାଜପଥରୁ ଏକ କିମି ଭିତରକୁ ଜଙ୍ଗଲ ଭିତରେ କୌଣସି ଜଣେ ଅଜଣା ମହିଳାଙ୍କୁ ପ୍ରଥମେ ହତ୍ୟା କରି ପୋଡ଼ିଦେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି ମୃତଦେହଟିର ମୁଣ୍ଡ ଓ ଶରୀର ସଂପୂର୍ଣ୍ଣ ପୋଡ଼ିଯାଇଥିବାବେଳେ ଗୋଡ଼ ଅଂଶ କିଛି ପୋଡ଼ିନଥିବା ଓ ବେଶ୍ କିଛି ଦିନ ପରେ ଏହା ଗଳିତ ହୋଇଥିବା ଅନୁମାନ କରାଯାଉଛି ।

ଗତ ତିନିଦିନ ତଳେ ମାଣିବନ୍ଧା ଗାଁର କିଛି ଲୋକ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ ଏହି ଅଧାପୋଡ଼ା ମୃତଦେହ ଦେଖିବାକୁ ପାଇଥିଲେ । ତେବେ ସେମାନେ ଭୟରେ କାହାକୁ କିଛି ଜଣାଇନଥିଲେ । ଧିରେଧିରେ କଥାଟି ଚର୍ଚ୍ଚା ହେବା ଆରମ୍ଭ ହେବା ପରେ ପୁଲିସ ପାଖରେ ମଧ୍ୟ ଏ ନେଇ ଖବର ପହଞ୍ଚି ଯାଇଥିଲା । କିନ୍ତୁ ପୁଲିସ ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେବା ସହିତ ଖବର ଲେଖାଯିବା ପର୍ୟ୍ୟନ୍ତ ତଦନ୍ତ ମଧ୍ୟ ଆରମ୍ଭ କରିନାହିଁ । ଫଳରେ ଏହାକୁ ନେଇ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠିବା ସହିତ ସ୍ଥାନୀୟ ଲୋକେ ଏହାକୁ ହାଇଦ୍ରାବାଦ ଘଟଣା ସହିତ ଯୋଡି ଦେଖୁଛନ୍ତି । କାରଣ ପାରିପାର୍ଶିକ ସ୍ଥିତିରୁ ଏହା ଏକ ମହିଳାଙ୍କ ଶବ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ମହିଳାଙ୍କୁ ବଳାତ୍କାର ପରେ ପ୍ରମାଣ ନଷ୍ଟ କରିବାକୁ ଏଠାକୁ ଆଣି ପୋଡି ଦିଆଯାଇନାହିଁ ତ ବୋଲି ସନ୍ଦେହ କରାଯାଉଛି । ସେହିପରି କୌଣସି ଦହନଶୀଳ ବସ୍ତୁ ଯେପରିକି ପେଟ୍ରୋଲ କିମ୍ବା ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ ହେଁ କମ୍ କାଠ ଯୋଗୁଁ ମୃତଦେହଟି ସଂପୂର୍ଣ୍ଣ ପୋଡି ପାରିନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ତେବେ ନର୍ଲା ଥାନା ଅଧୀନରେ ଆସୁଥିବା ଏହି ଘଟଣାକୁ ନେଇ ନର୍ଲା ପୁଲିସ ପକ୍ଷରୁ ଅତ୍ୟନ୍ତ ଉଦାସୀନତା ଦେଖାଦେଇଥିବାବେଳେ ନର୍ଲା ଥାନାଧିକାରୀ ରମଣୀରଞ୍ଜନ ଦଳେଇଙ୍କ ନକରାତ୍ମକ ମନ୍ତବ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ବଞ୍ଜାରିଘାଟିରେ ଅପରାଧ ବୃଦ୍ଧି ଯୋଗୁଁ ପୁଲିସ କଡାକଡି ପେଟ୍ରୋଲିଂ କରିବା ବଦଳରେ ଏବେ ପେଟ୍ରୋଲିଂରେ ବି ଢିଲା କରୁଛି । ଯାହାର ଫାଇଦା ଅପରାଧୀମାନେ ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ମୃତଦେହଟି ଚିହ୍ନଟ କରିବା ଅବସ୍ଥାରେ ନଥିବାରୁ ଏହାର ଡିଏନ୍ଏ ପରୀକ୍ଷଣ ସହିତ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ତେବେ ଦୁଃଖର କଥା ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ପୁଲିସ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ପୁଲିସ ପକ୍ଷରୁ ସେମିତି କିଛି ତତ୍ପରତା ଲକ୍ଷ୍ୟ କରାଯାଇନାହିଁ । ଅପରପକ୍ଷରେ ବିଳମ୍ବ ହେଲେ ଦରପୋଡା ମୃତଦେହର ପ୍ରମାଣ ନଷ୍ଟ ସହ ଏଥିରେ ସଂପୃକ୍ତ ଅପରାଧୀମାନେ ଖସିଯିବାର ଆଶଙ୍କା ରହିଛି । ଏଣୁ କିଡିଙ୍ଗ ଜଙ୍ଗଲରେ ପଡିଥିବା ଦରପୋଡା ମୃତଦେହ ଘଟଣାର ଉପଯୁକ୍ତ ତଦନ୍ତ ସହ ଏହାର ଫରେନସିକ୍ ଯାଞ୍ଚ ଓ ଡିଏନ୍ଏ ଯାଞ୍ଚ ସହିତ ଏହି ଘଟଣାର ଖୁଲାସା କରିବାକୁ କଳାହାଣ୍ଡି ଏସ୍‌ପି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Comments are closed.