ଲୋକଶ୍ରୁତି ଓ ରାଜନୀତିରେ କଳାହାଣ୍ଡି ରାଜପ୍ରାସାଦ

ଭବାନୀପାଟଣା: କଳାହାଣ୍ଡି ଜିଲାର ସଦର ମହକୁମା ଭବାନୀପାଟଣାକୁ ଆସୁଥିବା ଲୋକେ ପ୍ରଥମେ ମା’ ମାଣିକେଶ୍ବରୀଙ୍କ ମନ୍ଦିର ଯିବାକୁ ଇଚ୍ଛା କରନ୍ତି। ମା’ଙ୍କ ଦର୍ଶନ ପରେ ସେଠାରେ ଥିବା ରାଜପ୍ରାସାଦ ସେମାନଙ୍କୁ ଆକୃଷ୍ଟ କରେ। ଏହାର ଆକାର ଏବଂ ଭବ୍ୟତା ସେମାନଙ୍କୁ ମୋହିତ କରେ। ଶତାଧିକ ବର୍ଷ ତଳେ ନିର୍ମିତ ଏହି ରାଜପ୍ରାସାଦର ଇତିହାସ ଯେତିକି ପୁରୁଣା ତା’ର ଐତିହ୍ୟ ସେତିକି ମୂଲ୍ୟବାନ।

ଲୋକଶ୍ରୁତି ଅନୁସାରେ ୧୮୪୯ ପର୍ୟ୍ୟନ୍ତ କଳାହାଣ୍ଡି ଗଡ଼ଜାତ ରାଜ୍ୟର ରାଜଧାନୀ ଥିଲା ଜୁନାଗଡ଼। ୨୬ଜଣ ରାଜା ସେଠାରେ ରାଜତ୍ବ କରିଥିଲେ। ୧୮୪୯ରେ ଜୁନାଗଡ଼ରେ ପ୍ରବଳ ମହାମାରୀ ବ୍ୟାପୀ ଥିଲା। ଏଥିରେ ଜଣେ ରାଜକୁମାରଙ୍କ ସମେତ ବହୁ ଲୋକ ପ୍ରାଣ ହରାଇବାରୁ ତତ୍‌କାଳୀନ ୨୭ତମ ନାଗବଂଶୀ ଶାସକ ମହାରାଜା ଫତେନାରାୟଣ ଦେଓ ଭଣ୍ଡେଶ୍ୱର (ବର୍ତ୍ତମାନର ଭବାନୀପାଟଣା)ଠାରେ ଥିବା ମାଣିକେଶ୍ୱରୀଙ୍କ ନିକଟରେ ଶରଣାପନ୍ନ ହୋଇଥିଲେ। ତାଙ୍କ କରୁଣାରୁ ମହାମାରୀରୁ ରାଜ୍ୟ ରକ୍ଷା ପାଇଥିଲା। ଫଳରେ ମହାରାଜା ଆଉ ଜୁନାଗଡ଼ ପ୍ରତ୍ୟାବର୍ତ୍ତନ ନ କରି ମାଣିକେଶ୍ୱରୀଙ୍କ ମନ୍ଦିର ନିକଟରେ ରାଜପ୍ରାସାଦ ନିର୍ମାଣ କରି ରାଜଧାନୀ ପ୍ରତିଷ୍ଠା କଲେ। ପୂର୍ବରୁ ସେଠାରେ ଥିବା ଭବାନୀଶଙ୍କର ମହାଦେବ ମନ୍ଦିରଙ୍କ ନାମ ଅନୁସାରେ ନୂତନ ରାଜଧାନୀର ନାମକରଣ କଲେ ଭବାନୀପାଟଣା। ତାଙ୍କ ପୁତ୍ର ୨୮ତମ ନାଗବଂଶୀ ଶାସକ ମହାରାଜା ଉଦିତ ପ୍ରତାପ ଦେଓଙ୍କ ଦ୍ୱାରା ଭବାନୀପାଟଣା ଠାରେ ଏକ ସୁନ୍ଦର ରାଜପ୍ରାସାଦ ୧୮୬୫ରୁ ୧୮୭୫ ମଧ୍ୟରେ ନିର୍ମିତ ହୋଇଥିଲା। ଏହି ରାଜପ୍ରାସାଦଟି ଶତାଧିକ ବର୍ଷ ପରେ ବି ଆଜି ଯାଏ ସୁରକ୍ଷିତ ଅବସ୍ଥାରେ ଅଛି।

୧୮୪୯ରୁ କଳାହାଣ୍ଡି ଗଡ଼ଜାତର ରାଜଧାନୀ ସହର ଭବାନୀପାଟଣାରେ ୫ଟି ନାଗବଂଶୀ ଶାସକ ରାଜୁତି କରିଥିଲେ। ମହାରାଜ ପ୍ରତାପକେଶରୀ ଦେଓଙ୍କ ଦେହାନ୍ତ ପରେ ମହାରାଜା ଉଦିତ୍‌ପ୍ରତାପ ଦେଓ ଏବଂ ତାଙ୍କ ପରେ ଯୁବରାଜ ଅନନ୍ତ ପ୍ରତାପ ଦେଓ ଉତ୍ତରାଧିକାର ସୂତ୍ରରେ ଏଠାରେ ରହିବା ସହ ଏହାର ରକ୍ଷଣାବେକ୍ଷଣ କରି ଆସୁଛନ୍ତି।

ରାଜନୀତି ସହ କଳାହାଣ୍ଡି ରାଜପରିବାରର ଘନିଷ୍ଠତା ବହୁ ପୁରୁଣା। ୧୯୫୧ରୁ ଆଜି ପର୍ୟ୍ୟନ୍ତ ଏହି ପରିବାର ବିଭିନ୍ନ ସମୟରେ ଭିନ୍ନଭିନ୍ନ ଦଳର ପକ୍ଷରୁ ବିଧାନସଭା ଓ ସଂସଦ ସଦସ୍ୟ ପଦ ମଣ୍ଡନ କରିଆସିଛନ୍ତି। ସର୍ବପ୍ରଥମେ ମହାରାଜ ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦରୁ ଜୁନାଗଡ଼ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୫୭ ଲୋକସଭା ନିର୍ବାଚନରେ ଗଣପରିଷଦ ପାର୍ଟିରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୬୨, ୧୯୬୭, ୧୯୭୧, ୧୯୭୭ ଲୋକସଭା ନିର୍ବାଚନରେ କ୍ରମାଗତ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ପିଢ଼ିରେ ତାଙ୍କ ସାନପୁଅ ବିକ୍ରିମକେଶରୀ ଦେଓ ୧୯୯୮, ୧୯୯୯ ଓ ୨୦୦୪ ଲୋକସଭା ନିର୍ବାଚନରେ କ୍ରମାଗତ ନିର୍ବାଚିତ ହୋଇ ଉକ୍ତ ଧାରାକୁ ଅବ୍ୟାହତ ରଖିଥିଲେ। ଏହାପୂର୍ବରୁ ସେ ଜୁନାଗଡ଼ ବିଧାନସଭା ଆସନରୁ ୧୯୮୫, ୧୯୯୦ ଓ ୧୯୯୫ରେ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ବିକ୍ରମକେଶରୀ ଦେଓଙ୍କ ପୁତ୍ର ଅର୍କକେଶରୀ ଦେଓ ମଧ୍ୟ ୨୦୧୪ରୁ ୨୦୧୯ ପର୍ୟ୍ୟନ୍ତ ଲୋକସଭାରେ ବିଜେଡିର ପ୍ରତିନିଧିତ୍ବ କରିଥିଲେ।

Comments are closed.