ବରଯାତ୍ରୀ ଗାଡି – ଟ୍ରକ ମୁହାଁମୁହିଁ ଧକ୍କା ; ଚାଳକ ମୃତ

ବର କନ୍ୟା ସମେତ ୬ ରୁ ୭ ଜଣ ଗୁରୁତର  

କୋକସରା :  କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଭୁରସାଗୁଡା ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡି ସାମ୍ନା ପଟୁ ଅ।ସୁଥୁବା ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଛି । ଧକ୍କା ହେବ। ଫଳରେ ଚୁରମାର ହୋଇଗଲା ବୋଲେରୋ । ଏହି ଦୁର୍ଘଟଣାରେ ବୋଲେରୋ ଚାଳକଙ୍କ ମୃତ୍ୟୁ ହୋଇ ଥିବା ବେଳେ ବୋଲେରୋରେ ବସିଥିବା ବର କନିଆ ସମେତ ୬ ରୁ ୭ ଜଣ ଗୁରୁତର ହୋଇଛନ୍ତି ।
ଖବର ପାଇବା ପରେ ଆମପାଣି ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଚାଳକକୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେବା ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚିବା ପୂର୍ବରୁ ଚାଳକଙ୍କ  ମୃତ୍ୟୁ ହୋଇଥିଲା । ଅନ୍ୟ ସମସ୍ତେ ଗୁରୁତର ଅବସ୍ଥାରେ ଧର୍ମଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତକ ହେଲେ ଛତିଶଗଡ ରାଜ୍ୟର ଉର୍ମାଲ ଗାଁର ରୁକ୍ମଣ ସାହୁ । ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲା ମୈଦାଲପୁର ଡ଼ୁମେରଗୁଡା ଗାଁରୁ ବିବାହ ସାରି କନିଆ ନେଇ ଛତିଶଗଡ଼ ରାଜ୍ୟ ଦେଓଭୋଗ ସର୍ଗିଗୁଡା ଗାଁକୁ ଫେରୁଥିବା ସମୟରେ ଏହି ବରଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏନେଇ ଆମପାଣି ପୁଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Comments are closed.