ହାତରେ ଜବକାର୍ଡ, ମନରେ କ୍ଷୋଭ

କଳାହାଣ୍ଡି: ଗରିବ ଖଟିଖିଆଙ୍କୁ ଆର୍ଥିକ ତଥା ସାମାଜିକ କ୍ଷ୍ରେତ୍ରରେ ସୁଦୃଢ କରିବା ପାଇଁ ୨୦୦୫ ମସିହାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ସହ କାମ ବି ଯୋଗାଇ ଦିଆଯାଉଛି ହେଲେ ମଜୁରୀ ଦେବାରେ ବ୍ୟତିକ୍ରମ ଦେଖାଦେଉଛି। ଥୂଆମୁଳ ରାମପୁର ବ୍ଳକ୍ ମୋତାଚୁଆଁ ଗାଁରୁ ଅଭିଯୋଗ ଆସିଛି।ଗ୍ରାମବାସୀଙ୍କ ହାତରେ ଜବକାର୍ଡ କିନ୍ତୁ ମନରେ କ୍ଷୋଭ ଭରି ରହିଛି। ମନରେଗା ଯୋଜନା ମାଧ୍ୟମରେ ଜବକାର୍ଡ ଧାରୀଙ୍କୁ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହି ପଞ୍ଚାୟତର ପ୍ରାୟ ୫୦ ଜଣ ହିତାଧିକାରୀଙ୍କୁ ମନରେଗା ଯୋଜନାରେ ପଞ୍ଚାୟତ ତରଫରୁ ପୋଖରୀ ଖୋଳା ପାଇଁ କାର୍ଯ୍ୟ ନିର୍ଦେଶ ଦିଆଯାଇଥିଲା। ହେଲେ କାମ କରିବାର ଆଜକୁ ପ୍ରାୟ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଶ୍ରମିକଙ୍କୁ ମଜୁରୀ ମିଳିନାହିଁ। ଏନେଇ ହିତାଧିକାରୀ ବାରମ୍ୱାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ଅଧିକାରୀଙ୍କ ଦ୍ୱାରସ୍ଥ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି।

ରାଜ୍ୟରେ ଦାଦନ ପ୍ରଥାକୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଅର୍ଥ ବ୍ୟୟବରାଦ କରୁଛନ୍ତି ହେଲେ ମନରେଗା ଯୋଜନାରେ ହିତାଧିକାରୀଙ୍କୁ ଦୀର୍ଘ ଏକ ବର୍ଷ ଧରି ମଜୁରୀରୁ ବଞ୍ଚିତ ରଖିବା ଏବେ ପରୋକ୍ଷରେ ଦାଦନ ପ୍ରଥାକୁ ସରକାର ପ୍ରତ୍ସାହନ ଦେଉଥିବା ପରି ମନେ ହେଉଛି। ଏ ପ୍ରସଙ୍ଗରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅଭିଯୋଗର ତଦନ୍ତ କରାଯାଇ କାର୍ଯାନୁଷ୍ଠନ ଗ୍ରହଣ କରାଯିବ ସେ ବୋଲି ପ୍ରକାଶ କରିଛନ୍ତି ।

Comments are closed.