କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ଭବାନୀପାଟଣା : କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ପଦ୍ମପୁର ଜଗବନ୍ଧୁ ଶବରଙ୍କ କୂପରେ ଏକ ମୃତ ଶରୀର ଭାସୁଥିବା ଦେଖିବାକୁ ମିଳିଛି l ମୃତ ବ୍ୟକ୍ତି ଜଣଙ୍କ ସେହି ଗ୍ରାମର ପୂର୍ଣ୍ଣ ଶବର ବୟସ(୩୮) ବୋଲି ଚିହ୍ନଟ ହୋଇଛି।

ସୂଚନା ମୁତାବକ, ଯୁବକ ଜଣକ କେଗାଁ ଆସି ବ୍ୟାଙ୍କରୁ ଟଙ୍କା ଉଠାଣ କରି ଆଉ ଘରକୁ ଫେରିଲେ ନ ଥିଲେ। ଘର ଲୋକେ ବହୁତ ଖୋଜା ଖୋଜି କଲା ପରେ ଜଗବନ୍ଧୁଙ୍କ କୁଅରେ ମୃତଦେହ ପାଣି ରେ ଭାସୁଥିବା ଦେଖିବାକୁ ମିଳିଥିଲା। ଭାସୁଥିବା ମୃତଦେହକୁ ଦେଖି କେଗାଁ ପୁଲିସକୁ ଖବର ଦେଇଥିବା ବେଳେ ସଂଧ୍ୟା ହେବା ଯୋଗୁ ମୃତଦେହ ଉଦ୍ଧାର କରି ନ ହୋଇ କୂଅରେ ଏମିତି ରହିଥିଲା। ଆଜି ସକାଳୁ କେଗାଁ ଥାନା ଅଧିକାରୀ ଶ୍ରୀ ଗୁଣନିଧି ସାହୁ ଅଗ୍ନିଶମ ବାହିନୀ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ କୂପ ଭିତରୁ ମୃତ ଶରୀର ଉଦ୍ଧାର କରିଛନ୍ତି। ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଛି। ତେବେ ମୃତକଙ୍କ ସ୍ତ୍ରୀ ଓ ପୁଅ ହତ୍ୟା ହୋଇ ଥିବା ଗଣମାଧ୍ୟମ ଆଗରେ ମତ ଦେଇଛନ୍ତି। ଶବଟିକୁ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଡାକ୍ତରଖାନା ପଠାଯାଇଥିବା ଜଣାପଡିଛି।

Comments are closed.