କଖଡିରେ ପ୍ରଶାସନ ପକ୍ଷରୁ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଗୁରୁଡିଝାଟିଆ: କଖଡିରେ ଆଜି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସରକାରୀ ଜମିରେ ଦୋକାନ, ଘର କରିଥିବା ବ୍ୟକ୍ତିବିଶେଷଙ୍କୁ ପୂର୍ବରୁ କଟକ ସଦର ଦହସିଲ ପକ୍ଷରୁ ନୋଟିସ କରାଯାଇଥିଲା। ଅଧିକାଂଶ ଏହାକୁ ସାଦରରେ ଗ୍ରହଣ କରିଥିବା ବେଳେ ଯେଉଁ କେତେକ ଏପର୍ଯ୍ୟନ୍ତ ସରକାରୀ ଜମିରୁ ସ୍ୱତଃ ପ୍ରବୃତ ଭାବରେ ଉଚ୍ଛେଦ କରି ନ ଥିଲେ ସେମାନଙ୍କୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ପ୍ରଥମେ କଖଡିର ବଜାର ସାହିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ପାଲାତୋଟା ପର୍ଯ୍ୟନ୍ତ ହୋଇଛି। ଆସନ୍ତାକାଲି ଅବଶିଷ୍ଟ ଜବରଦଖଲକୁ ଉଚ୍ଛେଦ କରାଯିବ। ଏହି ଉଚ୍ଛେଦ ପ୍ରକ୍ରିୟା ବହୁ ଦିନ ହେଲା ସଂପାଦିତ ହେବା କଥା। ହେଲେ କରୋନା ପାଇଁ ସ୍ଥଗିତ ରଖାଯାଇଥିଲା। ଏପରିକି ସରକାରୀ ଜାଗାରେ ଜବରଦଖଲ କରିଥିବା ଦୋକାନୀମାନଙ୍କୁ ସୁବିଧା ଦୃଷ୍ଟିରୁ ମହଲତ ମଧ୍ୟ ଦେଇଥିଲେ। ସରକାରୀ ଜାଗାରେ ଜବରଦଖଲ କରାଗଲେ ଯେକେହି ହେଲେ ମଧ୍ୟ ଉଚ୍ଛେଦ ପ୍ରକ୍ରିୟାର ସାମ୍ନା କରିବେ ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମ୍ବିତ ଗଡନାୟକ ସମାଜକୁ କହିଥିଲେ।

ପ୍ରକାଶଯୋଗ୍ୟ, ମହାନଦୀର ମଧୁସେତୁ ହେବା ଫଳରେ ପୁରୁଣା କଟକ-ସମ୍ବଲପୁର ରାସ୍ତାଟି ବ୍ୟସ୍ତବହୁଳ ହୋଇପଡ଼ିଛି। ଏହାର ପ୍ରଶସ୍ତିକରଣ ଏକାନ୍ତ ଆବଶ୍ୟକତା ଥିବାରୁ ପ୍ରାୟ ୭୨କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକ ଅଟକଳ କରାଯାଇ ରାସ୍ତା ଓ କୋଠାବାଡି ବିଭାଗ ପକ୍ଷରୁ ସରକାରଙ୍କ ନିକଟରେ ପ୍ରଦାନ କରାଯାଇଛି। ଆଜିର ଏହି ଉଚ୍ଛେଦ ପ୍ରକ୍ରିୟା ସମୟରେ ତହସିଲଦାର ଶ୍ରୀ ଗଡନାୟକଙ୍କ ସହ ଚୌଦ୍ୱାର କମିସନରେଟ ପୋଲିସ ଥାନା ଅଧିକାରୀ ବିରଞ୍ଚି ପତି, ସଦର ଆରଆଇ ଯଶୋବନ୍ତ ପ୍ରଧାନ ଓ ପୋଲିସ ଫୋର୍ସମାନେ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ଫୋର୍ସ ମୁତୟନ ହୋଇଥିଲେ।

Comments are closed.