ଉତ୍କର୍ଷ ହେଉଛି ଓଡ଼ିଶାର ପରମ୍ପରା : ରାଜ୍ୟପାଳ

ରାଜଭବନରେ କାଦମ୍ବିନୀର ୨୦ ତମ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର: ସମସ୍ତଙ୍କୁ ସ୍ୱୀକାର କରିବା ଓ ସଭିଙ୍କୁ ପ୍ରେମ କରିବା ହେଉଛି ସକଳ ଚିନ୍ତନ ଓ ଅନ୍ୱେଷଣର ଶୀର୍ଷସ୍ତର। ଏହି ସ୍ତରକୁ ଯାଇଥିବା ରାସ୍ତା ହେଉଛି  ଆନନ୍ଦମୟ ଓ ଆହ୍ୱାନ ପୂର୍ଣ୍ଣ। ନିଷ୍ଠା, କର୍ମକୁଶଳତା ଓ ଆନ୍ତରିକତା ମାଧ୍ୟମରେ ଏହା ସୁଗମ ହୋଇଥାଏ ବୋଲି ‘କାଦମ୍ବିନୀ’ର ବିଂଶତମ ସ୍ବନକ୍ଷତ୍ର ଅବସରରେ କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।

ଗୁରୁବାର ରାଜଭବନର ଅଭିଷେକ ହଲରେ  ଆୟୋଜିତ ମାସିକ ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ର ବିଂଶ ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ ଓଡ଼ିଶାରେ ଉତ୍କର୍ଷ ହେଉଛି ଏକ ପରମ୍ପରା ଯେଉଁଥିପାଇଁ ଏହି ରାଜ୍ୟର ଅନ୍ୟନାମ ଉତ୍କଳ। ‘କାଦମ୍ବିନୀ’ ପତ୍ରିକା ଜଗତରେ ଉତ୍କର୍ଷର ଏକ ପ୍ରତୀକ। ଗତ ୨୦ ବର୍ଷର ଗୌରବମୟ ଯାତ୍ରାର ଅଭିଜ୍ଞତା ଓ ଉପଲବ୍ଧିକୁ ଆଧାର କରି ଭବିଷ୍ୟତର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ‘କାଦମ୍ବିନୀ’ ନିଜକୁ ବିବର୍ତ୍ତିତ କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ।

‘କାଦମ୍ବିନୀ’ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ପତ୍ରିକାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଉଲ୍ଲେଖ କରି ଏହା ଅନେକାଂଶରେ ପୂରଣ ହୋଇଥିବା ପ୍ରକାଶ କରିଥିଲେ। ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ‘କାଦମ୍ବିନୀ’ ସହ ନିଜ ସଂପର୍କର ଅବତାରଣା କରି ପତ୍ରିକାର ବିପୁଳ ଲୋକପ୍ରିୟତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ। ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା ପରିବର୍ତ୍ତିତ ପରିବେଶ ପାଇଁ ପତ୍ରିକା ନିଜକୁ ପ୍ରସ୍ତୁତ କରିବା ହେଉଛି ସମୟର ଆବଶ୍ୟକତା ଏବଂ ‘କାଦମ୍ବିନୀ’ର ଯାତ୍ରା ବେଶ ଉତ୍ସାହଜନକ ବୋଲି ମତପ୍ରକାଶ କରିଥିଲେ ।

ସଂପାଦିକା ଇତି ସାମନ୍ତ ‘କାଦମ୍ବିନୀ’ର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ‘କାଦମ୍ବିନୀ’ର ବିଶେଷ ସଂଖ୍ୟା, ‘କୁନିକଥା’ର ନୂତନ ସଂଖ୍ୟା, ନୂତନ ୱେବ ପତ୍ରିକା ‘କନ୍ୟା’କୁ ରାଜ୍ୟପାଳ ଲୋକାର୍ପଣ କରିଥିଲେ। ‘କାଦମ୍ବିନୀ’ର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଡ଼ାକ ଟିକେଟକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ। କାଦମ୍ବିନୀର ପ୍ରଥମ ସଂଖ୍ୟାର ପ୍ରଚ୍ଛଦ ମଣ୍ଡନ କରିଥିବା ଅନୁ ଚୌଧୁରୀଙ୍କ ସମେତ ଗତ ବର୍ଷ ପ୍ରଚ୍ଛଦରେ ମଣ୍ଡନ କରିଥିବା ଚିତ୍ରତାରକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘କାଦମ୍ବିନୀ’ର ୨୦ ବର୍ଷର ଯାତ୍ରାକୁ ନେଇ ଏକ ଭିଡ଼ିଓ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। କୋଭିଡ଼-୧୯ ମାର୍ଗ ଦର୍ଶିକା ମୁତାବକ ମାସ୍କ ଓ ସାମାଜିକ ଦୂରତା ସହ ଉତ୍ସବ ସଂପାଦିତ ହୋଇଥିଲା।

Comments are closed.