ସୋମବାର ଯୋଡାରେ ‘ନିଧି ଆପକେ ନିକଟ ୨.୦’ର ଅଭିଯୋଗ ଶୁଣାଣୀ

କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ସଦସ୍ୟ ଓ ପେନସନଭୋଗୀଙ୍କ ସମସ୍ୟାର ହେବ ସମାଧାନ

କେନ୍ଦୁଝରଗଡ : କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ତା’ର ସଦସ୍ୟ ମାନଙ୍କ ସୁବିଧାକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି । ୨୦୧୫ ମସିହା ପୂର୍ବରୁ ‘ଭବିଷ୍ୟନିଧି ଅଦାଲତ’ ମାଧ୍ୟମରେ ଏହାର ସଦସ୍ୟ ମାନଙ୍କର ଅଭିଯୋଗକୁ ସମାଧାନ କରିବା ଲକ୍ଷ୍ୟରେ ‘ନିଧି ଆପକେ ନିକଟ’ ପ୍ରଚଳନ କରାଯାଇ ସେଥିରେ ଟ୍ରେଡ ୟୁନିୟନ ମାନଙ୍କୁ ସାମିଲ କରାଯାଇ ସଦସ୍ୟ ମାନଙ୍କର ଅଭିଯୋଗକୁ ସହଜରେ ସମାଧାନ କରାଯାଇ ଆସୁଥିଲା। ୨୦୨୧ ମସିହା ଠାରୁ ପେନସନ ଅଦାଲତ ଆରମ୍ଭ କରି ପେନସନଭୋଗୀଙ୍କ ସମସ୍ୟାର ସମାଧାନ କରାଯାଇ ଆସୁଛି । ବର୍ତ୍ତମାନ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ଏହାର ସଦସ୍ୟ ଓ ପେନସନଭୋଗୀଙ୍କ ସମସ୍ୟାକୁ ଅନୁଭବ କରି ନୂତନ ପଦକ୍ଷେପ ଗ୍ରହଣ ସ୍ୱରୂପ ‘ନିଧି ଆପକେ ନିକଟ ୨.୦’ ଜିଲାସ୍ତରୀୟ ସଚତେନତା ଶିବିର ଚଳିତବର୍ଷ ଠାରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ମାସର ୨୭ ତାରିଖ ଦେଶର ପ୍ରତି ଜିଲାରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଯେଉଁ ମାସ ୨୭ ତାରିଖ ଛୁଟି ଦିବସ ରହେ ତାହାଲେ ପରବର୍ତ୍ତୀ ସରକାରୀ ଦିବସରେ ଏହି କାର୍ଯ୍ୟକ୍ରମ ପାଳନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଅବସରରେ ଫେବୃୟାରୀ ମାସ ପାଇଁ ଆସନ୍ତା ୨୭ ତାରିଖ ସୋମବାର କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ଆଞ୍ଚଳିକ କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ଯୋଡାସ୍ଥିତ ଟାଟା ଷ୍ଟିଲ ଗୋକେସନାଲ ଟ୍ରେନିଙ୍ଗ ସେଣ୍ଟର ଠାରେ ଅନୁଷ୍ଠିତ କରାଯିବ ବୋଲି କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ ପ୍ରଭାରୀ ବିକାଶ ଆନନ୍ଦ ଏହି ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲା ପାଇଁ ଏହାର ଜିଲା ନୋଡାଲ ଅଧିକାରୀ ଭାବେ ଭଗବାନ ସାହୁଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିଭଳି ମୟୁରଭଞ୍ଜ ଜିଲା ପାଇଁ ରାଇରଙ୍ଗପୁର ଅଁଳାଦୁବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲା ନୋଡାଲ ଅଧିକାରୀ ଭାବେ ସତୀଶ ଚନ୍ଦ୍ର ସାହୁଙ୍କ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଭବିଷ୍ୟନିଧି ସଙ୍ଗଠନ ଅଧିନ ସଦସ୍ୟ ତଥା ପେନସନଭୋଗୀ ଆସନ୍ତା ୨୭ ତାରିଖ ଉପରୋକ୍ତ ସ୍ଥାନ ମାନଙ୍କରେ ପୂର୍ବାହ୍ନ ସାଢ଼େ ୯ଟାରୁ ପୂର୍ବାହ୍ନ ୧୦ଟା ମଧ୍ୟରେ ନିଜ ନିଜ ନାମକୁ ପଞ୍ଜିକରଣ କରି କାର୍ଯ୍ୟକ୍ରମର ବହୁବିଧ ସୁବିଧା ସୁଯୋଗ ଉପଲବ୍ଧ କରିବାକୁ ସଙ୍ଗଠନର କେନ୍ଦୁଝର ପ୍ରଭାରୀ ଶ୍ରୀ ଆନନ୍ଦ ଅନୁରୋଧ କରିଛନ୍ତି ।

Comments are closed.