କାବୁଲ କ୍ରୀଡ଼ାଙ୍ଗନରେ ଖେଳାଗଲା କ୍ରିକେଟ୍‌ ମ୍ୟାଚ୍‌

କାବୁଲ : ତାଲିବାନ୍‌ ଗୋଷ୍ଠୀ ଆଫଗାନିସ୍ତାନର କ୍ଷମତା ଦଖଲ କରିବା ପରେ ଶୁକ୍ରବାର ପ୍ରଥମଥର ପାଇଁ ସ୍ଥାନୀୟ କାବୁଲ କ୍ରୀଡ଼ାଙ୍ଗନରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇଥିଲା। ପିସ୍‌ ଡିଫେଣ୍ଡର୍ସ ଓ ପିସ୍‌ ହିରୋଜ୍‌ ନାମରେ ଦୁଇଟି ଦଳ ମଧ୍ୟରେ ଏହି ମ୍ୟାଚ୍‌ ଆୟୋଜିତ ହୋଇଥିଲା। ମ୍ୟାଚ୍‌ ଦେଖିବାକୁ ଷ୍ଟାଡ଼ିୟମରେ ପାଖାପାଖି ୪ହଜାର ଦର୍ଶକ ଉପସ୍ଥିତ ଥିଲେ। ତେବେ ଉପସ୍ଥିତ ଦର୍ଶକ ସମସ୍ତେ ପୁରୁଷ ଥିବାବେଳେ କୌଣସି ମହିଳା ଦର୍ଶକ ନ ଥିଲେ। ମ୍ୟାଚ୍‌ ଦେଖିବାକୁ ଷ୍ଟାଡ଼ିୟମରେ ବହୁ ତାଲିବାନୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ସେମାନେ ମ୍ୟାଚ୍‌ ଉପଭୋଗ କରିବା ସହ କ୍ରିକେଟ୍‌ର ମଜା ନିଆରା ବୋଲି ମତ ଦେଇଥିଲେ। ତାଲିବାନୀଙ୍କ ହାତରେ ବନ୍ଧୁକ ରହିଥିବା ଦେଖିବାକୁ ମିିଳିଥିଲା। କ୍ରୀଡ଼ାଙ୍ଗନରେ ଆଫଗାନିସ୍ତାନ ଓ ତାଲିବାନ୍‌ର ପତାକା ଉପସ୍ଥିତ ଦର୍ଶକମାନେ ଉଡାଉଥିବା ଦେଖିବାକୁ ମିଳିଥିଲା। ସୂଚନାଥାଉକି ତାଲିବାନ୍ ଆଫଗାନିସ୍ତାନ କ୍ଷମତା ଦଖଲ ପରେ ସେଠାକାର କ୍ରୀଡ଼ାବିତ୍‌ଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ତେବେ ପୁରୁଷ କ୍ରିକେଟ୍‌ ପ୍ରତି କୌଣସି ପ୍ରକାର ହସ୍ତକ୍ଷେପ କରାଯିବ ନାହିଁ ବୋଲି ତାଲିବାନ୍‌ ତରଫରୁ ସ୍ପଷ୍ଟ କରି ଦିଆଯାଇଥିବା ବେଳେ ମହିଳା କ୍ରିକେଟର୍‌ଙ୍କ ଭବିଷ୍ୟତ ଅନ୍ଧକାରରେ ରହିଛି।

Comments are closed.