ରାଜଭବନରେ ଶପଥ ନେବେ ଜଷ୍ଟିସ୍ ମୁରଲୀଧର

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଡକ୍ଟର ଏସ୍‌ ମୁରଲୀଧରଙ୍କୁ ନିଯୁକ୍ତି ମିଳିଛି। ଜଷ୍ଟିସ୍‌ ମୁରଲୀଧର ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବେ। ସୋମବାର ସେ ରାଜଭବନରେ ଓଡ଼ିଶାର ମୁଖ୍ୟ ବିଚାରପତି ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ରାଜଭବନର ଅଭିଷେକ ଭବନରେ ସୋମବାର ସକାଳ ସାଢ଼େ ୯ଟାରେ ଜଷ୍ଟିସ୍ ମୁରଲୀଧରଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। କରୋନା ନିୟମାବଳୀକୁ ଦୃଷ୍ଟି​‌​‌ରେ ରଖି ଅଳ୍ପସଂଖ୍ୟକ ପ୍ରଶାସନ ଓ ବିଚାର ବିଭାଗୀୟ ଅଧିକାରୀ, ଓ ପୁଲିସ ଅଧିକାରୀ ଏହି ଶପଥପାଠ ଉତ୍ସବରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ହାଇକୋର୍ଟର କେତେଜଣ ବରିଷ୍ଠ ବିଚାରପତି ମଧ୍ୟ ଏହି ଶପଥପାଠରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ଅପରପକ୍ଷେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ମହମ୍ମଦ ରଫିକ୍ ଆଜି ଅପରାହ୍ଣରେ ବିମାନ ଯୋଗେ ମଧ୍ୟପ୍ରଦେଶ ଯାଇଛନ୍ତି। ସେଠାରେ ସେ ଆସନ୍ତାକାଲି ଅପରାହ୍ଣ ୨ଟାରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ କଲିଜିୟମ୍‌ ଡିସେମ୍ବର ୧୪ ତାରିଖରେ ଜଷ୍ଟିସ ମୁରଲୀଧର, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ଙ୍କ ସମେତ ୪ ମୁଖ୍ୟ ବିଚାରପତି ଓ ୫ ଜଣ ବିଚାରପତିଙ୍କ ବଦଳି ଏବଂ ନିଯୁକ୍ତି ନେଇ ସୁପାରିସ କରିଥିଲେ। ଏ ସଂକ୍ରାନ୍ତ ବିଜ୍ଞପ୍ତି ୧୬ତାରିଖରେ ପ୍ରକାଶ ପାଇଥିଲା।

Comments are closed.