ସେବା ପ୍ରଦାନରେ ଅବହେଳା : ଖାଉଟୀ ଅଦାଲତରେ ଦଣ୍ଡିତ ହେଲେ ଦେବଗଡ଼ ତହସିଲଦାର

ଦେବଗଡ଼ : ସେବା ପ୍ରଦାନରେ ଅବହେଳା ଯୋଗୁଁ ଦେବଗଡ ଜିଲା ଖାଉଟୀ ଅଦାଲତ ଦେବଗଡ ତହସିଲଦାରଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି। ଜିଲା ଖାଉଟୀ ଅଦାଲତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ପୌରାଂଚଳ ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ମହୁଲଢିପା ସାହିର ଟିକେଶ୍ୱରୀ କିସାନ ନାମ୍ନୀ ଜଣେ ମହିଳାଙ୍କ ନାମରେ ଥିବା ୟୁନିଟ-୮ର ଖତିୟାନ ନମ୍ବର-୨୯୯/୩୪୩ ଅନ୍ତର୍ଭୁକ୍ତ ପ୍ଲଟ ନମ୍ନର-୭୨୭ରେ ୦.୦୮ ଡେସିମିଲ ବେର୍ଣ୍ଣା ସାଧାରଣ କିସମ ଜମିରୁ ୦.୦୪ ଡେସିମିଲ ଜମିକୁ ଘରବାରି କିସମରେ ପରିବର୍ତ୍ତନ ପାଇଁ ୨୦୧୩ ମସିହାରେ ଦେବଗଡ ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ। ତତ୍କାଳୀନ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ସରକାରଙ୍କ ପକ୍ଷରୁ ନିର୍ଦ୍ଦାରିତ ଫିସ ବାବଦରେ ୧୨ହଜାର ଏକଶହ ୨୦ ଟଙ୍କା ଏବଂ ଆବଶ୍ୟକୀୟ କାଗଜପତ୍ର  ମଧ୍ୟ ଦାଖଲ କରିଥିଲେ। ପରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଜମିର କିସମ ବେର୍ଣ୍ଣା ସାଧାରଣରୁ ପରିବର୍ତ୍ତନ ହୋଇ ଘରବାରି କିସମ କରାଯିବା ସହ ଖତିୟାନକୁ ସଂଶୋଧନ କରାଯାଇଥିଲା। ତେବେ ଗୁରୁତ୍ୱପୁର୍ଣ୍ଣ ବିଷୟ ଏହା ଯେ, ଶ୍ରୀମତୀ କିସାନ ଗତ ଜୁଲାଇ ୭ ତାରିଖରେ ଉକ୍ତ ଖତିଆନ ଧରି ଘର ତିଆରି ଋଣ ନିମନ୍ତେ ଆବେଦନ କରିବାକୁ ଦେବଗଡ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କକୁ ଯାଇଥିଲେ। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ଶ୍ରୀମତୀ କିସାନଙ୍କ ଖତିୟାନକୁ ‘ଭୂଲେଖ’ ପୋର୍ଟାଲରେ ଯାଂଚ କରିବାରୁ ସେଥିରେ କିସମ ପରିବର୍ତ୍ତନ ସମ୍ବନ୍ଧୀୟ କୌଣସି ତଥ୍ୟ ଅପଲୋଡ ହୋଇନଥିଲା। ଫଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ଖତିୟାନର ବୈଧତା ଉପରେ ସନ୍ଦେହ ପ୍ରକଟ କରି ଋଣ ଦେବାକୁ ମନା କରିଦେଇଥିଲେ। ଫଳରେ ଗତ ଜୁଲାଇ ୧୪ ତାରିଖରେ ଶ୍ରୀମତୀ କସାନ ଏ ସମ୍ପର୍କରେ ଦେବଗଡ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବା ସହ ଏହାର ସମାଧାନ କରିବାକୁ ନିବେଦନ କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା।

ଅପରପକ୍ଷରେ ତହସିଲଦାର ମହୋଦୟା ତାଙ୍କୁ ଉକ୍ତ କିସମ ପରିବର୍ତ୍ତନ ଘଟଣା ୨୦୧୩ ମସିହାର ହୋଇଥିବା ଏବଂ ସେତେବେଳେ  ଅନଲାଇନରେ ନହୋଇ ଅଫଲାଇନରେ ହେଉଥିବା ଉତ୍ତର ଦେଇଥିଲେ। ଏଥିସହ ୨୦୧୮ ମସିହାରେ ଏଲ୍.ଆର୍.ଏମ୍.ଏସ୍.(ଲ୍ୟାଣ୍ଡ ରେକର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ) ପୋର୍ଟାଲ କାର୍ଯ୍ୟକ୍ଷମ ହେବା ପରେ ସମସ୍ତ କାମ ଅନଲାଇନରେ ହୋଇଥିବା, ୨୦୧୮ ମସିହା ପୂର୍ବର ଡାଟା ଏଲ୍.ଆର୍.ଏମ୍.ଏସ୍.ରେ ଅପଲୋଡ ପାଇଁ କୌଣସି ସୁବିଧା ନଥିବାରୁ ମାନୁଆଲ ଖତିୟାନ ପ୍ରଦାନ କରାଯାଇଥିବା ତହସିଲଦାର ମହୋଦୟା ଉତ୍ତର ଦେବାସହ ତତ୍କାଳୀନ ( କିସମ ପରିବର୍ତ୍ତନ ସମୟର) ତହସିଲଦାରଙ୍କ ଦ୍ୱାରା କାହିଁକି ଅପଲୋଡ କରାଇଲ ନାହିଁ ବୋଲି ଓଲଟା ପ୍ରଶ୍ନ କରିଥିଲେ। ଫଳରେ ଶ୍ରୀମତୀ କିସାନ ନିରାଶ ହୋଇ ପଡିବା ସହ ଅନନ୍ୟୋପାୟ ହୋଇ ନ୍ୟାୟ ପାଇଁ ଦେବଗଡ ଖାଉଟୀ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଦେବଗଡ ଜିଲା ଖାଉଟୀ ଅଦାଲତ ଏନେଇ କେସ ନଂ-୨୯/୨୦୨୦ରେ ଏକ ମାମଲା ଋଜୁ କରିବା ସହ ଦେବଗଡ ତହସିଲଦାରଙ୍କୁ ନୋଟିସ ଜାରି କରିଥିଲେ। ନୋଟିସ ପାଇବାପରେ ଦେବଗଡ ତହସିଲଦାର ଦେବଗଡ ଏନ.ଆଇ.ସି.ର ଜିଲା ଇନଫର୍ମେସନ ଅଫିସରଙ୍କୁ ପତ୍ର ସଂଖ୍ୟା-୨୧୯୧/ତା-୨୧-୦୭-୨୦୨୦ରିଖ ଏବଂ ପତ୍ର ସଂଖ୍ୟା୨୬୩୧/ତା-୨୦-୦୮-୨୦୨୦ରିଖରେ ଲିଖିତ ଭାବେ ଜଣାଇବା ପରେ ଏହି ତଥ୍ୟ( କିସମ ପରିବର୍ତ୍ତନ)କୁ ‘ଭୂଲେଖ’ପୋର୍ଟାଲ୍‌ରେ ଅପଲୋ୍ଡ୍ କରାଯାଇଥିଲା। ଏଣେ ଦେବଗଡ ଜିଲା ଖାଉଟୀ ଅଦାଲତର ସଭାପତି ଦୀପକ କୁମାର ମହାପାତ୍ର ଏବଂ ଅନ୍ୟ ସଦସ୍ୟା ମାନେ ମିଳିତ ଭାବେ ଏମାମଲାର ବିଚାର କରି ସେବା ପ୍ରଦାନରେ ଦେବଗଡ ତହସିଲଦାର ଅବହେଳା କରିଥିବା ଦର୍ଶାଇ ତାଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିବା ସହ ଆବେଦନକାରୀଣୀ ଶ୍ରୀମତୀ କିସାନଙ୍କୁ କ୍ଷତିପୁରଣ ବାବଦକୁ ୧୦ ହଜାର ଟଙ୍କା, ମାନସିକ ଦୁଶ୍ଚିନ୍ତା ପାଇଁ ୨ ହଜାର ଟଙ୍କା ଓ ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୨ ହଜାର ଟଙ୍କା ପ୍ରଦାନ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥ ଆଦେଶ ପାଇବାର ୩୦ ଦିନ ମଧ୍ୟରେ ଆବେଦନକାରୀଣିଙ୍କୁ ପ୍ରଦାନ କରିବାକୁ ଜିଲା ଖାଉଟୀ ଅଦାଲତ ଆଦେଶ ଦେଇଥିବା ଜଣାପଡିଛି।

Comments are closed.