ଜୁନ୍‌ ୧୫ରୁ ମଧ୍ୟାହ୍ନଭୋଜନ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତେ ପାସ୍‌

ସ୍ଥିତି ସୁଧୁରିବା ପରେ ମାଟ୍ରିକ୍‍ ମୂଲ୍ୟାୟନ ଓ +୨ ପରୀକ୍ଷା

ଭୁବନେଶ୍ୱର: କରୋନାକୁ ନେଇ ସମ୍ପୂର୍ଣ୍ଣ ଦେଶ ଲକ୍‍ଡାଉନ୍‍ କରାଯାଇଛି। ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଥିବାବେଳେ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କରୋନା ସ୍ଥିତିର ମୁକାବିଲା ଓ ଛାତ୍ରଛାତ୍ରୀଙ୍କ ହିତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତ ଗ୍ରହଣ କରିଛି। ରାଜ୍ୟରେ ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କରୋନା ଯୋଗୁଁ ପରୀକ୍ଷା ହୋଇପାରି ନଥିଲା। ଏହି ପରିପ୍ରେକ୍ଷୀରେ ସବୁ ଛାତ୍ରଛାତ୍ରୀ ଚଳିତ ବର୍ଷ ପାଇଁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ସେମାନଙ୍କର ଆଉ ପୁନର୍ବାର ପରୀକ୍ଷା ହେବ ନାହିଁ। ତେବେ ଆସନ୍ତାବର୍ଷରୁ ପାସ୍‍ଫେଲ୍‍ ବ୍ୟବସ୍ଥା ଲାଗୁ କରାଯିବ। ସେହିପରି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସମସ୍ତ ପରୀକ୍ଷା ସରିଥିବାବେଳେ ଗୋଟିଏ ପରୀକ୍ଷା ବାକି ରହିଛି। ଏହି ପରୀକ୍ଷା କରିବା ଓ ସେମାନଙ୍କର ପରୀକ୍ଷା ଫଳ ସମ୍ବନ୍ଧରେ ବିଭାଗ ପକ୍ଷରୁ ବିଚାରବିମର୍ଶ କରାଯାଉଛି। ଅପରପକ୍ଷେ ଜୁନ୍‍ ୧୫ଠାରୁ ବିଦ୍ୟାଳୟରେ ପୂର୍ବପରି ମଧ୍ୟାହ୍ନଭୋଜନ ବିତରଣ ଆରମ୍ଭ ହେବ। କରୋନା ପାଇଁ ତିନିମାସର ମଧ୍ୟାହ୍ନଭୋଜନ ସାମଗ୍ରୀ ଟୋକନ୍‍ ଛାତ୍ରଛାତ୍ରୀଙ୍କୁ ଦିଆଯିବା ସହ ବିତରଣ ଆରମ୍ଭ ହୋଇଛି। ବିଦ୍ୟାର୍ଥୀଙ୍କୁ ତିନି ମାସର ସାମଗ୍ରୀ ଏକାଥରକେ କଣ୍ଟ୍ରୋଲ ଦୋକାନି ପ୍ରଦାନ କରିବେ।

ପ୍ରତି ବ୍ଲକରେ ନୂଆ ଶିକ୍ଷାବର୍ଷ ପାଇଁ ବହି ପହଞ୍ଚି ସାରିଥିବାବେଳେ କରୋନା ସ୍ଥିତି ସ୍ୱାଭାବିକ ହେବା ପରେ ବିଦ୍ୟାର୍ଥୀଙ୍କୁ ବଣ୍ଟନ କରାଯିବ। ସେହିପରି ୬୨ଟି ମାଟ୍ରିକ୍‍ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ସୁରକ୍ଷିତ ଭାବେ ରଖାଯାଇଛି। ସ୍ଥିତିରେ ସୁଧାର ଆସିବା ମାତ୍ରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ କରାଯିବ। ସ୍ଥଗିତ ଥିବା ଯୁକ୍ତଦୁଇ ପରୀକ୍ଷାକୁ ମଧ୍ୟ ସ୍ଥିତି ସ୍ୱାଭାବିକ ହେବା ପରେ କରାଯିବ। ଛାତ୍ରଛାତ୍ରୀ ବ୍ୟସ୍ତ ନହୋଇ ଭଲ ଭାବେ ପ୍ରସ୍ତୁତି କରିବା ଦରକାର। ଛାତ୍ରଛାତ୍ରୀ ନିୟମିତ ଘରେ ରହିବା ସହ ପାଠପଢାରେ ମନ ନିବେଶ କରିବା ଓ ହାତକୁ ଭଲ ଭାବେ ଧୋଇବାକୁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି।

Comments are closed.