ପିଏମ୍‌ କେୟାର୍ସ୍ – ଜିନ୍ଦଲ ଷ୍ଟିଲର ୨୫ କୋଟି ଟଙ୍କା ସହାୟତା

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌) ପ୍ରଧାନମନ୍ତ୍ରୀଙ୍କ ପିଏମ୍‌ କେୟାର୍ସ୍ ଫଣ୍ଡକୁ ୨୫ କୋଟି ଟଙ୍କା ପ୍ରଦାନ କରିଛି। କୋଭିଡ-୧୯ ମହାମାରୀ ବିରୋଧରେ ମୁକାବିଲା କ୍ଷେତ୍ରରେ ଏହା ସହାୟତା କରିବ। ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ ଏକ ଟ୍ୱିଟ ମାଧ୍ୟମରେ କହିଛନ୍ତି, କୋଭିଡ-୧୯ ବିରୋଧରେ ଦେଶର ଲଢେଇରେ ଆମେ ଯଥା ସମ୍ଭବ ସାହାଯ୍ୟ କରିବୁ। ଓ.ପି. ଜିନ୍ଦଲ ଗ୍ରୁପ୍‌ର ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୫ତମ ଶ୍ରାଦ୍ଧ ଦିବସରେ ଜେଏସ୍‌ପିଏଲ୍ ପକ୍ଷରୁ ଏହା ଘୋଷଣା କରାଯାଇଛି।

ଏହା ବ୍ୟତୀତ, ଜେଏସ୍‌ପିଏଲ୍‌ର ସାମାଜିକ ଦାୟିତ୍ୱବୋଧ ଅନୁଷ୍ଠାନ ଜେଏସ୍‌ପିଏଲ୍ ଫାଉଣ୍ଡେସନ ପକ୍ଷରୁ ଏହାର ବିଭିନ୍ନ କାରଖାନା ନିକଟରେ ଥିବା ଆର୍ଥିକ ଦୁର୍ବଳ ଲୋକମାନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ରନ୍ଧା ଖାଦ୍ୟ ପ୍ୟାକେଟ ଓଡିଶା, ଛତିଶଗଡ ଏବଂ ଝାଡ଼ଖଣ୍ଡର ବିଭିନ୍ନ ଗ୍ରାମରେ ଜେଏସ୍‌ପିଏଲ୍ ଫାଉଣ୍ଡେସନ ବଣ୍ଟନ କରିଛି। ଅନ୍ୟପକ୍ଷରେ କୋଭିଡ-୧୯ ମହାମାରୀର ମୁକାବିଲା ପାଇଁ ଜେଏସ୍‌ପିଏଲ୍ ତାର ବିଭିନ୍ନ ଡାକ୍ତରଖାନାରେ ଅଧିକ ଭେଣ୍ଟିଲେଟର ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇଦେଇ ଏହି ଡାକ୍ତରଖାନା ଗୁଡିକର ଉନ୍ନତିକରଣ କରୁଛି। ଏହି ଡାକ୍ତରଖାନା ଗୁଡିକରେ କମ୍ପାନୀ ପକ୍ଷରୁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିନ୍ଦଲ ଗ୍ରୁପର ସହାୟତା ନେଇ ମଧ୍ୟ ଟ୍ୱିଟ କରିଛନ୍ତି।

ମାସ୍କ ତିଆରି କରିବା ପାଇଁ କମ୍ପାନୀ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଗୁଡିକୁ ଆବଶ୍ୟକୀୟ ପ୍ରଶିକ୍ଷଣ ଓ ମେସିନ୍ ଦିଆଯାଇ ନିଯୁକ୍ତ କରାଯାଇଛି। ଏବେ ସୁଦ୍ଧା ଏକ ଲକ୍ଷରୁ ଅଧିକ ମାସ୍କ ତିଆରି କରାଯାଇ ଏବଂ ପରେ ଅଲ୍‌ଟ୍ରାଭାଓଲେଟ୍ ଉପଚାର ପରେ ସ୍ଥାନୀୟ ବାସିନ୍ଦା, କର୍ମଚାରୀ, ଶ୍ରମିକ ଓ ଟ୍ରକ୍ ଡ୍ରାଇଭର ଆଦି ବିଭିନ୍ନ ଲୋକମାନଙ୍କ ମଧ୍ୟରେ ଜେଏସପିଏଲ ପକ୍ଷରୁ ବଣ୍ଟା ଯାଇଛି। ଜେଏସ୍‌ପିଏଲ୍ ଫାଉଣ୍ଡେସନ ମାସ୍କ, ସାନିଟାଇଜର, ହାଣ୍ଡୱାସ ଏବଂ ଅନ୍ୟାନ୍ୟ ସ୍ୱଚ୍ଛତା ସାମଗ୍ରୀ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି।

Comments are closed.