ଡାକ୍ତରଙ୍କ ଗାଁ ଗଜରାଜପୁର

ଜଗତସିଂହପୁର/ନାଉଗାଁ: ଜଗତସିଂହପୁର ଜିଲାର ଏମିତି ଏକ ଗାଁ ରହିଛି ଯେଉଁ ଗାଁରୁ ବାହାରିଛନ୍ତି ୧୩ ଜଣ ଡାକ୍ତର। କେବଳ ଉକ୍ତ ଗାଁ ନୁହେଁ ସେହି ଗାଁ ରହିଥିବା ପଞ୍ଚାୟତରୁ ଅନେକ ସୁନାମଧନ୍ୟ ଡାକ୍ତର ଜନ୍ମ ନେଇ ରାଜ୍ୟର ଚିକିତ୍ସାକ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ଏହି ସୁନାମଧନ୍ୟ ଗାଁ ହେଉଛି ନାଉଗାଁ ବ୍ଲକର ଗଜରାଜପୁର।

ଐତିହାସିକ ଦୃଷ୍ଟିକୋଣରୁ ଏହି ଗାଁ ଯେତିକି ପ୍ରସିଦ୍ଧ ଅଟେ ଗାଁରେ ଜନ୍ମ ନେଇଥିବା ବ୍ୟକ୍ତିମାନେ ମଧ୍ୟ ସେତିକି ପ୍ରସିଦ୍ଧ। ଏହି ଗାଁରେ ଜନ୍ମ ନେଇଛନ୍ତି ଅନେକ ଡାକ୍ତର, ଇଞ୍ଜିନିୟର, ସାହିତ୍ୟିକ ଓ ପ୍ରଶାସନିକ ଅଧିକାରୀ। ବିଶେଷ କରି ଏହି ଗାଁରୁ ସୃଷ୍ଟି ହୋଇଛନ୍ତି ୧୩ ଜଣ ଡାକ୍ତର। ଯେଉଁମାନେ ଦେଶ ଓ ବିଦେଶରେ ଚିକିତ୍ସାକ୍ଷେତ୍ରରେ ପରିଚିତି ଲାଭ କରିଛନ୍ତି। ଏହି ଗାଁରେ ଜନ୍ମ ନେଇଥିବା ନିରୋସର୍ଜନ ଡାକ୍ତର ଭବାନୀଶଙ୍କର ଦାସ ରାଜ୍ୟ ତଥା ଦେଶରେ ଜଣାଶୁଣା। ସେ ବାଙ୍ଗାଲୋରରେ ଥିବା ନିମାହନ୍ସ୍‍ (ନ୍ୟାସନାଲ୍‍ ଇନଷ୍ଟିଚୁଟ୍‍ ଅଫ୍‍ ମେଣ୍ଟାଲ ହେଲେ୍‍ଥ ଆଣ୍ଡ୍‍ ନ୍ୟୁରୋଲୋଜିକାଲ ସାଇନ୍ସ)ର ସୁପରିଟେଣ୍ଡଟ୍‍ ଭାବେ କାର୍ଯ୍ୟ କରୁଛନ୍ତି। ନିରୋପାଥୋଲୋଜି ବିଭାଗର ଡା. ଶରଳା ଦାସ, ଶିଶୁ ବିଭାଗର ଡା. କନିସ୍କ ଦାସ, ୟୁରୋସର୍ଜିକାଲ ଡାକ୍ତର ଦେବୀପ୍ରସାଦ ଦାସ, ଏସସିବି ମେଡିକାଲର ଆସିଷ୍ଟାଣ୍ଟ ପ୍ରଫେସର ଡା. ଦିପକରଞ୍ଜନ ଦାସ, ଅର୍ଥୋପେଡ଼ିକ ବିଭାଗର ଡା.ବସନ୍ତକୁମାର ବେହେରା, ଜଗତସିଂହପୁରର ପୂର୍ବତନ ସିଡିଏମଓ ଡା. ରଘୁନାଥ ଜେନା, ଡା. ତ୍ରିଲୋଚନ ଜେନା, ଡା.ପରମାନନ୍ଦ ଆଚାର୍ଯ୍ୟ, କେନ୍ଦ୍ରାପଡା ମେଡିକାଲ ପୂର୍ବତନ ସିଡିଏମଓ ଡା. ଅକ୍ଷୟ ଦାସ,
କଟକ ଶିଶୁଭବନର ପୂର୍ବତନ ଶିଶୁ ବିଭାଗ ପ୍ରଫେସର ଡା.ଅଜିତ୍‍କୁମାର ଦାସ, ଡା.ସୁରଭି ମହାନ୍ତି ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡା. ଶ୍ରୀହରି ପ୍ରିୟା ବେହେରା ପ୍ରମୁଖ ଏହି ଗାଁ ମାଟିକୁ ଅଧିକ ଗୌରବାନ୍ୱିତ କରିଛନ୍ତି। ଗୋଟିଏ ଗାଁରୁ ଏତେସଂଖ୍ୟାରେ ଡାକ୍ତର ବାହାରିଥିବାରୁ ଏହି ଗାଁକୁ ଡାକ୍ତରଙ୍କ ଗାଁ ବୋଲି କେହି କେହି କୁହଁନ୍ତି। ଗଜରାଜପୁର ପଞ୍ଚାୟତ ଭାତପଡା ଗାଁର ସୁନାମଧନ୍ୟ ଡାକ୍ତର ହେଉଛନ୍ତି ସ୍ୱର୍ଗତ ବ୍ରହ୍ମାନନ୍ଦ ଆଚାର୍ଯ୍ୟ। ନିରୋସର୍ଜନ ଭାବେ ସେ ରାଜ୍ୟରେ ପରିଚିତି ଲାଭ କରିଥିଲେ। ସେମିତି ଭାତପଡାର ଡାକ୍ତର ବିଜୟାଲକ୍ଷ୍ମୀ ବଳିୟାରସିଂ ଓ ଡା.ଗୀତାଞ୍ଜଳି ପତ୍ରୀ ମଧ୍ୟ ରାଜ୍ୟର ଚିକିତ୍ସାକ୍ଷେତ୍ରରେ ବେଶ୍‍ ଜଣାଶୁଣା।

Comments are closed.