ସିଏଏ ସପକ୍ଷରେ କୋଲକାତାରେ ଜେପି ନଡ୍ଡାଙ୍କ ରାଲି

କୋଲକାତା: ନାଗରିକତା ସଂଶୋଧନ ଆଇନକୁ  ସମର୍ଥନ ଜଣାଇ କଲକାତାରେ ରାଲି କରିଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ସୋମବାର ଜେପି ନଡ୍ଡା  କୋଲକାତାରେ ପହଞ୍ଚିବା ପରେ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୌଳାଶ ବିଜୟବର୍ଗ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ନଡ୍ଡା ଏକ ବିଶାଳ ରାଲିରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ରାଲିର ଶେଷରେ ଏକ ସଭାର ଆୟୋଜନ କରାଯାଇଥିଲା। ଯେଉଁଠି ନଡ୍ଡା ଲୋକମାନଙ୍କୁ ନାଗରିକତା ସଂଶୋଧନ ଆଇନ ବିଷୟରେ ସୂଚନା ଦେବାସହ ଲୋକମାନଙ୍କୁ ହିଂସା ନକରି ଆଇନ କଣ ଭଲ ଭାବେ ବୁଝିବାକୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ନାଗରିକତା ସଂଶୋଧନ ଆଇନକୁ ନେଇ ଲୋକମାନଙ୍କ ମନରେ ଥିବା ଭ୍ରମ ଧାରଣା ଦୂରକରିବା ପାଇଁ ବିଜେପି ୧୦ ଦିନର ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛି। ଦେଶର ବିଭିନ୍ନ ସ୍ଥାନରେ କିଛି ଲୋକ ଏହାକୁ ବିରୋଧ କରୁଥିବା ବେଳେ ଭାରତୀୟ ଜନତା ପାର୍ଟି ଜନ ସଚେତନା ମୂଳକ  ରାଲି କରିବାକୁ ନିଷ୍ପତ୍ତି ନେଇଛି । ରାଷ୍ଟ୍ରୀୟ ପଦାଧିକାରୀମାନେ ଶନିବାର ଏନେଇ ଦିଲ୍ଲୀରେ ବୈଠକ କରିଥିଲେ । ଯେଉଁଥିରେ ୩ କୋଟିରୁ ଅଧିକ ପରିବାର ସହ ଯୋଗାଯୋଗ କରାଯାଇ ସିଏଏ ସପକ୍ଷରେ ବାର୍ତ୍ତା ଦିଆଯିବ। ବିଜେପି ଏହି ଆଧାରରେ ୧୦୦୦ ରାଲି କରିବାକୁ ନିଷ୍ପତ୍ତି ନେଇଛି । ରାଲିରେ ସ୍ଥାନୀୟ ଓ କେନ୍ଦ୍ରୀୟ ନେତା ସାମିଲ ହେବାକୁ କୁହାଯାଇଛି । ପାର୍ଟି ତରଫରୁ ୨୫୦ଟି ସାମ୍ବାଦିକ ସମ୍ମିଳନୀ କରାଯିବ । ଏହାକୁ କେନ୍ଦ୍ରମନ୍ତ୍ରୀ ଅଥିବା ପାର୍ଟିର ମୁଖପାତ୍ର ସମ୍ବୋଧିତ କରିବେ ।  ବିଜେପିର ଅଭିଯୋଗ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳ ବିଶେଷ କରି କଂଗ୍ରେସ ଦ୍ବାରା ଭ୍ରମ ଧାରଣା ପ୍ରଚାର ପ୍ରସାର କରାଯାଉଛି।ଯାହା ଫଳରେ ଦେଶରେ ହିଂସା ସୃଷ୍ଟି ହେଉଛି।

Comments are closed.