ସାମ୍ବାଦିକାଙ୍କୁ ଆକ୍ରମଣ ପ୍ରତିବାଦରେ ମଲ୍ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା

ଏସପ୍ଲାନେଡ୍ ରେ ସମ୍ବାଦିକାଙ୍କୁ ଆକ୍ରମଣ ମାମଲା : ୨ ସୁରକ୍ଷାକର୍ମୀ ଗିରଫ

ଭୁବନେଶ୍ୱର: ଏକ ନିର୍ଦ୍ଦିଷ୍ଟ ଘରୋଇ ୱେବ୍ ଚ୍ୟାନେଲର ସାମ୍ବାଦିକା ସ୍ବାତୀ ଜେନା ଓ କ୍ୟାମେରାମ୍ୟାନ ପ୍ରମୋଦ ମହାପାତ୍ରଙ୍କୁ ଆକ୍ରମଣ ପ୍ରତିବାଦରେ ରବିବାର ସାମ୍ବାଦିକମାନେ ଧାରଣାକୁ ଓହ୍ଲାଇଛନ୍ତି। ସାମ୍ବାଦିକାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରସୁଲଗଡସ୍ଥିତ ଏସପ୍ଲାନେଡ୍ ମଲ୍ ସମ୍ମୁଖରେ ବରିଷ୍ଠ ସାମ୍ବାଦିକଙ୍କ ସମେତ ସାମ୍ବାଦିକ ବିଭାଗର ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଏହା ସହ କମିଶନରେଟ୍ ପୁଲିସ କାର୍ଯ୍ୟାଳୟରେ ମଧ୍ୟ ସାମ୍ବାଦିକମାନେ ଧାରଣା ଦେଇଛନ୍ତି।

ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମ୍ବାଦିକା ସ୍ବାତୀ ଜେନାଙ୍କୁ ନ୍ୟାୟ ଦାବିରେ କେବଳ ସାମ୍ବାଦିକମାନେ ନୁହେଁ, ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ବିଜେବି କଲେଜର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ବିକ୍ଷୋଭରେ ସାମିଲ ହୋଇଛନ୍ତି। ସାମ୍ବାଦିକ ଓ ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀମାନେ ଡିସିପିଙ୍କ କାର୍ଯ୍ୟାଳୟକୁ ପଦଯାତ୍ରାରେ ଯାଇ ଅତିରିକ୍ତ ଡିସିପି ସଞ୍ଜୟ କୁମାର ସିଂହଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି ମାମଲାରେ ରବିବାର ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏସପ୍ଲାନେଡ୍ ମଲର ସୁରକ୍ଷାକର୍ମୀ ପଙ୍କଜ ସାହୁ ଏବଂ ସୁପରଭାଇଜର ମହନ୍ତ ବିଶ୍ବାଳକୁ ପୁଲିସ ଗିରଫ କରିଛି। ଏମାନେ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, ଶନିବାର ସାମ୍ବାଦିକା ସ୍ବାତୀ ଜେନା ଏସପ୍ଲାନେଡ ମଲରେ ବେଆଇନ ପାର୍କିଂ ଫି ସମ୍ପର୍କରେ ଲାଇଭ୍ ରିପୋର୍ଟିଂ କରୁଥିଲେ। ଏହି ସମୟରେ ମଲ୍ ର ସୁରକ୍ଷାକର୍ମୀ ତାଙ୍କୁ ଅସଦାଚରଣ କରିବା ସହ ଆକ୍ରମଣ କରିଥିଲେ। କ୍ୟାମେରାମ୍ୟାନଙ୍କୁ ମାଡ ମାରିବା​‌ ସହ କ୍ୟାମେରା ଭାଙ୍ଗି ଦେଇଥିଲେ। ଏହା ପରେ ଅନ୍ୟ ସୁରକ୍ଷାକର୍ମୀ ଏକାଠି ହୋଇ ଉଭୟଙ୍କୁ ନିସ୍ତୁକ ମାଡ ମାରିଥିଲେ। ବହୁ କଷ୍ଟରେ ସ୍ବାତୀ ପୁଲିସକୁ ଫୋନ୍ କରିଥିଲେ। ପରେ ଘଟଣାସ୍ଥାଳରେ ପୁଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ଏନେଇ ସ୍ବାତୀ ଅଭିଯୋଗ କରିବା ପରେ ପୁଲିସ ୨ ଜଣଙ୍କୁ ଅଟକ ରଖିଥିଲା । ମଲ୍ ର ମ୍ୟାନେଜରଙ୍କ ନାମରେ ମଧ୍ୟ ସ୍ବାତୀ ଅଭିଯୋଗ କରିଛନ୍ତି।

 

Comments are closed.