ହାଥରସ୍‌ଗାମୀ ସାମ୍ବାଦିକ ଗିରଫ; ଦେଶଦ୍ରୋହ ମାମଲା ରୁଜୁ

ନୂଆଦିଲ୍ଲୀ/ଲକ୍ଷ୍ନୌ: ଦିଲ୍ଲୀରୁ କାର୍‌ ଯୋଗେ ହାଥରାସ୍‌ ଯାଉଥିବା କେରଳୀ ସାମ୍ବାଦିକ ସିଦ୍ଦିକ କାପ୍ପାନଙ୍କୁ ମଥୁରା ନିକଟସ୍ଥ ଟୋଲ୍‌ ପ୍ଲାଜାଠାରେ ପୁଲିସ ଗିରଫ କରିଛି। ତାଙ୍କ ସହିତ ଅନ୍ୟ ତିନିଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସିଦ୍ଦିକଙ୍କ ଘର ମାଲାପୁରମ୍‌ ହୋଇଥିବାବେଳେ ତାଙ୍କ ସହିତ ଗିରଫ ଅନ୍ୟ ତିନିଜଣ ହେଉଛନ୍ତି ମୁଜାଫର ନଗରର ଅତିକ ଉର୍‌ ରହମନ, ବାହାରିଚ୍‌ର ମାସୁଦ ଅହମ୍ମଦ ଓ ରାମପୁରର ଆଲାମ। ସେମାନଙ୍କଠାରୁ ଲାପଟପ୍‌, ମୋବାଇଲ ଫୋନ୍‌ ଓ କିଛି ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି। ସେମାନେ ହାଥରାସରେ ଅଶାନ୍ତି ସୃଷ୍ଟି କରିବା ଅଭିପ୍ରାୟରେ ଥିଲେ ବୋଲି ପୁଲିସ କହିଛି। ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫ୍‌ଆଇ ଏବଂ ଏହାର ସହଯୋଗୀ ସଂଗଠନ କ୍ୟାମ୍ପସ୍‌ ଫ୍ରଣ୍ଟ ଅପ ଇଣ୍ଡିଆ ବା ସିଏଫ୍‌ଆଇ ସହିତ ତାଙ୍କର ସମ୍ପର୍କ ଥିବା ପୁଲିସ କହିଛି। ଏହା ଉପରେ ଅଧିକ ତଦନ୍ତ ଚାଲିଥିବା ପୁଲିସ ସୂତ୍ରରୁ ପ୍ରକାଶ। ପିଏଫ୍‌ଆଇ ନାଗରିକତା ସଂଶୋଧନ ଆଇନ ପ୍ରତିବାଦରେ ଚାଲିଥିବା ଆନ୍ଦୋଳନ ପାଇଁ ଅର୍ଥ ଯୋଗାଉଥିବା ଅଭିଯୋଗ ହୋଇଥିଲା। ସାମ୍ବାଦିକଙ୍କୁ ଗିରଫ କରାଯିବା ଘଟଣାକୁ କେରଳ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି। ସିଦ୍ଦିକ ସଂଗଠନର ସମ୍ପାଦକ ଥିବାରୁ ତାଙ୍କୁ ସହାୟତା ପାଇଁ ସଂଘ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବ ବୋଲି ସୂଚନା ଦିଆଯାଇଛି। ରବିବାର ପୁଲିସ ଆଉ କେତେଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗିରଫ କରିଥିଲା; ଯାହାକୁ ସର୍ବଭାରତୀୟ ସାମ୍ବାଦିକ ସଂଘ ନିନ୍ଦା କରିଥିଲା। ସୂଚନାଯୋଗ୍ୟ ଯେ ହାଥରାସ୍‌ ଘଟଣାରେ ପୁଲିସ ସାମାଜିକ କର୍ମୀ ଓ ନେତାଙ୍କ ସମେତ ୬୮୦ଜଣଙ୍କ ବିରୋଧରେ ଏତଲା ଦାୟର କରିଛି। ଅପରପକ୍ଷରେ ଅପରପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଏସ୍‌ଆଇଟି ସବିଶେଷ ରିପୋର୍ଟ ଦେବାକୁ ଅଧିକ ୧୦ ଦିନ ସମୟ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ତ୍ବରିତ ବିଚାର ପାଇଁ ଏସଆଇଟି ଗଠନ କରିବା ସହ ଏହାକୁ ରିପୋର୍ଟ ଦେବା ପାଇଁ ୭ଦିନ ପ୍ରଦାନ କରିଥିଲେ। ବୁଧବାର ଏହି ଅବଧି ଶେଷ ହୋଇଛି।

Comments are closed.