ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ମାଘମେଳା, ଅଲେଖ ମହିମା ଧ୍ୱନିରେ ପ୍ରକମ୍ପିତ ମହିମାଗାଦି

ଗାଦିମନ୍ଦିର ଚାରି ଦ୍ୱାରରେ ଜଳିଲା ଝାଡ଼

ଢେଙ୍କାନାଳ ସଦର : ଢେଙ୍କାନାଳ ଜିଲା ଅନ୍ତର୍ଗତ  ବିଶ୍ୱପ୍ରସିଦ୍ଧ ମାଘମେଳା ଶୁକ୍ରବାର ଆରମ୍ଭ ହୋଇଯାଇଛି। ଝିପିଝିପି ବର୍ଷା ସତ୍ତ୍ବେ ମେଳାରେ ପ୍ରବଳ ଜନ ସମାଗମ ସାଙ୍ଗକୁ ବହୁ ସାଧୁସନ୍ଥ ଯୋଗ ଦେଇଛନ୍ତି। ଗୁରୁବ୍ରହ୍ମ ମହିମା ଅଲେଖ ଧ୍ୱନିରେ ମହିମାଗାଦିର ଗଗନ ପବନ ପ୍ରକମ୍ପିତ ହୋଇଉଠିଛି। ପ୍ରଭୁ ପୂର୍ଣ୍ଣମୀରେ ଝାଡଦୀପ ପ୍ରଜ୍ଜ୍ୱଳନ ଓ ଧୂନିରେ ଘୃତ ନାରିକେଳ ଅର୍ପଣ ପାଇଁ ଗାଦିମନ୍ଦିର ସମେତ ଶୂନ୍ୟ ମନ୍ଦିର, ଧୂନି ମନ୍ଦିର, ଅଖଣ୍ଡ ବତୀ ମନ୍ଦିର, ଏକୋଈଶହାତିଆ ଟୁଙ୍ଗୀ, ଅଖଣ୍ଡ ଜ୍ୟୋତି ମନ୍ଦିରର ଆଦି ଉପାସନା ଝାଡ ଜଳା ଦେଖିବା ସହ ଘୃତାହୁତି ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଅପରାହ୍ଣ ୫.୨୧ ମିନିଟ୍‍ରେ ଗାଦି ମନ୍ଦିରର ଚାରିଦ୍ୱାରରେ ନୀତି ସେବକ ସନ୍ନ୍ୟାସୀମାନଙ୍କ ଦ୍ୱାରା ଝାଡଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଝାଡ଼ଦୀପରେ ଘୃତାହୂତି ଦେବାପାଇଁ ଶ୍ରଦ୍ଧାଳୁମାନେ ଗାଦି ମନ୍ଦିର ପରିସରରେ ସମବେତ ହୋଇଛନ୍ତି। ମାଘଶୁକ୍ଲ ଚତୁର୍ଦ୍ଦଶୀରେ ଏଠି ଝାଡ ଜାଳିଲେ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।
ବ୍ରାହ୍ମ ମୂହୂର୍ତ୍ତ ସାଢେ ୩ ଟାରେ ଗାଦି ମନ୍ଦିରର ଚାରିଦ୍ୱାର ଖୋଲାଯାଇ ପ୍ରଥମେ ମାହାଳମୂଳ କୂଅରୁ ରୁପାଗରାରେ ପାଣି ଅଣାଯାଇ ସେଥିରେ ଚନ୍ଦନ, ଅଗୂର, ଶ୍ରୀ କର୍ପୂର ଆଦି ମିଶାଇ ମନ୍ଦିର ଚାରିପାଖ ସିଞ୍ଚନ କରାଯାଇଥିଲା। ଏହାପରେ ଶୁକଦେବ ବାବାଙ୍କ ଦ୍ୱାରା ରୁପାଝାଡୁରେ ଛେରାପହଁରା କରାଯାଇଥିଲା। ୫ ମୁଠା ସୁନା ଚାମର ଏବଂ ୬୦ ମୁଠା ରୁପା ଚାମରରେ ୬୫ ଜଣ ସିଦ୍ଧବକ୍କଳଧାରୀ ସନ୍ନ୍ୟାସୀଙ୍କ ଦ୍ୱାରା ଚାମର ବ୍ୟଜନ କରାଯାଇଥିଲା। ଅନୁରୂପ ଭାବେ ମଧ୍ୟାହ୍ନରେ ଚାମର ବ୍ୟଜନ ଓ ଅନ୍ୟାନ୍ୟ ନୀତି କରାଯାଇଥିଲା। ଗାଦିମନ୍ଦିର ପରିସରରେ ସକାଳ ସାଢେ ୮ ଟାରେ ନୀତି ମନ୍ଦିରରୁ ଝାଡବୃକ୍ଷ ଓ ଅନ୍ୟାନ୍ୟ ଉପକରଣଗୁଡିକୁ ଅଣାଯାଇ ମନ୍ଦିର ଚାରିପାର୍ଶ୍ବରେ ସ୍ଥାପନ କରାଯାଇଥିଲା। ଗାଦି ମନ୍ଦିରର ଗୋଟିଏ ପାର୍ଶ୍ବରେ ସୁନା, ରୁପାର ବିଭିନ୍ନ ଅଳଙ୍କାର ସମେତ ଛତ୍ରୀ, ଆଢେଣୀ, ତରାସ, ମକରତ୍ରୋଣ ଆଦି ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ରଖାଯାଇଥିଲା। ଅପରାହ୍ଣ ୪ଟା୧୫ ମିନିଟ୍‍ରେ ସନ୍ଧ୍ୟା ନୀତି ଆରମ୍ଭ ହୋଇ ୫.୨୧ ମିନିଟ୍‍ରେ ଝାଡଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଗାଦିମନ୍ଦିରର ପଶ୍ଚିମ ମୁଖଶାଳାରେ ପ୍ରମୋଦ ବାବା, ବଲ୍ଲବ ବାବା, ଗୋକୁଳ ବାବା, ନାରାୟଣ ବାବା, ବ୍ରହ୍ମାନନ୍ଦ ବାବା, ପୂର୍ବ ମୁଖଶାଳାରେ ଅଭୟ ବାବା, ବାବୁଲି ବାବା, ଅରୂପା ନନ୍ଦ ବାବା, ଜଟାଧାରୀ ବାବା, ସନ୍ୟାସୀ ବାବା, ସୁଧୀର ବାବା, ଦକ୍ଷିଣ ମୁଖଶାଳାରେ ସ୍ୱାଧୀନ ବାବା, ସତ୍ୟବ୍ରତ ବାବା, ସତ୍ୟବ୍ରତ ବାବା, ସୌମ୍ୟରଂଜନ ବାବା, ମଧୁସୂଦନ ବାବା ଏବଂ ଉତ୍ତର ମୁଖଶାଳାରେ ଭୀମସେନ ବାବା, ଅନ୍ତର୍ଯ୍ୟାମୀ ବାବା ଝାଡ ଦ୍ୱୀପ ପ୍ରଜ୍ଜ୍ୱଳନ କରିଛନ୍ତି। ଏହି ବରିଷ୍ଠ ବକ୍କଳଧାରୀ ସନ୍ନ୍ୟାସୀମାନଙ୍କୁ ଅନ୍ୟ ତ୍ୟାଗୀ ଏବଂ ବୈରାଗୀମାନେ ସହଯୋଗ କରିଥିଲେ। ସେହିପରି ଧୁନି ମନ୍ଦିରରେ ଲମ୍ବୋଦର ବାବା, ସୂର୍ଯ୍ୟମଣି ବାବା, ଯୋଗେନ୍ଦ୍ର ବାବା, ଦାଶରଥୀ ବାବା, ଅଶୋକ ବାବା ପ୍ରମୁଖ ଧୁନି ପ୍ରଜ୍ଜ୍ୱଳନ କରିଛନ୍ତି। ଧୁନି ମନ୍ଦିରରେ ବ୍ରଜ ମୋହନ ବାବା ଆହୂତି ପ୍ରଦାନ କରିଛନ୍ତି। ଶୂନ୍ୟ ମନ୍ଦିର ସୃଜନ ବାବା, ଚିତ୍ତରଂଜନ ବାବା ଏବଂ ଏକୋଇଶହାତିଆ ମନ୍ଦିରରେ ନିଗମ ଗଙ୍ଗାଧର ବାବା, ଭରତ ବାବା ଧୁନି ସ୍ଥାପନ ଓ ଝାଡ ଦୀପ ଜାଳିଛନ୍ତି।
ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତିର ସଭାପତି ପବିତ୍ର ମୋହନ ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନରୋତ୍ତମ ବାବା, ସୁବ୍ରତ ବାବା, ଦିନବନ୍ଧୁ ବାବା, ଶଙ୍କର୍ଷଣ ବାବା, ନଟବର ବାବା, ପ୍ରଭାତ ବାବା, ସମ୍ପାଦକ ନିତ୍ୟାନନ୍ଦ ବାବା ପ୍ରମୁଖ ସିଦ୍ଧ ଅବଧୂତ ବକ୍କଳଧାରୀ ବାବାମାନେ ମେଳା ପାଇଁ ଗୁରୁତ୍ୱପୂର୍ଣ୍ଣ ନୀତି ସୂଚାର ରୂପେ ତଦାରଖ ଓ ପରିଚାଳନା କରିଥିଲେ।
କୌପୀନଧାରୀ ମହିମା ସମାଜର ସଭାପତି ରଘୁନାଥ ବାବା, ସାଧାରଣ ପରିଚାଳକ ଅବିନାଶୀ ବାବା, ସମ୍ପାଦକ ସୁଶାନ୍ତ ବାବା, ଅରୂପାନନ୍ଦ ବାବା ପ୍ରମୁଖ ପରିଚାଳନା କରିଛନ୍ତି। କୌପୀନଧାରୀ ମହିମା ସମାଜ ଦ୍ୱାରା ପରିଚାଳିତ ଅଖଣ୍ଡ ବତୀ ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର, ଅଖଣ୍ଡ ଧୁନି ମନ୍ଦିରରେ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ପାଇଁ ନୀତି ସେବକ ସନ୍ନ୍ୟାସୀମାନେ ଝାଡ ଜାଳିବା ସହ ଧୁନି ସ୍ଥାପନ କରିଛନ୍ତି। ଅଖଣ୍ଡ ବତୀ ମନ୍ଦିରରେ ରଘୁନାଥ ବାବା, ଗଣେଶ୍ୱର ବାବା, ଲାଲ ମୋହନ ବାବା, ବିମ୍ବାଧର ବାବା ନିୟୋଜିତ ଥିବା ବେଳେ ଅଖଣ୍ଡ ଜ୍ୟୋତି ମନ୍ଦିରରେ ଦେବେନ୍ଦ୍ର ବାବା, କ୍ଷେତ୍ରବାସୀ ବାବା, ଗୋବର୍ଦ୍ଧନ ବାବା, ଅଚ୍ୟୁତାନନ୍ଦ ବାବା, ଭଜନ ନୀତିରେ ଅଭୟ ବାବା, ଯଶୋବନ୍ତ ବାବା, ଅକ୍ଷୟ ବାବା ପରିଚାଳନା କରିଛନ୍ତି। ପୁଲିସ୍‍ ପକ୍ଷରୁ ଯୋରନ୍ଦାର ବିଭିନ୍ନ ସ୍ଥାନ ଓ ଉପାସନା ପୀଠଗୁଡିକରେ ଫୋର୍ସ ମୁତୟନ କରାଯାଇଛି।
ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ, ଏସ୍‍ପି ଅନୁପମା ଜେମସ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ନିରୀକ୍ଷଣ କରିଥିଲେ। ମେଳା ପଡିଆରେ ଅନେକ ଦୋକାନ ବଜାର, ମନୋହାରିଣୀ ପସରା ପଡ଼ିଛି। ଦୋଳି, ଯାତ୍ରା ଆଦିର ମଜା ଉଠାଇବା ପାଇଁ ସକଳ ପ୍ରକାର ବ୍ୟବସ୍ଥା ହୋଇଛି ମାତ୍ର ବର୍ଷା ଯୋଗୁ ସାମାନ୍ୟ ଫିକା ପଡିଥିବା ଅନୁଭବ ହୋଇଛି।

Comments are closed.