ଆଜି ପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଢେଙ୍କାନାଳ ସଦର: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ମହିମାଗାଦିରେ ଆସନ୍ତାକାଲି ଗୁରୁବାର ଆରମ୍ଭ ହେଉଛି। ଚଳିତ ବର୍ଷ ପ୍ରଥମ କରି ରାଜ୍ୟ ଓ ରାଜ୍ୟ ବାହାରର ସାଧୁସନ୍ଥ, ଶ୍ରଦ୍ଧାଳୁ ଓ ବ୍ୟବସାୟୀଙ୍କର ସମାଗମକୁ କୋଭିଡ କଟକଣାକୁ ଆଖି ଆଗରେ ରଖି ବାରଣ କରାଯାଇଛି। ବିଭିନ୍ନ ଆଶ୍ରମ ମଣ୍ଡଳ ଓ ଧର୍ମଶାଳାଗୁଡିକରେ ବିନା ଶ୍ରଦ୍ଧାଳୁରେ ଖାଁ ଖାଁ ଦେଖାଯାଉଛି। ତେବେ ପୂର୍ବରୁ ଆସିଥିବା ସନ୍ନ୍ୟାସୀ, ସାଧୁ ଓ ଶ୍ରଦ୍ଧାଳୁମାନେ ବିଭିନ୍ନ ମନ୍ଦିର, ଉପାସନା ପୀଠ ଓ ମଠରେ ଭୀମଭୋଇଙ୍କ ଭଜନ, ଜଣାଣ ଓ ଚଉତିଶା ଗାନ କରିବା ସହ ଖଞ୍ଜଣୀ ବାଦନରେ ମହିମାଗାଦିକୁ ମୁଖରିତ କରିଛନ୍ତିି। ମେଳାକୁ ଶାନ୍ତି ଶୃଙ୍ଖଳା କରିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଜିଲାପାଳ ସଂଧ୍ୟାରେ ପୀଠ ପରିଦର୍ଶନ କରି ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ଯେପରି ମନ୍ଦିର ଭିତରକୁ ଆଦୈା ପ୍ରବେଶ ନକରିବେ ପୁଲିସ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

୧୮୭୪ ମସିହା ମାଘ ଶୁକ୍ଲ ଚତୁର୍ଦ୍ଦଶୀରେ ମହିମାସ୍ୱାମୀ ଯୋରନ୍ଦାଠାରେ ମାଘ ମେଳା ଆରମ୍ଭ କରିଥିଲେ। ଏହି ମେଳା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ। ପ୍ରଥମ ଦିନ ବାବାଙ୍କ ପୂର୍ଣ୍ଣିମା ଓ ଦ୍ୱିତୀୟ ଦିନ ଦେଶ ପୂର୍ଣ୍ଣିମା ଭାବରେ ଏହା ପାଳିତ ହୋଇଥାଏ। ଚଳିତ ବର୍ଷ ମେଳା ୩ ଦିନ ହେବ। ଗାଦି ମନ୍ଦିରର ଚାରିମୁଖଶାଳାରେ ଚାରୋଟି ଝାଡବୃକ୍ଷ ସ୍ଥାପନ କରାଯାଇ ସେଥିରେ ଅହୋରାତ୍ର ଘୃତାହୂତି ପ୍ରଦାନ କରାଯିବ। ଆଜି ପ୍ରାତଃ ବ୍ରାହ୍ମମୂହୂର୍ତ୍ତ ସାଢେ ତିନିଟାରେ ଗାଦିମନ୍ଦିର ସ୍ୱତନ୍ତ୍ର ନୀତି କରାଯାଇଛି। ତ୍ରିସନ୍ଧ୍ୟା ଉପାସନା ପରେ ଅପରାହ୍ନ ୫.୪୦ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡଦୀପ ପ୍ରଜ୍ୱଳନ ହେବ। ଏଥିସହିତ ଶୂନ୍ୟମନ୍ଦିର, ଧୂନୀ ମନ୍ଦିର, ଏକୋଇଶହାତିଆ ମନ୍ଦିର, ଜ୍ୟୋତି ମନ୍ଦିର ଏବଂ ବତୀ ମନ୍ଦିରରେ ଗୋଟିଏ ଲେଖାଏଁ ଝାଡବୃକ୍ଷ ସ୍ଥାପନ କରାଯାଇ ଘୃତାହୃତି ପ୍ରଦାନ କରାଯିବ।

କୋଭିଡ କଟକଣା ଯୋଗୁଁ ଗାଦି ମନ୍ଦିର ଏବଂ ଅନ୍ୟ ମନ୍ଦିର ଗୁଡିକରେ ନିତିସେବକ ସନ୍ନ୍ୟାସୀ ମାନଙ୍କୁ ପ୍ରଶାସନ ପକ୍ଷରୁ କୋଭିଡ୍‍ ପବେଶ ପାସ ପ୍ରଦାନ କରାଯାଇଛି। ଭକ୍ତମାନେ ଗାଦି ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ସେମାନଙ୍କ ଠାରୁ ଗାଦି ମନ୍ଦିର ତୃତୀୟ ବେଢାରୁ ଘିଅ ସଂଗ୍ରହ କରାଯାଇ ମନ୍ଦିର ଭିତର କୁ ପଠାଇବାର ବ୍ୟବସ୍ଥା କରାଯାଇଛି। ପିତ୍ତଳ ଝାଡ ବୃକ୍ଷ ଗୁଡିକୁ ନିତୀ ସେବକ ସନ୍ନ୍ୟାସୀମାନେ ସଫା ସୁତରା କରି ନିତୀ ମନ୍ଦିର ରେ ସଜ୍ଜିତ କରି ରଖିଛନ୍ତି। ସକାଳ ୮ ଟାରେ ସେଗୁଡିକ ଗାଦି ମନ୍ଦରକୁ ଯିବାର କାର୍ୟ୍ୟକ୍ରମ ରହିଛି। ସୂନା ରୁପା ଆଦି ବିଭିନ୍ନ ଅଳଙ୍କାରଗୁଡିକ ଭୋର ସମୟରେ ମନ୍ଦିର ଭିତରକୁ ସୁରକ୍ଷା ବଳୟ ଭିତରେ ନିଆଯିବାର ବ୍ୟବସ୍ଥା କରାଯାଇଛି। ଚତୁର୍ଦ୍ଦଶୀ ପରି ପୂର୍ଣ୍ଣମୀରେ ମଧ୍ୟ ଯଥାରୀତି ଅନୁସାରେ ଗାଦିମନ୍ଦିରର ଚାରିଦ୍ୱାରରେ ଝାଡଦୀପ ପ୍ରଜ୍ୱଳନ କରାଯିବ। ପ୍ରତିପଦା ଦିନ ଗାଦିମନ୍ଦିରର କେବଳ ଦକ୍ଷିଣଦ୍ୱାରରେ ଝାଡଦୀପ ପ୍ରଜ୍ୱଳନର ବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷ ଦୋକାନ ବଜାର, ଅପେରା, ଅସ୍ଥାୟୀ ସିନେମା ସମେତ ମନୋରଂଜନ କାର୍ୟ୍ୟକ୍ରମ କୁ ପ୍ରଶାସନ ବାତିଲ କରିଛି। ବୁଧବାର ସଂଧ୍ୟାରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଏସ.ପି କେ.ଶିବା ଶୁଭ୍ରମଣି, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ଯୋରନ୍ଦା ଗାଦି ରେ ପହଞ୍ଚି ସମସ୍ତ ବ୍ୟବସ୍ଥାକୁ ତଦାରଖ କରିଛନ୍ତି।

ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ଜିଲା ପୁଲିସ୍‍ ସଜାଗ ରହିଛି। କୋଭିଡ କଟକଣା ରକ୍ଷା ନିମନ୍ତେ ଜିଲା ପୁଲିସ୍‍ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏସ୍‍ପି କେ ଶିବା ଶୁଭ୍ରମଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଣେ ଅତିରିକ୍ତ ଏସ୍‍ପି, ୩ ଜଣ ଡିଏସ୍‍ପି, ୮ ଜଣ ଇନିସ୍‍ପେକ୍ଟର, ୪୪ ଜଣ ଏସ୍‍ଆଇ/ ଏଏସ୍‍ଆଇ, ୭ ଜଣ ହାବିଲଦାର ଓ ୫୦ ଜଣ କନଷ୍ଟେବଳ, ୬ ଟ୍ରାଫିକ୍‍ କନଷ୍ଟେବଳ , ୧୨୦ଜଣ ହୋମ୍‍ଗାର୍ଡ ଏବଂ ୭ ପ୍ଲାଟୁନ୍‍ ସଶସ୍ତ୍ର ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ଏଥିସହ ଗୋଟିଏ ଅସ୍ଥାୟୀ ଫାଣ୍ଡିର ବ୍ୟବସ୍ଥା ହୋଇଛି। ଢେଙ୍କାନାଳରୁ କାଇମାଟି, ବେଲ୍‍ଟିକିରି ଦେଇ ଯୋରନ୍ଦା, ବଣସିଂହରୁ ଯୋରନ୍ଦା, ମନ୍ଦାରରୁ ବିଧାରପୁର, ଗୋବିନ୍ଦପୁରରୁ କାଇମାଟି ଦେଇ ବିଧାରପୁର, ବିଧାରପୁରରୁ ଯୋରନ୍ଦା, କରମୂଳରୁ ଯୋରନ୍ଦା, ଚୌଦ୍ୱାର ଟାଙ୍ଗୀରୁ ବିଧାରପୁର ପର୍ୟ୍ୟନ୍ତ ରାସ୍ତାରେ ପାଟ୍ରୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି।

Comments are closed.