ପ୍ରଥମ ଆରବୀୟ ଲେଖିକା ଭାବେ ଜୋଖାଙ୍କୁ ମ୍ୟାନ୍‌ ବୁକର ଆନ୍ତର୍ଜାତିକ ପୁରସ୍କାର

ଲଣ୍ଡନ: ଓମାନ୍‌ର ପ୍ରସିଦ୍ଧ ସାହିତ୍ୟିକା ଜୋଖା ଅଲ୍‌ ହାର୍ଥି ଚଳିତ ବର୍ଷର ସମ୍ମାନଜନକ ମ୍ୟାନ୍‌ ବୁକର ଆନ୍ତର୍ଜାତିକ ପୁରସ୍କାର ବିଜୟିନୀ ହୋଇଛନ୍ତି। ପ୍ରଥମ ଆରବୀୟ ଲେଖିକା ଭାବେ ସେ ‘ସେଲେଷ୍ଟିଆଲ ବଡିଜ୍‌’ ପୁସ୍ତକ ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପୁସ୍ତକରେ ସେ ଏକ ମରୁଭୂମି ଅଞ୍ଚଳର ତିନି ଭଉଣୀଙ୍କ ଜୀବନ କାହାଣୀକୁ ବର୍ଣ୍ଣନା କରିଛନ୍ତି। ଦାସତ୍ବ ମଧ୍ୟରେ ସେମାନେ କିପରି ଏକ କଳୁଷିତ ଆଧୁନିକ ବିଶ୍ବକୁ ତୁଳନା କରୁଛନ୍ତି ତାହା ହିଁ କାହାଣୀର ପ୍ରେକ୍ଷାପଟ। ଆରବ ଭାଷାରେ ଲିଖିତ ଏହି ପୁସ୍ତକକୁ ଇଂଲଣ୍ଡର ମାରିଲିନ୍‌ ବୁଥ୍‌ ଇଂରାଜୀ ଅନୁବାଦ କରିଛନ୍ତି। ଜୋଖା ପୁରସ୍କାର ବାବଦରେ ୫୦ହଜାର ପାଉଣ୍ଡ ବା ୬୪ ହଜାର ଆମେରିକୀୟ ଡଲାର ପାଇବାକୁ ଥିବାବେଳେ ଏହି ଅର୍ଥ ଦୁଇ ଜଣଙ୍କ ମଧ୍ୟରେ ସମାନ ଭାଗ ହେବ। ଗତ ବର୍ଷ ପୋଲାଣ୍ଡର ଓଲ୍‌ଗା ତୋକାର୍ସୁକ୍‌ ଏହି ପୁରସ୍କାର ଲାଭ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଇଂରାଜୀ ଉପନ୍ୟାସ ପାଇଁ ମ୍ୟାନ୍‌ ବୁକର ପୁରସ୍କାର ପ୍ରଦାନ କରାଯାଉଥିବାବେଳେ ଅନ୍ୟ ଭାଷାଭାଷୀ ପାଇଁ ମ୍ୟାନ ବୁକର ଆନ୍ତର୍ଜାତିକ ପୁରସ୍କାର ପ୍ରଦାନ କରାଯାଉଛି।

Comments are closed.