ଅସ୍ୱଭାବିକ ରୂପେ ବଢୁଛି ପେଟ ଓ କ୍ଷୀଣ ହେବାରେ ଲାଗିଛି ଶରୀର ; ଚିକିତ୍ସା ପାଇଁ ଆର୍ଥିକ ସହଯୋଗ ଲୋଡୁଛନ୍ତି ସୋମବାରୀ

ଯୋଡା : ପାଞ୍ଚ ବର୍ଷ ତଳେ ସ୍ୱାମୀ ରଘୁ ହାଇବ୍ରୁଙ୍କ କୌଣସି ଅଜଣା ଜ୍ୱରରେ ଅକାଳ ମୃତ୍ୟୁ ପରେ ନିଃସଙ୍ଗ ହୋଇପଡିଛି ଜୀବନ। ଜବାନ ଦୁଇ ପୁଅ ଅର୍ଜୁନ ହାଇବ୍ରୁ ଓ ମଙ୍ଗଲ ହାଇବ୍ରୁ ପେଟ ପାଟଣା ନିମନ୍ତେ ବାହାର ଗାଁରେ ରହି ଦିନ ମଜୁରିଆ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୈନିକ ସ୍ୱଳ୍ପ ରୋଜଗାର ସେମାନଙ୍କ ପେଟକୁ ମଧ୍ୟ ନିଅଣ୍ଟ। ଘରେ ଏକୁଟିଆ ଚଳପ୍ରଚଳ କରିବାକୁ ଅକ୍ଷମ ଥିବାରୁ ହରମଠ ଗ୍ରାମର ବାଇସାହିରେ ଜୈନିକା ସମ୍ପର୍କୀୟାଙ୍କ ଘରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି ଯୋଡା ବ୍ଲକ ବଲାଣୀ ପଞ୍ଚାୟତ ଅନ୍ତର୍ଗତ ହରମଠ ଗ୍ରାମର ଆଦିବାସୀ ବିଧବା ମହିଳା ସୋମବାରୀ ହାଇବ୍ରୁ। ମାସିକ ୫୦୦ ଟଙ୍କା ବିଧବା ଭତ୍ତା ବ୍ୟତୀତ ଆୟର କୌଣସି ପନ୍ଥା ନାହିଁ ସୋମବାରୀଙ୍କ ନିକଟରେ। ଅନେକବାର ଆବେଦନ କରିଲା ପରେ ମଧ୍ୟ ଅଦ୍ୟାବଧି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଅଛନ୍ତି ସମ୍ପୃକ୍ତ ଅସହାୟ ବିଧବା। ପ୍ରାୟ ଗୋଟିଏ ବର୍ଷ ପୂର୍ବେ କୌଣସି ଅଜଣା ରୋଗରେ ଉଦରଟି ଅସ୍ୱଭାବିକ ରୂପେ ବୃଦ୍ଧି ପାଉଥିବା ସମୟରେ ସମାନୁପାତରେ ଶରୀରଟି କ୍ଷୀଣ ହେବାରେ ଲାଗିଥିବାରୁ ଏହି ନିରାଶ୍ରୟା ମହିଳାଙ୍କ ଦୁଃଖ ଓ ଚିନ୍ତା ଦ୍ୱିଗୁଣିତ ହୋଇଛି। ମାସରେ ଥରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାରେ ଗାଁକୁ ଆସୁଥିବା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସକ ରୋଗର କାରଣ ବଷୟରେ ମଧ୍ୟ ଜାଣିପାରୁ ନାହାନ୍ତି। ତେବେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା କରିବାକୁ ବାସୁଦେବପୁର ଚିକିତ୍ସକ ପରାମର୍ଶ ଦେଇଥିଲେ ମଧ୍ୟ ଅର୍ଥ ଓ ସାଧନ ଅଭାବରୁ ସୋମବାରୀ କେନ୍ଦୁଝରରେ ମଧ୍ୟ ପହଞ୍ଚିବାକୁ ଅସମର୍ଥ ବୋଲି ତାଙ୍କ ଅସହାୟତା ପ୍ରକାଶ କରିଛନ୍ତି। ଭରପୁର ପ୍ରାକୃତିକ ସମ୍ପଦ ସହ ଖଣି ଖାଦାନ ପ୍ରବଣ ଓ ଶିଳ୍ପ ଉନ୍ମୁଖ ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ପ୍ରଭାବିତ ଇଲାକାରେ ଆଦୀମ ଅଧିବାସୀଙ୍କ ଏଭଳି ସାମାଜିକ ଓ ଆର୍ôଥକ ଦୁର୍ଗତି ରାଜ୍ୟ ଅମଲାତନ୍ତ୍ର ଓ ଜିଲା ପ୍ରଶାସନର ପାରିଲାପଣ ଉପରେ ସନ୍ଦେହ ସୃଷ୍ଟି କରିଛି।

Comments are closed.