ଯୋଡା ଖଣି ଉପନିର୍ଦ୍ଦେଶାଳୟରେ ନୂତନ ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ଯୋଡା : ଚଳିତ ମାସ ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ୧୯ଟି ଖଣି ସମେତ ରାଜ୍ୟର ଅନ୍ୟାନ୍ୟ ଖଣି ମଣ୍ଡଳରେ ଇ-ନିଲାମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା ପରିପ୍ରେକ୍ଷୀରେ ଏହାର କାର୍ଯ୍ୟ ପରିସୀମା ଓ ଦାୟିତ୍ୱ ବୋଝକୁ ଦୃଷ୍ଟିରେ ରଖି ସରକାର ଯୋଡା ଖଣି ଉପନିର୍ଦ୍ଦେଶକ ପଦବୀକୁ ଉନ୍ନିତ କରି ଅସ୍ଥାୟୀ ଖଣି ଯୁଗ୍ମ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସଲିଲ କୁମାର ବେହେରା ଶୁକ୍ରବାର ପୂର୍ବାହ୍ନରେ ଯୋଡା ଖଣି ମଣ୍ଡଳର ଯୁଗ୍ମ ଖଣି ନିର୍ଦ୍ଦେଶକ ରୂପେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ଶ୍ରୀ ବେହେରା ଏଥି ପୂର୍ବରୁ ୨୦୧୩ ରୁ ୨୦୧୫ ପର୍ଯ୍ୟନ୍ତ ଯୋଡା ଖଣି କାର୍ଯ୍ୟାଳୟରେ ମାଇନିଂ ଅଫିସର ଦାୟିତ୍ୱ ନିର୍ବାହ କରିଥିବା ସମୟରେ ୨୦୧୫ରୁ ଅଦ୍ୟାବଧି କୋଇଡା ଖଣି ଉପନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ହୋଇ ସୂଚାରୁ ରୂପେ ତାଙ୍କ ଦାୟିତ୍ୱ ସମ୍ପନ୍ନ କରିଥିବାର ଖବର ମିଳିଛି। ଯୋଡା କାର୍ଯ୍ୟକାଳ ସମୟରେ ସ୍ୱଚ୍ଛ ଓ ଚାପ ରହିତ ଖଣି ପରିଚାଳନା ଉପରେ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିବା ସମୟରେ ତାଙ୍କର କୋଇଡା ଖଣି ଉପନିର୍ଦ୍ଦେଶକ ଅବଧିରେ ଖଣି ଅଞ୍ଚଳ ପାରିପାର୍ଶ୍ବିକ ଉନ୍ନୟନ ଓ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ଉନ୍ନତି କଳ୍ପେ ଖଣି ମାଲିକଙ୍କ ନିକଟରୁ ସଂଗୃହୀତ ଜିଲା ଖଣିଜ ପାଣ୍ଠି ଅର୍ଥର ସୁବିନିଯୋଗକୁ ଅଗ୍ରାଧିକାର ପ୍ରଦାନ କରିଥିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଇ-ନିଲାମ ପ୍ରକ୍ରିୟା କାରଣରୁ ଅତିରିକ୍ତ ଦାୟିତ୍ୱ ସହ ଉପରୋକ୍ତ କାର୍ଯ୍ୟଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ଯୋଡା ଠାରେ କାର୍ଯ୍ୟ କରାଯିବ ବୋଲି ଶ୍ରୀ ବେହେରା ଦାୟିତ୍ୱ ଗ୍ରହଣ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କେନ୍ଦୁଝର ଜିଲା ଖଣିଜ ପାଣ୍ଠିରେ ଚଳିତ ଜାନୁଆରୀ ଶେଷ ସୁଦ୍ଧା ଗଚ୍ଛିତ ଥିବା ୩୮୪୫ କୋଟି ୧୬ ଲକ୍ଷ ୯୯ ହଜାର ୫୦ ଟଙ୍କା ଅର୍ଥ ଖଣି ପାରିପାର୍ଶ୍ବିକ ଓ ଖଣି ପ୍ରଭାବିତ କ୍ଷେତ୍ରରେ କିପରି ସୁବିନିଯୋଗ କରାଯିବ ତାହା ଉପରେ ମୁଁ ପ୍ରାଥମିକତା ପ୍ରଦାନ କରିବି ବୋଲି ଶ୍ରୀ ବେହେରା ଏହି ଅବସରରେ ପ୍ରକାଶ କରିଥିଲେ। ଇ-ନିଲାମ ପରେ ଖଣିରୁ ଖଣିଜ ପରିବହନ ସରକାରୀ ନିୟମ ମୁତାବକ କରାଯିବା ସହ ୨୦୧୫ ପୂର୍ବରୁ କାର୍ଯ୍ୟକାରୀ ଖଣିରୁ ଖଣି ରାଜସ୍ୱର ୩୦ ପ୍ରତିଶତ ଓ ୨୦୧୫ ପରେ ଖଣି ରାଜସ୍ୱର ୧୦ ପ୍ରତିଶତ ଜିଲା ଖଣିଜ ଫାଣ୍ଠିରେ ସଂଗୃହୀତ ନିମନ୍ତେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଖଣି ଚୋରି ରୋକିବା ନିମନ୍ତେ ପୂର୍ବ ଅପେକ୍ଷା ନିୟମ ଓ ଯାଞ୍ଚ କଡାକଡି କରାଯିବା ସମ୍ବନ୍ଧରେ ମଧ୍ୟ ଶ୍ରୀ ବେହେରା ଏହି ଅବସରରେ ସୂଚନା ଦେଇଥିଲେ। ମାର୍ଚ୍ଚ ୩୧ ପରେ ଇ-ନିଲାମ ପ୍ରକ୍ରିୟା ପରବର୍ତ୍ତି ଅବସ୍ଥାରେ ସରକାରୀ ନିର୍ଦ୍ଦେଶ ମୁତାବକ ଖଣି ପରିଚାଳନା ସମ୍ବନେ୍ଧ ସେ ସୂଚନା ପ୍ରଦାନ କରିଥିବା ସମୟରେ କାର୍ଯ୍ୟ ବୋଝ ଦୃଷ୍ଟିରୁ ଅଧିକ କର୍ମଚାରୀ ଆବଶ୍ୟକତା ସମ୍ବନ୍ଧେ ପରୋକ୍ଷରେ ସୂଚନା ଦେଇଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଏଥି ପୂର୍ବରୁ ଯୋଡା ଖଣି ଉପନିର୍ଦ୍ଦେଶକ ଦାୟିତ୍ୱରେ ଥିବା ମାଇନିଂ ଅଫିସର ଲକ୍ଷ୍ମୀଧର ନାଏକ ଶୁକ୍ରବାର କୋଇଡା ଖଣି ଉପନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବାର ଖବର ମିଳିଛି।

Comments are closed.