କରୋନା ସଙ୍କଟ : ଚାକିରି ଭବିଷ୍ୟତକୁ ନେଇ ୮୬% ଭାରତୀୟ ଚିନ୍ତିତ

ନୂଆଦିଲ୍ଲୀ: କରୋନା ସାରା ବିଶ୍ବର ଅର୍ଥବ୍ୟବସ୍ଥାକୁ କବଳିତ କରିଛି । ବିଭିନ୍ନ ଦେଶର ଅଭିବୃଦ୍ଧି ଶୂନକୁ ଖସି ଆସିଛି । ଅର୍ଥବ୍ୟବସ୍ଥା ଟଳମଳ । ୟୁରୋପ ଓ ଆମେରିକାରେ ଲକ୍ଷଲକ୍ଷ ଲୋକ ଚାକିରି ହରାଇଛନ୍ତି । ଏଥିରୁ ବର୍ତି ପାରିନାହିଁ ଭାରତ । ବ୍ରିଟେନର ଏକ ଘରୋଇ ସଂସ୍ଥାର ସର୍ଭେ ଅନୁସାରେ ଭାରତର ୮୬% ଚାକିରିଜୀବୀ ସେମାନଙ୍କ ଚାକିରିକୁ ନେଇ ବିଷଣ୍ଣ । ଚାକିରି ହରାଇବାର ଭୟ ସେମାନଙ୍କୁ ଗ୍ରାସ କରିଛି ।

ବ୍ରିଟିଶ ସଂସ୍ଥା କ୍ରାସଭି ଟେକ୍ସଟର ଗ୍ରୁପ ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣ ଅନୁସାରେ କୋବିଦ-୧୯ ମହାମାରୀ ଯୋଗୁଁ ଭାରତୀୟ ଲୋକ ନିଜ ଜୀବନ ଜୀବିକାକୁ ନେଇ ବଡ଼ ଚିନ୍ତିତ ଅଛନ୍ତି । ସର୍ଭେରେ ସାମିଲ ହୋଇଥିବା ୮୪% ଲୋକଙ୍କ ଅନୁସାରେ ଏହି ମହାମାରୀ ପ୍ରଥମେ ଯେପରି ସରଳ ଲାଗୁଥିଲା ତାହା ଏତେ ସରଳ ନୁହେଁ, ପ୍ରଥମ ଅବସ୍ଥା ପରଠାରୁ ଏହା ଦୃତ ବେଗରେ ବଢ଼ିବାରେ ଲାଗିଛି । ୟୁରୋପ ଓ ଆମେରିକୀୟ ଲୋକମାନେ କରୋନାକୁ ନେଇ ଚିନ୍ତିତ ଥିବାବେଳେ ହଂକଂର ଲୋକମାନେ ମହାମାରୀ କ୍ରମଶଃ ନିୟନ୍ତ୍ରିତ ହୋଇଛି ବୋଲି ମନେ କରୁଛନ୍ତି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତର ୮୬% ଲୋକ ନିଜ ବୃତ୍ତି (ଚାକିରି)କୁ ନେଇ ଚିନ୍ତିତ ଥିବାବେଳେ ବ୍ରିଟେନରେ ୩୧%, ଅଷ୍ଟ୍ରେଲିଆରେ ୩୩%, ଆମେରିକାରେ ୪୧% ଓ ହଂକଂରେ ୭୧% ନିଜ ଚାକିରିର ଭବିଷ୍ୟତକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏହା ସତ୍ବେ ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୮୪% ଭାରତ ସରକାରଙ୍କ କାର୍ଯ୍ୟରେ ସନ୍ତୋଷବ୍ୟକ୍ତ କରିଛନ୍ତି । ମୋଦୀ ସରକାର ଯେପରି ମହାମାରୀ ନିୟନ୍ତ୍ରଣ ନିମନ୍ତେ କାର୍ଯ୍ୟ କରୁଛି ତାହା ସନ୍ତୋଷଜନକ ବୋଲି ସେମାନେ କହିଛନ୍ତି । ଅନ୍ୟପକ୍ଷରେ ଆମେରିକାରେ ୪୩%, ବ୍ରିଟେନରେ ୫୬%, ଅଷ୍ଟ୍ରେଲିଆରେ ୭୧% ଓ ହଂକଂରେ ୫୩% ଲୋକ ମହାମାରୀ ନିୟନ୍ତ୍ରଣରେ ନିଜ ଦେଶର ସରକାର କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ବ୍ରିଟିଶ୍ ସଂସ୍ଥା ୨୩ ଏପ୍ରିଲରୁ ୨୭ ଏପ୍ରିଲ ମଧ୍ୟରେ ଭାରତ, ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ ଓ ହଂକଂରେ ସର୍ଭେ କରିଥିଲା ।

Comments are closed.