ଚାକିରି ନାଁରେ ଠକେଇ ଅଭିଯୋଗ ; ଏସପିଙ୍କ ଦ୍ଵାରସ୍ଥ ହେଲେ ଶତାଧିକ ଯୁବକ

ବ୍ରହ୍ମପୁର : ସିଙ୍ଗାପୁରରେ ବିଭିନ୍ନ କମ୍ପାନୀରେ ଚାକିରି କରାଇଦେବାକୁ କହି ବ୍ରହ୍ମପୁରର ଜଣେ ଦଲାଲ ଶତାଧିକ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଭୁଲ୍ ଭିସା ଓ ଫ୍ଲାଇଟ ଟିକଟ ଧରାଇ ଦେଇ ଦଲାଲ ଜଣଙ୍କ ଫେରାର ହୋଇଯାଇଛି । ଠକେଇର ଶିକାର ଯୁବକମାନେ ଆଜି ବ୍ରହ୍ମପୁର ଏସପିଙ୍କୁ ଭେଟି ସଂପୃକ୍ତ ଦଲାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଓଡିଶାର ଗଞ୍ଜାମ ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ୪ ଶହରୁ ଉର୍ଦ୍ଧ୍ବ ବେକାରୀ ଶିକ୍ଷିତ ଯୁବକ ବ୍ରହ୍ମପୁର ଉପକଣ୍ଠ ଭାବିନିପୁରର ଜଣେ ଦଲାଲଙ୍କ ସମ୍ପର୍କରେ ଆସିଥିଲେ । ସିଙ୍ଗାପୁରରେ ଚାକିରି କରିବା ଆଶାରେ ସଂପୃକ୍ତ ଦଲାଲଙ୍କୁ ସମସ୍ତେ ୩୦ ହଜାର ଟଙ୍କା ଲେଖାଏଁ ଦେଇଥିଲେ । କିଛିଦିନ ତଳେ ଦଲାଲ ଜଣଙ୍କ ସମସ୍ତ ଯୁବକଙ୍କୁ ଚେନ୍ନାଇ ନେଇ ସେଠାରେ ସାକ୍ଷାତକାର ସହ ମେଡିକାଲ ଟେଷ୍ଟ ମଧ୍ୟ କରାଇଥିଲା । ହେଲେ ଯେଉଁଦିନ ଯୁବକମାନେ ସିଙ୍ଗାପୁର ଯିବାକୁଥିଲା ସେହିଦିନ ଦଲାଲଙ୍କ ଆଉ ଦେଖାମିଳିନଥିଲା । ସେମାନଙ୍କୁ ମିଳିଥିବା ଫ୍ଲାଇଟ ଟିକଟ ନକଲି ବୋଲି ଜଣାପଡିଥିଲା । ଫଳରେ ଶତାଧିକ ଯୁବକଙ୍କୁ ଚେନ୍ନାଇ ଏୟାରପୋର୍ଟରୁ ଘରକୁ ଫେରିବାକୁ ପଡିଥିଲା ।

Comments are closed.