କମ୍ ଓଜନ କାରଣରୁ ମିଳିଥାଏ ଚାକିରି !

ବର୍ତ୍ତମାନ କୋଭିଡ୍ କାରଣରୁ ବିମାନ ଯାତ୍ରୀଙ୍କ ସଂଖ୍ୟା ଅପେକ୍ଷାକୃତ ହ୍ରାସ ପାଇଛି। ନଚେତ୍ ଗତ କିଛି ବର୍ଷ ମଧ୍ୟରେ ବିମାନ ଟିକଟ୍ ଭଡ଼ା ହ୍ରାସ ପାଇବା କାରଣରୁ ବିଭିନ୍ନ ବର୍ଗର ଲୋକ ରୀତିମତ ଉଡ଼ାଜାହାଜରେ ଯା’ଆସ କରୁଥିଲେ। ବିମାନରେ ପ୍ରବେଶ ଦ୍ବାରରେ ପରିଚାରିକାଙ୍କ ସ୍ମିିତହାସ୍ୟରେ ସ୍ବାଗତ ଓ ପରେ ସେମାନଙ୍କ ଔପଚାରିକତା ପ୍ରକୃତରେ ଖୁବ୍ ପ୍ରଶଂସନୀୟ। ଅଧିକାଂଶ ଏୟାରଲାଇନ୍ସ ସଂସ୍ଥା ବିମାନ ପରିଚାରିକ ଭାବେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଚାକିରି ଦେବାକୁ ଅଗ୍ରାଧିକାର ଦେଇଥାଏ। ଏହା ପଛରେ ଯଥାର୍ଥ କାରଣ ରହିଥିବାବେଳେ ଜଣେ ସାଧାରଣ ଲୋକ ପ୍ରଥମେ ଭାବିବ, ବୋଧହୁଏ ମହିଳାଙ୍କ ସୌନ୍ଦର୍ଯ୍ୟ କାରଣରୁ ସେମାନଙ୍କୁ ପରିଚାରିକା ଭାବେ ସୁଯୋଗ ମିଳେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ନିଜ ବ୍ୟାବସାୟିକ ବୁଦ୍ଧିକୁ ଏଥିରେ ପ୍ରୟୋଗ କରିଥାନ୍ତି। ଏୟାରଲାଇନ୍ସ କମ୍ପାନୀ ଏହି ଜରିଆରେ କୋଟିକୋଟି ଟଙ୍କା କ୍ଷତିରୁ ବର୍ତ୍ତିଯାଉଥିବାର ଜଣାପଡ଼ିଛି। ବିମାନ ପରିଚାରକ ଦାୟିତ୍ବରେ ବ୍ୟକ୍ତିର ସ୍ବଭାବ, ବ୍ୟବହାର, କଥାକହିବାର ଶୈଳୀକୁ ପ୍ରାଥମିକତା ଦିଆଯାଉଥିବାବେଳେ ଶରୀରର ଓଜନ ମଧ୍ୟ କମ୍ ରହିବା ଜରୁରୀ। ସମାନ ବୟସର ପୁରୁଷ ଓ ମହିଳାଙ୍କ ଓଜନକୁ ଦେଖିଲେ ଜଣାପଡ଼େ, ମହିଳାମାନେ ପୁରୁଷଙ୍କ ତୁଳନାରେ ୧୦-୧୫କିଲୋ ଓଜନ କମ୍। ମହିଳା ପରିଚାରକଙ୍କ ଓଜନ କମ୍ କାରଣରୁ ବିମାନ ଯାତ୍ରାରେ ବାର୍ଷିକ ୩୦କୋଟି ଟଙ୍କା ଏୟାରଲାଇନ୍ସ ସଂସ୍ଥାର ସଞ୍ଚୟ ହୋଇଥାଏ। ଏଭଳି ସ୍ଥିତିରେ ପୁରୁଷଙ୍କୁ ଚାକିରିରେ ରଖି ଅବା କ୍ଷତି ସହିବାକୁ କେଉଁ କମ୍ପାନୀ ଚାହିଁବ? ଏହା ପ୍ରମୁଖ କାରଣ ଯେ ବିମାନ ପରିଚାରିକା ନିମନ୍ତେ ତନୁପାତଳୀ ଯୁବତୀଙ୍କୁ ପ୍ରଥମ ଅଗ୍ରାଧିକାର ଦିଆଯାଏ।

Comments are closed.