ଅଶାନ୍ତ ଜେଏନ୍‌ୟୁ : ଛାତ୍ରଛାତ୍ରୀଙ୍କୁ ଦିଗ୍‍ଭ୍ରଷ୍ଟ କରା ନଯାଉ

ଶିକ୍ଷାନୁଷ୍ଠାନଗୁଡ଼ିକ ଜ୍ଞାନର ମନ୍ଦିର ଭାବେ ସ୍ୱତନ୍ତ୍ର ମର୍ଯ୍ୟାଦା ଓ ଗରିମାର ଅଧିକାରୀ। ମହାନ୍‍ ଭାରତୀୟ ପରମ୍ପରା ଓ ସଂସ୍କୃତିର ପୃଷ୍ଠଭୂମିରେ ଏହି ମର୍ଯ୍ୟାଦା ଓ ଗରିମା ଆହୁରି ଗୁରୁତ୍ୱ ବହନ କରେ। ଏଭଳି ପବିତ୍ର ସ୍ଥାନ ହିଂସାପ୍ରଣୋଦିତ ଉଚ୍ଚାରଣ ଓ ଆଚରଣଠାରୁ ଅନେକ ଦୂରରେ, କିନ୍ତୁ ସମଗ୍ର ଜଗତ ଓ ମାନବ ସମାଜକୁ ଜ୍ଞାନାଲୋକ ଜରିଆରେ ଶାନ୍ତି, ପ୍ରଗତି ଓ ସମୃଦ୍ଧିର ରାସ୍ତା ଦେଖାଉଥିବା ଶିକ୍ଷାନୁଷ୍ଠାନରେ ଯଦି ରାଜନୀତିର ଛାଇ ପଡ଼େ ତେବେ ତାହାର ବାତାବରଣ ଅଶାନ୍ତ ଓ ଲକ୍ଷ୍ୟ ଦିଗ୍‍ଭ୍ରଷ୍ଟ ହେବାର ଆଶଙ୍କା ଅଧିକ ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି ଦେଶର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଥିବା ଦିଲ୍ଲୀ ଜବାହର ଲାଲ୍‍ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‍ୟୁ)ରେ।
ଗତ କିଛିବର୍ଷ ହେଲା ଏହି ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅଶାନ୍ତି ଲାଗି ରହିଥିବା ଦେଖାଯାଉଛି। ସ୍ୱାଧୀନ ମତ ପ୍ରକାଶର ଅଧିକାର, ଗଠନମୂଳକ ସମାଲୋଚନା ଓ ସଚେତନଧର୍ମୀ ତର୍କ-ବିତର୍କ ଆଳରେ ଜେଏନ୍‍ୟରୁ ବିଭିନ୍ନ ସମୟରେ ଉଠୁଥିବା ସ୍ୱର ଯଦି ଜ୍ଞାନ ଆହରଣ ଓ ଗବେଷଣାରେ ସୀମିତ ରହୁଥାନ୍ତା ତେବେ ତାହା ସମସ୍ତଙ୍କ ପକ୍ଷେ ହିତକର ହୁଅନ୍ତା, କିନ୍ତୁ ପ୍ରାୟତଃ ଏହା ପଛରେ ଏକ ରାଜନୈତିକ ସ୍ୱାର୍ଥ ଓ ନିର୍ଦିଷ୍ଟ ଆଦର୍ଶ/ବିଚାରଗତ ଉଦ୍ଦେଶ୍ୟ ରହୁଥିବା ଲକ୍ଷ୍ୟ କରଯାଉଛି। ଏହାକୁ ନେଇ ପରବର୍ତ୍ତୀ ସମୟରେ ରାଜନୈତିକୀକରଣ ଓ ସେଥିରୁ ଉତ୍ତେଜନା/ହିଂସା ସୃଷ୍ଟି ହେଉଛି।
ତିନି ବର୍ଷ ତଳେ ଜେଏନ୍‍ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ରାଷ୍ଟ୍ରଦ୍ରୋହ ଅପରାଧରେ ଗିରଫ କରାଯିବା ପରେ ଉତ୍ତେଜନା କ୍ରମଶଃ କୁହୁଳିବାରେ ଲାଗିଛି। ଗତ କିଛି ଦିନ ହେଲା ଫି’ ବୃଦ୍ଧି, ଡ୍ରେସ୍‍ କୋଡ୍‍ ଓ ଅନ୍ୟାନ୍ୟ କଟକଣାକୁ ବିରୋଧ କରି ଜେଏନ୍‍ୟୁ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ବିବାଦ ଓ ଅଶାନ୍ତି ଥମି ନଥିବାବେଳେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିଶ୍ୱବିଦ୍ୟାଳୟ ପରିସର ପୁଣି ଥରେ ଅଶାନ୍ତ ହୋଇଛି। ଗତ ରବିବାର ଦିନ ଏହି ଉତ୍ତେଜନା/ହିଂସା ଚରମ ରୂପ ନେଇଛି। କେତେକ ମୁଖା ପିନ୍ଧା ଆତତାୟୀ ଜେଏନ୍‍ୟୁ ଛାତ୍ରାବାସରେ ପଶି ଆକ୍ରମଣ କରିଛନ୍ତି। ଆକ୍ରମଣରୁ ଛାତ୍ରୀ ଓ ଅଧ୍ୟାପକମାନେ ମଧ୍ୟ ବର୍ତ୍ତି ନାହାନ୍ତି। ଏଭଳି ଅଚାନକ ଆକ୍ରମଣରେ ଛାତ୍ରସଂସଦ ସଭାନେତ୍ରୀଙ୍କ ସମେତ ଶତାଧିକ ଆହତ ହୋଇଥିବା ବେଳେ ପ୍ରାୟ ୩୪ ଜଣ ଗୁରୁତର ହୋଇ ଏମ୍ସରେ ଚିକିତ୍ସିତ ହୋଇଛନ୍ତି। ସେମାନେ ଏବେ ବିପଦମୁକ୍ତ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନେ ଯେ ପୁଣି ଆକ୍ରମଣର ଶିକାର ନ ହେବେ ତାହା ନିଶ୍ଚିତ କରିହେଉନାହିଁ। ବିଡ଼ମ୍ବନା ହେଉଛି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜେଏନ୍‍ୟୁରେ ମୁତୟନ ସୁରକ୍ଷା କର୍ମୀ ଏହି ଆକ୍ରମଣ ସମୟରେ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ତେଣୁ ଜେଏନ୍‍ୟୁ ଛାତ୍ରଛାତ୍ରୀ ଆକ୍ରମଣକୁ ସୁରକ୍ଷା କର୍ମୀଙ୍କ ଜାଣତରେ ଏକ ପ୍ରାୟୋଜିତ ଆତଙ୍କରାଜ ବୋଲି ବିରୋଧୀଦଳ ଅଭିହିତ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦିଆଯାଇଛି।
ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଏବଂ ଯେଉଁମାନେ ସମ୍ପୃକ୍ତ ତାହା ତଦନ୍ତ ପରେ ସାମ୍ନାକୁ ଆସିବ କି ନାହିଁ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ତାହା ଭିନ୍ନ ପ୍ରଶ୍ନ, କିନ୍ତୁ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆକ୍ରମଣରେ ସାମିଲ୍‍ ଥିବା କିଛି ଯୁବକଙ୍କୁ ଏକ ନିର୍ଦିଷ୍ଟ ରାଜନୈତିକ ଗୋଷ୍ଠୀର ବୋଲି ଚିହ୍ନଟ କରାଯାଇଛି। ଯଦି ଏହା ସତ ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼େ ତେବେ ସମସ୍ୟା ଆହୁରି ଜଟିଳ ହୋଇପାରେ। ଘଟଣା ପଛରେ ଯିଏ ବି ସାମିଲ୍‍ ଥାଆନ୍ତୁ ନା କାହିଁକି ଉପରୋକ୍ତ ନିନ୍ଦନୀୟ ଆକ୍ରମଣ ପଛରେ ରାଜନୀତିର ଗନ୍ଧ ଥିବା ଜଣାପଡ଼ୁଛି। ଶିକ୍ଷାନୁଷ୍ଠାନ ଓ ଛାତ୍ରାବାସ/ଛାତ୍ରୀନିବାସରେ ଆକ୍ରମଣର ପ୍ରତିବାଦ ସ୍ୱର ଦେଶର ସୀମା ସରହଦ ଡେଇଁ ବିଦେଶରେ ପହଞ୍ଚିଛି। ବିଶ୍ୱର ଏକାଧିକ ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଜେଏନ୍‍ୟୁ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆହତ ଛାତ୍ରଛାତ୍ରୀଙ୍କ ପାଇଁ ସମବେଦନା ଜ୍ଞାପନ କରିଛନ୍ତି। ଏହା ନିଶ୍ଚିତ ଭାବେ କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିପାରେ। ତେଣୁ ଏଭଳି ଅଶୋଭନୀୟ ଓ ଅସ୍ପୃହଣୀୟ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାର କର୍ତ୍ତବ୍ୟ ଓ ଦାୟିତ୍ୱରୁ କେନ୍ଦ୍ର ସରକାର ଓହରିବା ଉଚିତ ହେବ ନାହିଁ।
ସାମ୍ପ୍ରତିକ ଅସ୍ଥିର ଅର୍ଥନୀତି ଓ ଜଳବାୟୁ ପରିବର୍ତ୍ତନର ପୃଷ୍ଠଭୂମିରେ ବିଶ୍ୱ ଆଗରେ ଯେଉଁ ଆହ୍ୱାନ ସୃଷ୍ଟି ହୋଇଛି ତାକୁ ମୁକାବିଲା କରିବାର ଶକ୍ତି କେବଳ ଛାତ୍ର ଓ ଯୁବସମାଜ ପାଖରେ ହିଁ ରହିଛି। ତେଣୁ ଅଯଥା ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଏହି ବିଶାଳ ଯୁବଶକ୍ତିକୁ ଦିଗ୍‍ଭ୍ରଷ୍ଟ କରାଯିବା ଦୂରଦର୍ଶିତାର ପରିପନ୍ଥୀ। ରାଷ୍ଟ୍ରନାୟକ ଓ ନୀତିନିର୍ଦ୍ଧାରକମାନେ ଏ ଦିଗରେ ଗଭୀର ଭାବେ ଚିନ୍ତା କରିବା ଉଚିତ। ଛାତ୍ର ଅଶାନ୍ତି ଉଗ୍ର ରୂୂପ ନେବା ପରେ ଓଡ଼ିଶା ସରକାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ଛାତ୍ରସଂସଦ ନିର୍ବାଚନ ବାତିଲ୍‍ କରି ଆସୁଛନ୍ତି। ଯଦି ଛାତ୍ର ରାଜନୀତି ଓ ଛାତ୍ର ଅଶାନ୍ତି ଭିତରୁ ଗୋଟିକୁ ବାଛିବାକୁ ପଡ଼େ ତେବେ ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ରଖିବା ବୁଦ୍ଧିମାନର କାର୍ଯ୍ୟ ବୋଲି କହିବାକୁ ହେବ। ଛାତ୍ର ରାଜନୀତି ସହିତ ଅଶାନ୍ତିର ସମ୍ପୃକ୍ତି ବଢ଼ି ଚାଲିଲେ ସମଗ୍ର ଦେଶରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍‍ କରିବା ପରି କଠୋର ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାର କିମ୍ବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ କିମ୍ବା ସୁପ୍ରିମକୋର୍ଟ ବାଧ୍ୟ ହୋଇପାରନ୍ତି। ତେଣୁ ଛାତ୍ର ରାଜନୀତି ଆଳରେ ଛାତ୍ର ଅଶାନ୍ତିକୁ ପ୍ରୋତ୍ସାହନ ଦିଆ ନ ଯାଉ। କାରଣ ସେମାନେ ହିଁ ଦେଶର ଭବିଷ୍ୟ ନୀତି ନିର୍ଦ୍ଧାରକ।

Comments are closed.