ଜେଏନ୍‌ୟୁ ହିଂସାର ତଦନ୍ତ ଆରମ୍ଭ : ଲୋକଙ୍କଠାରୁ ତଥ୍ୟ ମାଗିଲା ପୁଲିସ

  • ଡିଏନ୍‌ଏ ନମୁନା ସଂଗ୍ରହ କଲା ଫରେନସିକ୍ ଦଳ
  • କୁଳପତିଙ୍କ ବହିଷ୍କାର ଦାବି କଲେ ​ୟେଚୁରୀ
  • ସ୍ଥିତି ସ୍ବାଭାବିକ କରିବାକୁ କୁଳପତିଙ୍କ ନିବେଦନ
  •  ଅହମଦାବାଦରେ ଏବିଭିପି-ଏନ୍‌ଏସୟୁଆଇ ସଂଘର୍ଷ
  •  ଛାତ୍ରସଂଘ ସଭାପତିଙ୍କ ବିରୋଧରେ ୨ ମାମଲା

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରେ ହୋଇଥିବା ଛାତ୍ର ସଂଘର୍ଷ ଘଟଣାର ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଦଳ ଓ ବିଭିନ୍ନ ଫରେନସିକ୍‌ ଦଳ ଜେଏନୟୁ ପରିସରରେ ପହଞ୍ଚି ମଙ୍ଗଳବାର ତଦନ୍ତ ଆରମ୍ଭ କରିଛନ୍ତି। ଜୟ ତିର୍କୀଙ୍କ ନେତୃତ୍ବରେ କ୍ରାଇମ ବ୍ରାଞ୍ଚଳର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରାଯାଇଛି। ସେହିପରି ଯୁଗ୍ମ କମିସନର (ପଶ୍ଚିମ ରେଞ୍ଜ)ର ସାଲିନି ସିଂହଙ୍କ ନେତୃତ୍ବ ତଥ୍ୟ ଅନୁସନ୍ଧାନକାରୀ କମିଟି ଜେଏନୟୁ ପରିସର ପରିଦର୍ଶନ ସହିତ ଛାତ୍ର ଓ ଶିକ୍ଷକଙ୍କ ସହିତ କଥା ହୋଇଛନ୍ତି। ପୁଲିସ କହିଛି ଯେ ଜେଏନୟୁ ହିଂସା ସମ୍ପର୍କରେ ଯାହା ପାଖରେ କୌଣସି ତଥ୍ୟ ରହିଛି କିମ୍ବା ମୋବାଇଲ ବା କ୍ୟାମେରାରେ ଫଟୋ ଓ ଭିଡିଓ ରହିଛି ସେମାନେ ଏହାକୁ ଉପସ୍ଥାପନ କରିପାରିବେ। ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଘଟଣାର ଫଟୋ, ଭିଡିଓ, ତଥ୍ୟ ଓ ବୟାନ ପ୍ରଶାସନିକ ବ୍ଲକର ଏସଆଇଟି ନିକଟରେ ଦେଇପାରିବେ ବୋଲି ପୁଲିସ କହିଛି। ସେହିପରି ହ୍ବାଟ୍ସଆପ ସ୍କ୍ରିନସଟ୍ ଆଧାରରେ ମୋବାଇଲ ନମ୍ବରକୁ ଚିହ୍ନଟ କରାଯାଇଛି। ଏହିସବୁ ମୋବାଇଲ ନମ୍ବର ଏମେ ସୁଇଚ ଅପ୍‌ ରହିଛି। ହିଂସା ସମୟରେ ଏହି ମୋବାଇଲ ନମ୍ବରର ଉପସ୍ଥିତି କେଉଁଠାରେ ଥିଲା ତାହା ସିଡିଆର ଆଧାରରେ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପୁଲିସ କହିଛି।

ଫରେନସିକ୍‌ ବିଭାଗର ଫିଜିକ୍ସ, କେମେଷ୍ଟ୍ରି ଓ ବାୟୋଲୋଜି ଡିଭିଜନ ବିଶ୍ବବିଦ୍ୟାଳୟ ପରିସରରୁ ତଥ୍ୟ ଓ ନମୁନା ସଂଗ୍ରହ କରିଛନ୍ତି। ଫିଜିକ୍ସ ଟିମ୍‌ ଆକ୍ରମଣକାରୀମାନେ ବ୍ୟବହାର କରିଥିବା ପଥର, ଲୁହା ରଡ ଆଦି ସଂଗ୍ରହ କରିଥିବାବେଳେ କେମେଷ୍ଟି ଦଳ ରସାୟନିକ ନମୁନା ଓ ବାୟୋଲୋଜି ଦଳ ଡିଏନଏ ନମୁନା ସଂଗ୍ରହ କରିଛି। ସେହିପରି ଫରେନସିକ୍ ବିଭାଗରେ ଫଟୋ ଉଠାଳି ଦଳ ବିଭିନ୍ନ ସ୍ଥାନରୁ ଫଟୋ ସଂଗ୍ରହ କରିଛନ୍ତି। ସିସିଟିଭି ଫୁଟେଜକୁ ଅନୁଧ୍ୟାନ ଲାଗି ଦିଲ୍ଲୀ ପୁଲିସ ଫରେନସିକ ବିଭାଗର କମ୍ପୁଟର ଟିମ୍‌କୁ ପଠାଇବା ଲାଗି ଅନୁରୋଧ କରିଛି। ଅନ୍ୟପଟେ ବିଶ୍ବବିଦ୍ୟାଳୟର ସର୍ଭର କୋଠାରୀରେ ଭଙ୍ଗାରୁଜା ଅଭିଯୋଗରେ ଦିଲ୍ଲୀ ପୁଲିସ ଜେଏନୟୁ ଛାତ୍ର ସଂସଦ (ଜେଏନୟୁଏସୟୁ) ସଭାପତି ଐଶେ ଘୋଷ ଓ ଅନ୍ୟ ୧୯ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଛି। ହିଂସା ପୂର୍ବଦିନ ଜାନୁଆରୀ ୪ ଓ ୩ ତାରିଖରେ ଐଶେ ଓ ଅନ୍ୟମାନେ ସୁରକ୍ଷାକର୍ମୀଙ୍କୁ ମାଡ ମାରିବା ସହିତ ସର୍ଭର କୋଠରିରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଜାନୁଆରୀ ୫ରେ ଏହି ଏଫଆଇଆର ରୁଜୁ କରାଯାଇଛି। ଜେଏନୟୁ ପ୍ରଶାସନର ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଥିବା ପୁଲିସ ମଙ୍ଗଳବାର କହିଛି। ଜେଏନୟୁଏସୟୁ ଉପସଭାପତି ସାକେତ ମୁନ ଅଭିଯୋଗ କରିଛନ୍ତି ଯେ ପ୍ରଶାସନ ଜାଣିଶୁଶି ନିର୍ଦ୍ଦିଷ୍ଟ କେତେକ ପିଲାଙ୍କୁ ଟାର୍ଗେଟ କରୁଛି। ସେମାନେ ସର୍ଭର କୋଠରି ଭଙ୍ଗାରୁଜାରେ ସମ୍ପୃକ୍ତ କୌଣସି ପ୍ରକାରେ ସମ୍ପୃକ୍ତ ନାହାନ୍ତି। ଅନ୍ୟପକ୍ଷରେ ଜେଏନୟୁଏ ପ୍ରଫେସର ସୁଚରିତା ସେନା ମଙ୍ଗଳବାର ପୁଲିସ ନିକଟରେ ମାମଲା ରୁଜୁ କରିଛନ୍ତି। ସେନ ଅଭିଯୋଗ କରିଛନ୍ତି ଯେ ରବିବାର ସନ୍ଧ୍ୟାରେ ୭୦ରୁ ୧୦୦ ମୁଖା ପରିହିତ ପିଲା ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିବା ସହିତ ପିଲା ଓ ଶିକ୍ଷକଙ୍କୁ ମାଡ ମାରିଥିଲେ। ଏହି ମାଡରେ ସେନ ମଧ୍ୟ ଆହତ ହୋଇଥିଲେ।

ଜେଏନୟୁ ଘଟଣାକୁ ନେଇ ମଙ୍ଗଳବାର ଗୁଜରାଟର ଅହମଦାବାଦରେ ଏବିଭିପି ଓ ଏନଏସୟୁଆଇ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ସଂଘର୍ଷକୁ ଏଡାଇବା ପାଇଁ ପୁଲିସ ଲାଠିମାଡ କରିଛନ୍ତି। ଏଥିରେ ୧୦ଜଣ ଆହତ ହୋଇଛନ୍ତି। ଜେଏନୟୁ ହିଂସାକୁ ନେଇ ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କୁଳପତି ଜଗଦେଶ କୁମାରଙ୍କ ବହିଷ୍କାର ଦାବି କରିଛନ୍ତି। ୟେଚୁରୀ କହିଛନ୍ତି ଯେ ହିଂସା ଘଟଣା ନିନ୍ଦନୀୟ। କୁଳପତି ଛାତ୍ରଙ୍କ ସ୍ବର ଦବାଇ ଦେବାକୁ ଚାହଁୁଛନ୍ତି; ମାତ୍ର ଏହା ସମ୍ଭବ ନୁହେଁ। ତେଣୁ କୁଳପତିଙ୍କ ବହିଷ୍କାର ଦାବି ସହିତ ହିଂସାକାରୀ ଛାତ୍ରଙ୍କୁ ଚିହ୍ନଟ କରାଯାଉ। ଏହା ସହିତ ବିଶ୍ବବିଦ୍ୟାଳୟ ହଷ୍ଟେଲ ଦେୟ ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ। ଜେଏନୟୁ ହିଂସାରେ ଜଡିତ ମୁଖାଧାରୀମାନେ ଖୁବ୍‌ଶୀଘ୍ର ଧରାପଡିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟତମ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ କହିଛନ୍ତି ଯେ ଜେଏନୟୁ ହିଂସାରେ ଜଡିତ ବ୍ୟକ୍ତିଙ୍କୁ ଯଥା ସମ୍ଭବ ଶୀଘ୍ର ଚିହ୍ନଟ ସହ ଗିରଫ କରାଯିବା ଦରକାର। ତେବେ କୁଳପତି କହିଛନ୍ତି ଯେ ବିଶ୍ବବିଦ୍ୟାଳୟ ପରିସରରେ ହିଂସାକାଣ୍ଡ ଘଟିବା ଦୁର୍ଭାଗ୍ୟର ବିଷୟ। ଜେଏନୟୁ ପରିସର ଏକ ସୁରକ୍ଷିତ ସ୍ଥାନ। ଯାହା ଘଟିଯାଇଛି ତାକୁ ପଛରେ ପକାଇ ଛାତ୍ର ଓ ଶିକ୍ଷକମାନେ କ୍ୟାମ୍ପସକୁ ଫେରିଆସନ୍ତୁ। ତେବେ ରବିବାର ଘଟଣାକୁ ନେଇ ମଙ୍ଗଳବାର ଜେଏନୟୁ ଶିକ୍ଷକ ସଂଘ ବିଶ୍ବବିଦ୍ୟାଳୟ ବାହାରେ ଶୋଭାଯାତ୍ରା କରିଥିଲେ। ସେହିପରି ଯାଦବପୁର ବିଶ୍ବବିଦ୍ୟାଳୟ ଛାତ୍ରମାନେ କଲକାତାର ହାଜରା ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାଙ୍ଗାଲୋରରେ ମଧ୍ୟ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ମହମବତି ଶୋଭାଯାତ୍ରା କରାଯାଇଛି। କେରଳର ତିରୁଅନନ୍ତପୁରମ୍‌ରେ ବାମ ସଂଗଠନ ଶୋଭାଯାତ୍ରା କରିଛି। ରବିବାର ସନ୍ଧ୍ୟାରେ ଜେଏନୟୁରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଅନେକ ଛାତ୍ର ଓ ଶିକ୍ଷକ ଆହତ ହୋଇଥିଲେ।

Comments are closed.