ଜେଏନ୍‌ୟୁ ପରିସରରେ ଛାତ୍ର ସଂଘର୍ଷ

ନୂଆଦିଲ୍ଲୀ  : ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ପରିସରରେ ରବିବାର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ଓ ଏବିଭିପି ମଧ୍ୟରେ ଏହି ସଂଘର୍ଷ ହୋଇଛି। ରିପୋର୍ଟ ମୁତାବକ ଜେଏନୟୁ ଶିକ୍ଷକ ସଂଘର ବୈଠକ ଚାଲିଥିବାବେଳେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ଏଥିରେ ଜେଏନୟୁ ଛାତ୍ର ସଂଘ ସଭାପତି ଐସେ ଘୋଷ ଓ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି। ଛାତ୍ର ସଂଘ ଦାବି କରିଛି ଯେ ଏବିଭିପି ପିଲାଙ୍କ ଟେକା ପଥର ମାଡରେ ସେମାନଙ୍କ ସଦସ୍ୟମାନେ ଆହତ ହୋଇଛନ୍ତି। ଐସେ କହିଛନ୍ତି ଯେ ମୁଖା ପରିଧାନ କରିଥିବାବେଳେ କେତେକ ଯୁବକ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଅନ୍ୟପଟେ ଏବିଭିପି ଅଭିଯୋଗ କରିଛି ଯେ ସେମାନଙ୍କ ସଦସ୍ୟଙ୍କୁ ବାମଦଳ ଅନୁବନ୍ଧିତ ଛାତ୍ର ସଂଗଠନର ସଦସ୍ୟମାନେ ମାଡ ମାରିଛନ୍ତି। ଏଥିରେ ୨୫ଜଣ ଆହତ ହୋଇଛନ୍ତି। ଆହତ ୨୦ ଛାତ୍ରଙ୍କୁ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବାବେଳେ ୩ଜଣଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟା ୫ଟାରେ ବିଶ୍ବବିଦ୍ୟାଳୟ ପରିସରରେ ଏକ ଶୋଭାଯାତ୍ରା ଚାଲିଥିବାବେଳେ ମୁଖାଧାରୀ କେତେକ ଯୁବକ ସେଠାରେ ପହଞ୍ଚି ମାରପିଟ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ଏହି ଘଟଣା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ ପରିସରରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଅସ୍ତ୍ରଶସ୍ତ୍ର ସହିତ ମୁଖାଧାରୀମାନେ ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିବା ସହ ଲୋକଙ୍କୁ ମାଡ ମାରିିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ ଲାଗି ବିଶ୍ବବିଦ୍ୟାଳୟ ପରିସରକୁ ପୁଲିସ ଡକାଯାଇଛି। ଏପରିସ୍ଥିତିରେ ଶାନ୍ତ ଓ ସଜାଗ ରହିବାକୁ ଛାତ୍ରଛାତ୍ରୀଙ୍କୁ ନିବେଦନ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆଯାଇଥିବା କୁଳସଚିବ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୁଲିସ ତୁରନ୍ତ ହିଂସାକୁ ନିୟନ୍ତ୍ରଣ ପୂର୍ବକ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବା ଦରକାର। ସେ କହିଛନ୍ତି ଯେ ବିଶ୍ବବିଦ୍ୟାଳୟ ପରିସରରେ ଯଦି ଛାତ୍ରମାନେ ନିଜକୁ ସୁରକ୍ଷିତ ମଣିପାରିବେ ନାହିଁ;ତେବେ ଦେଶର ପ୍ରଗତି ସମ୍ଭବ ନୁହେଁ। ଉପରାଜ୍ୟପାଳ ଅନିଲ ବୈଜାଲ ଏହି ଘଟଣାକୁ ନିନ୍ଦା କରିବା ସହିତ ପୁଲିସକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିର୍ଦେଶ ଦେଇଛନ୍ତି। ବିଶ୍ବବିଦ୍ୟାଳୟ ପ୍ରଶାସନ ସହିତ ସମନ୍ବୟ ରକ୍ଷା ପୂର୍ବକ ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସେ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଅନ୍ୟ ରାଜନେତାମାନେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଅନ୍ୟପଟେ ଏହି ଘଟଣା ପରେ ଜେଏନୟୁ ଛାତ୍ରମାନେ ଦିଲ୍ଲୀ ପୁଲିସ ମୁଖ୍ୟାଳୟ ଆଗରେ ରବିବାର ରାତିରେ ଧାରଣା ଦେଇଛନ୍ତି।

Comments are closed.