ସୁରକ୍ଷାକର୍ମୀଙ୍କ ଗାଡ଼ି ଚଳାଚଳବେଳେ ସର୍ବସାଧାରଣ ଯାନ ନିଷିଦ୍ଧ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସେନା ତଥା ସୁରକ୍ଷାକର୍ମୀଙ୍କ ଗାଡ଼ି ଯାଉଥିବାବେଳେ ସେହି ରାସ୍ତାରେ ସର୍ବସାଧାରଣ ଗାଡ଼ି ଚଳାଚଳକୁ ନିଷେଧ କରାଯାଇଛି। ରବିବାରଠାରୁ ସାପ୍ତାହିକ ଦୁଇ ଦିନ ଏଭଳି ବ୍ୟବସ୍ଥା କରାଯାଇଛି। ରବିବାର ଓ ବୁଧବାର ଏଭଳି ନିଷେଧାଦେଶ ଜାରି ହେବ ଓ ଏହା ମେ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସରକାରୀ ଭାବେ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଉଦ୍ଦାମପୁର-ଜାମ୍ମୁ-ଶ୍ରୀନଗର-ବାରମୁଳା ଦେଇ ଯାଇଥିବା ଜାତୀୟ ରାଜପଥ ଓ ଏଥି ସଂଲଗ୍ନ ସମସ୍ତ ରାସ୍ତାରେ ପୁଲିସ, ସେନା ଓ ସିଆରପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି। ସେନା ବା ସୁରକ୍ଷାକର୍ମୀଙ୍କ ଗାଡ଼ି ଚଳାଚଳ ସମୟରେ ଯେମିତି କୌଣସି ସାଧାରଣ ଯାନବାହନ ରାସ୍ତାକୁ ନ ଆସନ୍ତି ସେଥିପ୍ରତି ସେମାନେ ନିଘା ରଖିଛନ୍ତି। ସମ୍ପ୍ରତି ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନକୁ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କ ଗମନାଗମନ ଚାଲିଥିବାବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। ଅପରପକ୍ଷରେ ରବିବାର ଏହି ନିର୍ଦ୍ଦେଶ ପାଳନ ହେବା ମା​ତ୍ରେ ଉପରୋକ୍ତ ଜାତୀୟ ରାଜପଥରେ ଭୟଙ୍କର ଟ୍ରାଫିକ ସମସ୍ୟା ଉପୁଜିଛି ଏବଂ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାର କାଶ୍ମୀରକୁ ପାଲେଷ୍ଟାଇନ ଭଳି ନ ଦେଖନ୍ତୁ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି।

Comments are closed.