ଜିଓ ପକ୍ଷରୁ ୫ଜିରେ ୨ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ, ୨୦୨୩ ଡିସେମ୍ବର ସୁଦ୍ଧା ସର୍ବଭାରତୀୟ ସ୍ତରରେ ସେବା ପହଂଚିବ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି । କଂପାନି ଚଳିତ ବର୍ଷ ଦୀପାବଳି ସୁଦ୍ଧା ଏହି ହାଇ-ସ୍ପିଡ୍ ସେବାକୁ ପ୍ରମୁଖ ସହରଗୁଡ଼ିକରେ ଆରମ୍ଭ କରିବ ।

 

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ୪୫ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି କଂପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ୨୦୨୩ ଡିସେମ୍ବର ସୁଦ୍ଧା କଂପାନିର ୫ଜି ସେବା ସର୍ବଭାରତୀୟ ସ୍ତରରେ ଉପଲବ୍ଧ ହେବ । ସେ କହିଛନ୍ତି, ଏକ ସମ୍ପୂର୍ଣ୍ଣ ଭାରତୀୟ ୫ଜି ନେଟ୍‌ୱର୍କ ବିକଶିତ କରିବା ଲାଗି ଆମେ ମୋଟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିବଦ୍ଧ ଅଛୁ । ଭାରତ ଭଳି ଏକ ବିଶାଳ ଦେଶ ପାଇଁ ଜିଓ ପକ୍ଷରୁ ସର୍ବକାଳୀନ ଦ୍ରୁତ ଗତିର ଓ ମହତ୍ୱକାଂକ୍ଷୀ ୫ଜି ସେବା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଆସନ୍ତା ଦୁଇ ମାସ ଭିତରେ ଦୀପାବଳି ସୁଦ୍ଧା ଦେଶର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ଅନ୍ୟ ପ୍ରମୁଖ ସହରରେ ଜିଓ ୫ଜି ସେବା ଆରମ୍ଭ ହେବ । ଏହା ପରେ ଦେଶର କୋଣ ଅନୁକୋଣରେ ପ୍ରତିଟି ଗ୍ରାମ ଓ ତହସିଲରେ ଜିଓ ୫ଜି ସେବା ପହଂଚାଇବା ଲାଗି କଂପାନି ପ୍ରତି ମାସରେ ଏହାର ନେଟ୍‌ୱର୍କରେ ନୂଆ ନୂଆ ସହରକୁ ଯୋଡ଼ିବା କାର୍ଯ୍ୟ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଜାରି ରଖିବ ବୋଲି ସେ କହିଛନ୍ତି ।

 

ନିଲାମରେ ୮୮,୦୭୮ କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍ କିଣିବା ପରେ ରିଲାଏନ୍ସ ଜିଓ ଉନ୍ନତ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରିବା ଲାଗି ଚଳିତ ମାସରେ ପ୍ରସ୍ତୁତ ହୋଇଛି । ସର୍ବଭାରତୀୟ ସ୍ତରରେ ଫାଇବର୍ ଉପସ୍ଥିତି, ଅଲ୍‌-ଆଇପି ନେଟ୍‌ୱର୍କ ସହିତ ସହାୟକ ଭିତିଭୂମି, ସ୍ୱଦେଶୀ ୫ଜି ଷ୍ଟାକ୍ ଓ ପ୍ରଯୁକ୍ତି ପରିବ୍ୟବସ୍ଥାରେ ଦୃଢ଼ ବିଶ୍ୱସ୍ତରୀୟ ସହଯୋଗିତାକୁ ନେଇ କଂପାନି ସବୁଠୁ କମ୍ ସମୟ ଭିତରେ ୫ଜି ସେବା ଆରମ୍ଭ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଶ୍ରୀଯୁକ୍ତ ଅମ୍ବାନି କହିଛନ୍ତି ଯେ ୫ଜି ସେବା ଆରମ୍ଭ ହେବା ପରେ ଜିଓ ପକ୍ଷରୁ କନେକ୍ଟେଡ୍ ଇଟେଂଲିଜେନ୍‌ସ ଥିବା କୋଟି କୋଟି ସ୍ମାର୍ଟ ସେନ୍‌ସର ଶୁଭାରମ୍ଭ କରାଯିବ ଯାହା ଇଟଂରନେଟ୍ ଅଫ୍ ଥିଙ୍ଗସ୍ ଓ ଚତୁର୍ଥ ଶିଳ୍ପ ବିପ୍ଳବକୁ ଆଗକୁ ବଢ଼ାଇବ । ଏହା ପ୍ରତ୍ୟକଙ୍କୁ, ପ୍ରତି ସ୍ଥାନକୁୁ ଓ ସବୁ କିଛିକୁ ଉଚ୍ଚ ମାନର ଓ ସବୁଠୁ ସୁଲଭ ଡାଟା ସହିତ ଯୋଡ଼ିବ । ୧୧ ଲକ୍ଷ ରୁଟ୍ କିଲୋମିଟରରୁ ଅଧିକ ସର୍ବଭାରତୀୟ ଫାଇବର ଅପ୍‌ଟିକ୍ ନେଟ୍‌ୱର୍କ ଯୋଗୁଁ କଂପାନିର ଫାଇବର୍ ଓ ଏଫ୍‌ଟିଟିଏଚ୍‌ରେ ଦୃଢ଼ ଉପସ୍ଥିତି ରହିଥିବା ସେ କହିଛନ୍ତି ।

 

ଏହି ଅବସରରେ ଆକାଶ ଅମ୍ବାନି ଜିଓର ଅଭିନବ ସମାଧାନ ଜିଓ ଏୟାର ଫାଇବର ହୋମ୍ ଗେଟ୍‌ୱେ ପ୍ରଦର୍ଶିତ କରିଥିଲେ ଯେଉଁଥିରେ କୌଣସି କେବୁଲ ନଥାଇ ଫାଇବର ଭଳି ହାଇ ସ୍ପିଡ୍ ଡାଟା ମିଳିପାରିବ ।

Comments are closed.