ଅଭିନେତା ଜିମ୍ମୀ ଶେରଗିଲ ଗିରଫ, କୋଭିଡ଼୍‍ ନିୟମ ଉଲ୍ଲଂଘନ ଅଭିଯୋଗ

ଲୁଧିଆନା: କୋଭିଡ଼୍‍ ନିୟମ ଉଲ୍ଲଂଘନ ଅଭିଯୋଗରେ ଅଭିନେତା ଜିମ୍ମୀ ଶେରଗିଲ ଗିରଫ ହୋଇଛନ୍ତି। ବୁଧବାର ପଞ୍ଜାବର ଲୁଧିଆନାରୁ ତାଙ୍କୁ ଗିରଫ କରାଯାଇଛି। ଏହାପୂର୍ବରୁ ମଙ୍ଗଳବାର ଚଳଚ୍ଚିତ୍ର ଶୁଟିଂ କରିବା ଅଭିଯୋଗରେ ତାଙ୍କ ଚାଲାଣ କଟାଯାଇଥିଲା।

ଅଭିଯୋଗ ହୋଇଛି ଯେ, ଜିମ୍ମୀ ଶେରଗିଲଙ୍କ ଶୁଟିଂ ସମୟରେ ସାମାଜିକ ଦୂରତ୍ୱ ସହ ଅନ୍ୟ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଥିଲା। ପୁଲିସ ଜିମ୍ମୀ ଶେରଗିଲଙ୍କ ସହ ତାଙ୍କ ସାଥିମାନଙ୍କ ବିରୋଧରେ ମାମଲା ରୁଜୁକରି ସେମାନଙ୍କୁ ଗିରଫ କରିଥିଲା। ତେବେ ଗିରଫ କରିବା ପରେ ପୁଲିସ ଏ ସମସ୍ତଙ୍କୁ ଜାମିନରେ ମଧ୍ୟ ଛାଡ଼ିଦେଇଥିବା ଜଣାପଡ଼ିଛି।

ଦୁଇ ଦିନ ପୂର୍ବରୁ ଅର୍ଥାତ୍‍ ସୋମବାର ଲୁଧିଆନାର ଆର୍ଯ୍ୟ ସ୍କୁଲରେ ଗୋଟିଏ ପରେ ଗୋଟିଏ ଚାରି ଚକିଆ ଯାନ ପ୍ରବେଶ କଲା। ଭିତରକୁ ଯିବା ପରେ ଜଣାପଡ଼ିଥିଲା ଯେ, ଏକ ପଞ୍ଜାବୀ ଚଳଚ୍ଚିତ୍ରର ଶୁଟିଂ ଚାଲିଛି। ଶୁଟିଂ ସମୟରେ ଅଭିନେତା ଜିମ୍ମୀ ଶେରଗିଲ ଜଣେ ଓକିଲ ବେଶରେ ନଜର ଆସିଥିଲେ। ଆର୍ଯ୍ୟ ସ୍କୁଲକୁ ଲୁଧିଆନାର ଦୌରାଜଜ୍‍ କୋର୍ଟର ରୂପ ଦିଆଯାଇଥିଲା। ପୁଲିସକୁ ଏନେଇ ଖବର ମିଳିବା ପରେ ଏସିପି ୱରିୟାମ ସିଂହ ଟିମ୍‍ ସହ ସେଠାରେ ପହଞ୍ଚିଥିଲେ ଓ ଶୁଟିଂରେ ରୋକ ଲଗାଇଥିଲେ। ଏହି ସୟମରେ ସେଠାରେ ସମସ୍ତେ ତରବର ହୋଇ ମାସ୍କ ପିନ୍ଧି ଦେଇଥିଲେ। ଚଳଚ୍ଚିତ୍ରର ନିର୍ଦ୍ଦେଶକ ତାଙ୍କୁ ଅନୁମୋଦନ କାଗଜପତ୍ର ଦେଖାଇଥିଲେ। ଏହାପରେ ପୁଲିସ ମାସ୍କ ନ ପିନ୍ଧିବା ଅଭିଯୋଗରେ ସେମାନଙ୍କ ଚାଲାଣ କାଟିଥିଲା।

ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସକୁ ସୂଚନା ମିଳିଥିଲା ଯେ, ସେଟ୍‌ରେ ୧୫୦ରୁ ଊର୍ଦ୍ଧ୍ବ ଲୋକ ଉପସ୍ଥିତ ଅଛନ୍ତି ଏବଂ କର୍ଫ୍ୟୁ ସମୟରେ ଶୁଟିଂ ଚାଲିଛି। ସୂଚନା ଆଧାରରେ ଚଢାଉ କରି ୪ଜଣଙ୍କୁ ଗିରଫ କରି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

 

Comments are closed.