ଜିଲ୍ଲାପାଳଙ୍କ ବାଙ୍କୀ ବନ୍ୟା ସ୍ଥିତି ଅନୁଧ୍ୟାନ

ବାଙ୍କୀ : ପ୍ରବଳ ଲଗାଣ ବର୍ଷା ଏବଂ ହୀରାକୁଦର ବନ୍ୟାଜଳ ପ୍ରଭାବରେ ମହାନଦୀରେ ଏକ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଅନୁଧ୍ୟାନ ପାଇଁ ରବିବାର ସନ୍ଧ୍ୟାରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ବାଙ୍କୀ ଗସ୍ତରରେ ଆସି ବାଙ୍କୀ ବ୍ଲକ ଏବଂ ଡମପଡା ବ୍ଲକର ବନ୍ୟା ପ୍ରବଣ ଅଞ୍ଚଳ ଅନୁଧ୍ୟାନ କରି ସ୍ଥିତି ସମ୍ପର୍କରେ ସଜାଗ ଓ ପ୍ରାସ୍ତୁତ ରହିବା ପାଇଁ ବାଙ୍କୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ବାଙ୍କୀ ବ୍ଲକ ଅଧିନ ସୁବର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ଘୋଡାବର ହୁଳୁହୁଳା ସେତୁ ଉପରେ ୪ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଥିବା ପରିଦର୍ଶନ କରି ସୋମବାର ସକାଳୁ ଅଧିକ ପାଣି ବଢିଲେ ଏଠାରେ ବିଚ୍ଛିନ୍ନ ହୋଇଥିବା ଜନସାଧାରଣଙ୍କ ଯାତାୟତ ପାଇଁ ଯନ୍ତ୍ର ଚାଳିତ ଡଙ୍ଗା ପରିଚାଳନା ପାଇଁ ବିଡିଓଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଡମପଡା ବ୍ଲକର ଶିମିଳିପୁର ଠାରେ ପହଞ୍ଚି ଶିମିଳିପୁର, ଦୁର୍ଗାପୁର ପଞ୍ଚାୟତର ଚନ୍ଦ୍ରପା ନିକଟରେ ବନ୍ୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ଥିତି ଅନୁଧ୍ୟାନ ସମୟରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ବାଙ୍କୀ ବିଡିଓ ଯୋଗେଶ୍ୱର ନାୟକ, ଡମପଡା ବିଡିଓ ଶ୍ୟାମଳ କୁମାର ରାୟ, ପାନୀୟଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ସତ୍ୟନାରାୟଣ ରଥ, ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପଟ୍ଟନାୟକ, ଓଡିଶା ଜିବୀକା ମିଶନ ପ୍ରକଳ୍ପ ସଂଯୋଜକ ଅକ୍ଷୟ କୁମାର ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ହୁଳୁହୁଳା ଠାରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ମାନସ କୁମାର ମହାପାତ୍ର, ସରପଞ୍ଚ ଭାଗ୍ୟଲକ୍ଷ୍ମୀ ମହାପାତ୍ରଙ୍କ ସମେତ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ରହି ବନ୍ୟା ପ୍ରଭାବରେ ପନିପରିବା ଫସଲ କ୍ଷତି, ରୁଆ ଧାନକ୍ଷେତରେ ପାଣି ମାଡିବା ଏବଂ ହୁଳୁହୁଳାର ନୂତନ ଉଚ୍ଚା ପୋଲ ନିର୍ମାଣ ପାଇଁ କର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ ଜଣାଇଛନ୍ତି । ପ୍ରତିବର୍ଷ ପ୍ରଥମ ବନ୍ୟାରୁ ଏହି ସ୍ଥାନ ଅଧିକ ପ୍ରଭାବିତ ହେଉଥିବା ଦୃଷ୍ଟି ଆକର୍ଷଣ କରି ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟାର ଦୂରୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ ଜଣାଇଛନ୍ତି।

Comments are closed.