ଜୀବିକା ମିଶନର ଗତି କୁଆଡେ….ଜନତାଙ୍କ ସ୍ବର

ଦଲାଲ୍ ଏବଂ ବେପାରୀଙ୍କ ଦ୍ୱାରା ଶୋଷିତ ହେଉଛନ୍ତି ଉପେକ୍ଷିତ ଝାଡୁ ଶ୍ରମିକ,କାରିଗର

ରେଙ୍ଗାଲି : ପ୍ରାଚୀନ କାଳରୁ ଗୃହ ପରିବେଶକୁ ସଫା ସୁତୁରା ରଖିବା ପାଇଁ ଧନୀ ଦରିଦ୍ର ସମସ୍ତ ଘର ପରିବାର ପାଇଁ ଝାଡୁ ଅତ୍ୟାବଶ୍ୟକିୟ ସାମଗ୍ରୀ ଅଟେ। ବିଜ୍ଞାନର ପ୍ରଗତି ସତ୍ୱେ ସ୍ୱଚ୍ଛତାର ମୂଳ ଏବଂ ମୁଖ୍ୟ ଆୟୁଧ ଝାଡୁର ମହତ୍ତ୍ୱ ଏବଂ ଗୁରୁତ୍ୱ ଗାଁରୁ ସହର ଯାଏ ସବୁଠାରେ ବଳବତ୍ତର ରହିଛି। ତେବେ କ୍ଷୋଭର ବିଷୟ ଯେ ପ୍ରତି ଘର ପରିବାର ପାଇଁ ଅତି  ଜରୁରୀ ଜିନିଷ  ହୋଇଥିବା ଝାଡୁ ସଂଗ୍ରହକାରୀ ଏବଂ ପ୍ରସ୍ତୁତକାରୀ ଶ୍ରମିକ ଏବଂ କାରିଗର ମାନେ ସରକାରଙ୍କ ଦ୍ବାରା ଉପେକ୍ଷିତ ହେବା ଫଳରେ ଦଲାଲ୍ ଏବଂ ବେପାରୀମାନଙ୍କ ଦ୍ୱାରା ଶୋଷିତ ହେଉଛନ୍ତି। ଝାଡୁ ତିଆରି ପାଇଁ ଆବଶ୍ୟକ କଞ୍ଚାମାଳ (ବିର୍ହନ) ସଂଗ୍ରହ ପାଇଁ ମୁଖ୍ୟତଃ ମହିଳା ଶ୍ରମିକ ତଥା କାରିଗରମାନେ ନିଜକୁ ନିୟୋଜିତ କରିଥାନ୍ତି। ବଣ ଜଙ୍ଗଲରେ ବୁଲି ବୁଲି କଞ୍ଚାମାଳ ସଂଗ୍ରହ କରି ଆଣିବା ପରେ କଞ୍ଚାମାଳକୁ ଖରାରେ ଶୁଖାଇବାକୁ ପଡିଥାଏ। କଞ୍ଚାମାଳ(ବିର୍ହନ) ଭଲ ଭାବରେ ଶୁଖିଲା ପରେ ଝାଡୁ ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥାଏ। କାହିଁ କେଉଁ କାଳରୁ ମଣିଷ ସମାଜ ପାଇଁ ଜରୁରୀ ହୋଇଥିବା ଝାଡୁର ପ୍ରସ୍ତୁତକାରୀ ଶ୍ରମିକ ଏବଂ କାରିଗରମାନଙ୍କୁ ସରକାରୀ ଯୋଜନା ସାମିଲ କରାଯାଇ ନାହିଁ। ବିଡମ୍ବନାର ବିଷୟ ଯେ,  ଝାଡୁ ପାଇଁ ଆବଶ୍ୟକ କଞ୍ଚାମାଳ (ବିର୍ହନ) ଲଘୁ ବନଜାତ ତାଳିକା ଭୁକ୍ତ ହୋଇଥିବା ସତ୍ତ୍ବେ ଏହାକୁ ସଂଗ୍ରହ କରି ଝାଡୁ ତିଆରି କରୁଥିବା ଅସଂଖ୍ୟ ଆଦିବାସୀ/ହରିଜନ ସଂପ୍ରଦାୟର ଶ୍ରମିକ କାରିଗରମାନଙ୍କୁ ଅସଙ୍ଗଠିତ ଶ୍ରମିକ ତାଲିକାରେ ସାମିଲ କରାଯାଇନାହିଁ। ପାରମ୍ପାରିକ ଜୀବିକାର ସୁରକ୍ଷା, ଉତ୍ଥାନ୍ ଏବଂ ଉନ୍ନତି ସାଧନ କରାଯିବା ପାଇଁ ସରକାର ଓଡିଶା ଜୀବିକା ମିଶନ ଯୋଜନା ତଥା ମିଶନଶକ୍ତି ଅଭିଯାନ ଚଳାଇଛନ୍ତି। କିନ୍ତୁ ତଥା କଥିତ ମିଶନରେ ଝାଡୁ ଶ୍ରମିକ ଏବଂ କାରିଗରମାନେ ଏଯାଏଁ ସାମିଲ ହୋଇ ନାହାନ୍ତି।

ଝାଡୁ ସଂଗ୍ରହକାରୀ ଏବଂ ପ୍ରସ୍ତୁତକାରୀମାନଙ୍କୁ ଜୀବିକା ପାଇଁ କୌଣସି ସରକାରୀ ପ୍ରୋତ୍ସାହନ କିମ୍ବା ସମାଜିକ ସୁରକ୍ଷା ଯୋଜନାର ଅନ୍ତର୍ଭୁକ୍ତ ହୋଇ ନ ଥିବା ସତ୍ତ୍ବେ ପୂର୍ବ ପୁରୁଷାନୁକ୍ରମେ ଏହି ଜୀବିକାକୁ ଆପଣେଇ ରଖିଛନ୍ତି। ଶିଳ୍ପାୟନ ଜନିତ ଜଙ୍ଗଲ କ୍ଷୟ ପ୍ରଦୂଷଣ ସମସ୍ୟା ଆଦି ବିଭିନ୍ନ କାରଣରୁ ଝାଡୁ ପାଇଁ ଆବଶ୍ୟକ କଞ୍ଚାମାଳ ଆଗଭଲି ଉପଲବ୍ଧ ହେଉନାହିଁ ବୋଲି ଶ୍ରମିକ/ କାରିଗର ମାନଙ୍କ ଠାରୁ ପ୍ରକାଶ । ଦିବ ଥିଲା ଜଣେ କାରିଗର ଦିନକୁ ୧୫/୨୦ ମୁଠା କଞ୍ଚାମାଳ(ବିର୍ହନ) ସଂଗ୍ରହ କରିବାରେ ସକ୍ଷମ ହେଉଥିଲା। କିନ୍ତୁ ଏବେ କଞ୍ଚାମାଳ ଅଭାବ ଯୋଗୁଁ ଗୋଟିଏ ଦିନରେ ୮/୧୦ ମୁଠା କଞ୍ଚାମାଳ ବହୁତ କଷ୍ଟରେ ସଂଗ୍ରହ କରିହେଉଛି ବୋଲି ଦଶମୀ ମୁଣ୍ଡା ନାମ୍ନୀ ଜନୈକ କାରିଗର କହନ୍ତି। ବିକ୍ରି ବଟା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ କଞ୍ଚାମାଳକୁ ଖରାରେ ଶୁଖିଲା ପରେ ଦଲାଲ୍ ଏବଂ ବେପାରୀଙ୍କୁ ମୁଠା ପ୍ରତି ୧୦ ଟଙ୍କା ଦରରେ ବିକ୍ରି କରିଦେଉଥିବାର ଜଣାପଡିଛି। ଜଣେ କାରଗର ଦିନକୁ ୮/୧୦ ଟି ଝାଡୁ ତିଆରି କରିପାରିବାର କ୍ଷମତା ରଖିଥାଏ। ଗୋଟିଏ ମୁଠାରେ ଗୋଟିଏ ଝାଡୁ ତିଆରି ହୋଇପାରେ ବୋଲି କାରିଗରଙ୍କ ଠାରୁ ପ୍ରକାଶ। ଗୋଟିଏ ଝାଡୁ ସ୍ଥାନୀୟ ଅଞ୍ଚଳରେ ୨୫ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଢୋକେ ପିଇ ଦଣ୍ଡେ ଜିଉଁଥିବା ଗରିବ କାରିଗରମାନେ ଅର୍ଥାଭାବ ଯୋଗୁଁ ମୁଠା ପ୍ରତି ୧୦ ଟଙ୍କାରେ ବିକ୍ରି କରି କ୍ଷତିଗ୍ରସ୍ତ ହେଉଛନ୍ତି। ସରକାର ଜୀବିକା ମିଶନ ତଥା ମିଶନ ଶକ୍ତି ଅଭିଯାନରେ ଏହାକୁ ସାମିଲ କରି ଝାଡୁ ପ୍ରକ୍ରିୟା କରଣ ଏବଂ ବିକ୍ରିବଟା ବନ୍ଦୋବସ୍ତ କଲେ କାରିଗର ଏବଂ ଶ୍ରମିକମାନେ ଉପକୃତ ହେବା ସହିତ ଶୋଷଣରୁ ରକ୍ଷା ପାଇ ପାରନ୍ତେ। ଏହା ବ୍ୟତୀତ ଝାଡୁ କାରିଗର ଏବଂ ଶ୍ରମିକ ମାନଙ୍କୁ ଅସଙ୍ଗଠିତ ଶ୍ରମିକ ଶ୍ରେଣୀ ପର୍ଯ୍ୟାୟଭୁକ୍ତ କରି ଆନୁସଙ୍ଗିକ ସରକାରୀ ସହୟତା ପ୍ରଦାନ କରାଯିବାର ଅବଶ୍ୟକତା ରହିଛି। ସରକାରୀ ଯୋଜନା ଏବଂ ସୁବିଧା ଅପହଞ୍ଚ ଥିବାରୁ ଦଲାଲ୍ ମାନେ ଏହାର ଫାଇଦା ଉଠାଉଛନ୍ତି। ଗାଡି ନେଇ କାରିଗରମାନଙ୍କ ପାଖକୁ ପହଞ୍ଚି ଶୁଖା ଥିବା କଞ୍ଚାମାଲ ମୁଠା ପ୍ରତି ୧୦ଟଙ୍କାରେ କିଣି ନେଇ ବେପାରୀକୁ ୨୦ ଟଙ୍କାରେ ବିକ୍ରି କରୁଥିବାର କୁହାଯାଉଛି। ରେଙ୍ଗାଲି ଅଞ୍ଚଳରୁ ସଂଗୃହୀତ କଞ୍ଚମାଳ ବେପାରୀମାନେ ପଡୋଶୀ ରାଜ୍ୟକୁ ଟ୍ରକ୍ ରେ ବେଧଡକରେ ଚାଳାଣ କରି ୨/୩ ଗୁଣ ଅଧିକା ଦରରେ ବିକ୍ରି ମାଲାମାଲ ହେଉଛନ୍ତି। ଲଘୁ ବନଜାତ ଦ୍ରବ୍ୟ ବିକ୍ରି ବଟା ଏବଂ ଚାଲାଣ ଉପରେ ଥିବା ଆଇନଗତ କଟକଣାକୁ ଆଖିଠାର ମାରି ରାଜ୍ୟ ବାହାରକୁ ଝାଡୁ ଚାଲାଣ ହେଉଥିଲେ ବି ପ୍ରଶାସନ ହାତ ବାନ୍ଧି ବସିଛି।

Comments
Loading...