ଜୀବନ ଜିନ୍ଦାବାଦ : ନାମମାତ୍ର ଚାଷୀ, ହେଲେ ପେଟ ପାଇଁ ଚଣା ଚଟ୍‌ପଟି ବେପାର

ବଲାଙ୍ଗିର : କେଉଁ ନେତା କି ବଡ ବାବୁ ପାଇଁ ନୁହେଁ। ଜଣେ ସାଧାରଣ ମଣିଷ ପାଇଁ ଆମେ କହୁଛୁ ଜୀବନ ଜିନ୍ଦାବାଦ। ଆପଣ ବି ତାଙ୍କ ଜୀବନ କାହାଣୀ ଶୁଣିଲେ କହିବେ ଜିନ୍ଦାବାଦ…ଜିନ୍ଦାବାଦ…।   ପେଟ ପାଟଣା କଥା। କିଏ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଯାଉଛି ତ ଆଉ କିଏ ମୂଲ ଲାଗି ଜୀବନ ଜୀବିକା ନିର୍ବାହ କରୁଛି। ଶିଳ୍ପ ବିହୀନ ବଲାଙ୍ଗିର ଜିଲାରେ ରୋଜଗାର ଖୋଜିବା ବି କାଠିକର ପାଠ। ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଚାକିରୀଟିଏ ମିଳୁନି। ହେଲେ ବଲାଙ୍ଗିର ଜିଲା ସଇଁନ୍ତଲା ବ୍ଲକ କେରମେଲି ପଞ୍ଚାୟତ ଅନ୍ତର୍ଗତ ବନାରସ ଗାଁର ରାଜେଶ ସାହୁଙ୍କ ପରିଚୟ ଭିନ୍ନ। ବୟସ ପାଖାପାଖି ୩୫। ବଲାଙ୍ଗିର ସହରର ସରକାରୀ ବସଷ୍ଟାଣ୍ଡ ହେଲା ତାଙ୍କ ପ୍ରଥମ ଠିକଣା। ପ୍ରତିଦିନ ତାଙ୍କ ହାତ ତିଆରି ଚନା ଚଟପଟି ଖାଇବା ପାଇଁ ଲୋକେ ଅପେକ୍ଷା କରିଥାନ୍ତି। ଚଟ୍‌ପଟି ବନଉ ବନଉ ସେ ଖାଇବା ଲୋକଙ୍କ ପସନ୍ଦ ବୁଝି ନିଅନ୍ତି। ଭଲ ମନ୍ଦ ଦୁଇ ପଦ କଥା ବି ହେଇଯାଆନ୍ତି। ତାଙ୍କ ଜୀବନ ଜୀବିକା ପାଇଁ ସଂଘର୍ଷ ଆରମ୍ଭ ହୁଏ ଭୋର ସାଢେ ୪ଟାରୁ। ସକାଳୁ ସକାଳୁ ଗାଈ, ଛେଳି ତଥା ଚାଷ କଥା ବୁଝନ୍ତି। ସକାଳ ସାଢେ ୭ଟା ହେଲେ ପେଟ କଥା। ଗାଁ ଛକରୁ ବସ୍ ଯୋଗେ ଯାତ୍ରା ଆରମ୍ଭ ହୁଏ। ଘରୁ ଏକ ଟୋକେଇ ସିଝା ଚଣା ଧରି ବଲାଙ୍ଗିର ଆସନ୍ତି। ଦୈନିକ ବଜାରରେ ମାର୍କେଟିଂ କଲା ପରେ ସେଠାରୁ ଚାଲା ପଥରେ ଆରମ୍ଭ ହୁଏ ଚଣା ଚଟପଟି ବିକା। ସରକାରୀ ବସଷ୍ଟାଣ୍ଡ ଆଉ ତା’ପରେ ଠିକଣା ବିବିଏମ୍‌ସିଏଚ୍ ଔଷଧ ଦୋକାନ ବାରଣ୍ଡା। ଦିନ ଅଢେଇଟା ଯାଏଁ ଚଟ୍‌ପଟି ବନାଇବାରେ ହିଁ ବ୍ୟସ୍ତ ରୁହନ୍ତି। ଦିନକୁ ଅଢେଇରୁ ୩ ଶହ ଟଙ୍କା ବିକ୍ରି ହୁଏ ବୋଲି କୁହନ୍ତି ସେ।

ଦୀର୍ଘ ବର୍ଷ ହେଲା ଚନା ଚଟପଟି ବିକ୍ରି କରି ଆସୁଥିବାରୁ ଅନେକ ଲୋକ ତାଙ୍କ ନିତିଦିନିଆ ଗ୍ରାହକ ବି ହୋଇସାରିଛନ୍ତି। କେବଳ ଭାବଗତ ସମ୍ପର୍କରୁ ଲୋକଙ୍କ ନିକଟତର ହୋଇଥିବା ସେ କୁହନ୍ତି। ପ୍ରତିଦିନ ଗାଁରୁ ବଲାଙ୍ଗିର ଯାଏଁ ଯା ଆସ କରୁଥୁବା ବେଳେ ଯେଉଁ ଦିନ କୌଣସି କାରଣରୁ ଆସି ନପାରିଲେ ତାଙ୍କ ନିକଟକୁ ଫୋନ ଯାଏ ବୋଲି କୁହନ୍ତି। ବଲାଙ୍ଗିର ସହର ପୂର୍ବ ଅପେକ୍ଷା ଅନେକ ପରିବର୍ତ୍ତନ ହେଲାଣି କୁହନ୍ତି ରାଜେଶ। ରାଜେଶଙ୍କ ପରିବାର କହିଲେ ଘରେ ଦୁଇ ପୁଅ ଝିଅ ସହ ସ୍ତ୍ରୀ। ଏହି ଚଣା ଚଟପଟି କାମ ଛଡା ସେ ଜଣେ ନାମମାତ୍ର ଚାଷୀ। କରୋନା ପାଇଁ ତାଙ୍କ ରୋଜଗାର ମାଡ ଖାଇ ଯାଇଥିଲା। ଋତୁ ଅନୁସାରେ ଧାନ ଚାଷ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ମୁଗ, ବାଦାମ ଚାଷ କରନ୍ତି। ଜୀବନରେ କେବଳ ନିଜ ପାଇଁ ନୁହେଁ, ସମୟ ମିଳିଲେ ଅନ୍ୟମାନଙ୍କ ପାଇଁ କାମ କରିବା କଥା ବୋଲି ରାଜେଶ କୁହନ୍ତି।

Comments are closed.