ଏସୀୟ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ଝିଲି

କଟକ: ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକାଧିକ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଓଡ଼ିଶା ଭାରୋତ୍ତୋଳିକା ଝିଲି ଦଳବେହେରାଙ୍କ ନଜର ଏବେ ଏସୀୟ କ୍ରୀଡ଼ା ଉପରେ। ଚଳିତ ବର୍ଷ ଶେଷଭାଗରେ ଚୀନର ହାଙ୍ଗଝୁଠାରେ ହେବାକୁ ଯାଉଥିବା ଏସୀୟ କ୍ରୀଡାରେ ନିଜର ଛାପ ଛାଡିବାକୁ ପ୍ରତିବଦ୍ଧ ଅଛନ୍ତି ଝିଲି। ଏଥିପାଇଁ ସେ ରିଲାଏନ୍ସ ଫାଉଣ୍ଡେସନ ୟୁଥ ସ୍ପୋର୍ଟସ (ଆରଏଫୱାଇଏସ) ସହାୟତାରେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତ ଡିସେମ୍ବରରେ ଝିଲି ତାସକଣ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ଚମ୍ପିଆନସିପ୍ ରେ ମୋଟ ୧୬୭ କିଲୋଗ୍ରାମ ଭାର ଉତୋଳନ କରିବା ସହିତ ଏକ ରୌପ୍ୟ ପଦକ ବିଜୟିନୀ ହୋଇଥିଲେ । ଏକ ସ୍ୱଳ୍ପ ଆୟ ରହିଥିବା ପରିବାରରୁ ଆସିଥିବା ଝିଲି ଆଦ୍ୟାବସ୍ଥାରୁ ଜଣେ ଆଥଲେଟ ହେବାର ସମସ୍ତ ସମ୍ଭାବନା ବହନ କରୁଥିଲେ ଏବଂ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ କ୍ରୀଡା ଛାତ୍ରାବାସରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ୨୦୧୯ରେ ରିଲାଏନ୍ସ ଫାଉଣ୍ଡେସନ ୟୁଥ ସ୍ପୋର୍ଟସ (ଆରଏଫୱାଇଏସ)ର ଏଲିଟ ଆଥଲେଟ ବୃତି ଯୋଜନାରେ ସାମିଲ ହେବା ପରେ ତାଙ୍କ କ୍ୟାରିୟରକୁ ମଜଭୁତ ସମର୍ଥନ ମିଳିଥିଲା ।

ପ୍ରତିଯୋଗିତା ସମ୍ପର୍କିତ ଗସ୍ତ ଓ ଗମନାଗମନ ପାଇଁ ଆର୍ଥିକ ସହାୟତା ସହିତ ଝିଲିଙ୍କୁ ମୁମ୍ବଇସ୍ଥିତ ସାର୍ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ସର୍ବାଧୁନିକ କ୍ରୀଡା ବିଜ୍ଞାନ ଓ ଭେଷଜ ବିଶେଷଜ୍ଞ ଦଳ ନିକଟରୁ ସ୍ୱତନ୍ତ୍ର ଯତ୍ନ ମିଳିବା ସୁନିଶ୍ଚିତ ହୋଇଥିଲା । ଝିଲି ରିଲାଏନ୍ସ ଫାଉଣ୍ଡେସନ ୟୁଥ ସ୍ପୋର୍ଟସ ପକ୍ଷରୁ ଫିଜିଓଥେରାପିଷ୍ଟ, ସାମର୍ଥ୍ୟ ଓ କଣ୍ଡିସନିଂ ପ୍ରଶିକ୍ଷକ ଏବଂ ପୁନର୍ବାସ, ପୁଷ୍ଟିସାଧନ, ମନସ୍ତତ୍ୱ ଏବଂ ଡାଟା ପରିଚାଳନା ଓ ବିଶ୍ଳେଷଣ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସ୍ୱତନ୍ତ୍ର ତଥ୍ୟ ଓ ଜ୍ଞାନର ସୁଯୋଗ ନେଇପାରୁଛନ୍ତି ।ସାର୍ ଏନ ଏନ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଥିବା ପ୍ରମୁଖ କ୍ରୀଡା ଓ ବ୍ୟାୟାମ ମନସ୍ତତ୍ୱବିଦ୍ ମୈଥିଳୀ ଭୁପତାନି ଓ ପୋଷଣ ବିଶେଷଜ୍ଞ ମିହିରା ଖୋପ୍‌କରଙ୍କ ନିକଟରୁ ମଧ୍ୟ ଅନେକ ଉପାଦେୟ ପରାମର୍ଶ ଲାଭ କରିଥିଲେ । ଫିଜିଓଥେରାପିଷ୍ଟ ହରିୟାଲି ବାରୋଟ ଯିଏ କାନ୍ଧ ଏବଂ ନିତମ୍ବର ଚଳନଶୀଳତା, ଶରୀରର ଉପରିଭାଗର ସାମର୍ଥ୍ୟ, ମୁଖ୍ୟ ମାଂସପେଶୀଗୁଡିକର ଦୃଢତା ଆଦି ସ୍ୱତନ୍ତ୍ର ଦୃଷ୍ଟି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକ ଚିହ୍ନଟ କରି ଉଚିତ୍ ପରାମର୍ଶ ଯୋଗାଇଥିଲେ । ଏହି ସମସ୍ତ ସହଯୋଗ ଓ ସହାୟତା ସହିତ ସମାନ ସମୟରେ ଝିଲିଙ୍କର କ୍ୟାରିୟର ମଧ୍ୟ ଆଗକୁ ବଢିବାରେ ଲାଗିଛି । ଏବେ ଏସୀୟ କ୍ରୀଡାରେ ସଫଳତା ନେଇ ଆଶାବାଦୀ ରହିଛନ୍ତି।

Comments are closed.