ଏସଏମସି କାରଖାନା​‌‌ରେ ଦୁର୍ଘଟଣା, ଶ୍ରମିକ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ଉପକଣ୍ଠ ବଡ଼ମାଲରେ ଥିବା ଏମଏମସି-୨ କାରଖାନାରେ ସୁରକ୍ଷା ବ୍ୟବସ୍ଥାର ଅଭାବ ଓ କର୍ତ୍ତୃପକ୍ଷଙ୍କ ଅବହେଳା ହେତୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ​ମୃତକ ହେଉଛନ୍ତି ଝାରଖଣ୍ଡ ପଶ୍ଚିମ ସିଂହଭୂମ ଅଞ୍ଚଳର ବନମାଳୀ ବୋଇପୋଇ (୨୦)। ତେବେ ଅଘଟଣ ପରେ କୌଣସି ପ୍ରକାର ଶ୍ରମିକ ଅଶାନ୍ତିର ଆଶଙ୍କାକୁ ଏଡ଼ାଇ ଯିବା ପାଇଁ କମ୍ପାନୀ ମୃତକଙ୍କ ପରିବାରୁ ତ୍ବରିତ୍ କ୍ଷତିପୂରଣ ଘୋଷଣା କରିଥିବା ବେଳେ କାର୍ଯ୍ୟରେ ଅବହେଳା ଅଭିଯୋଗ‌େ​‌ର ବଡ଼ମାଲ ଥାନା ପୁଲିସ କ୍ରେନ ଚାଳକ ଓ ନିରୀକ୍ଷକଙ୍କୁ ଗିରଫ କରିଛି।

ସୂଚନାନୁସାରେ ଏସଏମସି କାରଖାନା ବଡ଼ମାଲ ୟୁନିଟ୍‌ର ଟିଏମଟି ରୋଲିଂ ମିଲ ବିଭାଜନରେ ବୁଧବାର ଭୋର ସାଢ଼େ ୪ଟା ବେଳେ ବନମାଳି କାର୍ଯ୍ୟରତ ଥିଲା। ତେବେ ଲୁହା ଛଡ଼ ରୋଲିଂ ହେବା ସ୍ଥାନରେ କ୍ରେନ ମାଧ୍ୟମରେ ଛଡ଼ଟି ଲୋଡ଼୍ ହେଲା ବେଳେ କୌଣସି କାରଣରୁ ସିଲିଂଟି ଛିଣ୍ଡି ବନମାଳି ଦେହରେ ପଡ଼ି ଯାଇଥିଲା। ତେବେ ଏହି ଅଘଟଣ ହେବା ମାତ୍ରେ ସେଠାରେ ଉପସ୍ଥିତ କର୍ମଚାରୀ ଓ କର୍ତ୍ତୃପକ୍ଷ ତୁରନ୍ତ କମ୍ପାନୀର ଆମ୍ବୁଲାନ୍ସରେ ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସକୁ ସୂଚନା ଦେବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ସକାଶେ ପ୍ରେରଣ କରିଥିଲା। ବ୍ୟବଚ୍ଛେଦ ପରେ ସମ୍ମାନର ସହ ଶ୍ରମିକଙ୍କ ନିଜ ଘରକୁ ଶବ ପ୍ରେରଣ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଶବଦାହ ପାଇଁ ମୃତକଙ୍କ ପରିବାରକୁ ତୁରନ୍ତ ୧ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ କମ୍ପାନୀ ନୀତି ଅନୁସାରେ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ସୂଚନା ମିଳିଛି।

Comments are closed.