ଉପରିସ୍ଥ ଅଧିକାରୀଙ୍କ ଗାଳି ନେଲା ଜୀବନ! , ବାପାଙ୍କ ମୃତ୍ୟୁ ପରେ ଝିଅର ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା: ଝାରସୁଗୁଡା ଜିଲା ବନ ଉନ୍ନୟନ ନିଗମ(ଓଏଫଡିସି)ର ସବ-ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କର ଆଜି ଅକସ୍ମାତ ମୃତ୍ୟୁ ହେବା ପରେ ପରିବାର ଲୋକେ ଉପରିସ୍ଥ ଅଧିକାରୀଙ୍କ ମାନସିକ ନିର୍ୟାତନା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବାପାଙ୍କ ଶବକୁ ଜଗିଥିବା ସାନ ଝିଅ ଲକ୍ଷ୍ମୀପ୍ରିୟା ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ବିଷୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଝାରସୁଗୁଡ଼ା ଓଏଫଡିସିର ଡିଭିଜନାଲ ମ୍ୟାନେଜର ଅମିୟ କୁମାର ପଟ୍ଟନାୟକ ଗତ ବ​‌​‌ର୍ଷେ ହେଲା ବାସୁଦେବଙ୍କୁ ବାରମ୍ବାର ଗାଳିଗୁଳଜ କରିବା ସହ ଭିନ୍ନ ଭିନ୍ନ ରକମର ମାନସିକ ଦେଇ ଆସୁଥିଲେ । ତା ଛଡ଼ା ଅତ୍ୟଧିକ କାର୍ୟ୍ୟଭାର ଦେଉଥିବାରୁ ଏସଡିଏମ ବାସୁଦେବ ପାଲ ଦିନକୁ ୧୮ରୁ ୨୦ଘଣ୍ଟା କାମ କରୁଥିଲେ। ବାସୁଦେବଙ୍କ ଝିଅ ତନୁଜା ପାଲ କହିଛନ୍ତି ଡିଏମ୍ ଅମୀୟ ପଟ୍ଟନାୟକ ଗତକାଲି(ସୋମବାର) କୌଣସି କାମ ଦେଇଥିବାରୁ ବାପା ମଧ୍ୟରାତ୍ରି ଯାଏ କରିଥିଲେ । ତା ସ​‌ତ୍ତ୍ବେ କାମ ଶେଷ ନ ହେବାରୁ ଉପରିସ୍ଥ ଅଧିକାରୀ ଭୋର ୪ଟାରେ ପୁଣି କାମ ପାଇଁ ଡାକିଥିଲେ । ସେଠାରୁ କାମ ସାରି ସକାଳ ୮ଟାରେ ଘରକୁ ଫେରିବା ପରେ ସ୍ନାନାଦି ନିତ୍ୟକର୍ମ ସାରି ପୂର୍ବାହ୍ନ ସାଢ଼େ ୧୦ଟାରେ ପୁଣି ଅଫିସକୁ ବାହାରି ଯାଇଥିଲେ । ହେଲେ ଡିଏମ ଶ୍ରୀ ପଟ୍ଟନାୟକ ତୁରନ୍ତ ତାଙ୍କ ସରକାରୀ ବାସଭବନକୁ ଡକାଇ ଗାଳି ଗୁଲଜ କଲେ, ମାନସିକ ଯନ୍ତ୍ରଣା ଏତେ ଅସହ୍ୟ ହେଲା ଯେ, ସେଠାରେ ହିଁ ବାପା ଅଚେତ ହୋଇ ପଡ଼ିଗଲେ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ଝିଅ । ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ସଦର ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ପୂର୍ବରୁ ଉପରିସ୍ଥ ଅଧିକାରୀ ବଦଳି କରିଦେବା, ଚାକିରିରୁ ବହିଷ୍କୃତ କରିଦେବା ଭଳି ବାରମ୍ବାର ଧମକ ଚମକ ଦେବା ସହ ଗାଳିଗୁଳଜ କରୁଥିଲେ । କ୍ରମାଗତ ମାନସିକ ନିର୍ୟାତନା ହେତୁ ବାପା ପ୍ରାୟତଃ ଅବସାଦଗ୍ରସ୍ତ ରହୁଥିଲେ ବୋଲି ତନୁଜା ପ୍ରକାଶ କରିଛନ୍ତି । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ଆସିବା ପରେ ପୁଲିସ ତନାଘନା କରୁଥିବା ଖବର ପାଇ ଉପରିସ୍ଥ ଅଧିକାରୀ ଶ୍ରୀ ପଟ୍ଟନାୟକ ଫେରାର୍ ମାରିଥିବା ଜଣାଯାଇଛି । ତେବେ ବାପାଙ୍କ ମୃତ୍ୟୁ ପରେ ଶୋକସନ୍ତପ୍ତ ହୋଇ ସାନ ଝିଅ ଆତ୍ମହତ୍ୟା ଉଦ୍ୟମ କରିଥିବା ହେତୁ ତାଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ରାତି ୯ଟାରେ ଖବର ଲେଖାଯିବା ବେଳକୁ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି ।

Comments are closed.