ବିଜେପିର ଅଭିଯୋଗ: ଝାରସୁଗୁଡ଼ା ପାଇଁ ଅଭିଶାପ ବେଦାନ୍ତ

ଝାରସୁଗୁଡ଼ା : ବେଦାନ୍ତ କମ୍ପାନୀ ଝାରସୁଗୁଡ଼ା ସହରାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରେ ବେଆଇନ ପାଉଁଶ ପାହାଡ଼ ସୃଷ୍ଟି କରିଛି। କେବଳ ସହରାଞ୍ଚଳରେ ନୁହେଁ ବରଂ ଶ୍ରୀପୁରା, କୁରେବଗା, ହଂସମୁରା କଟାପଲି , ବୁଢ଼ୀପଦର, ସିରିଆପଲି, ପୂର୍ଣ୍ଣା ଓ କାତିକେଲା ଆଦି ଗ୍ରାମାଞ୍ଚଳରେ ମଧ୍ୟ ବେଦାନ୍ତ କମ୍ପାନୀ ବେଆଇନ ଭାବରେ ପାଉଁଶ ଗଦା କରୁଛି। ସମଗ୍ର ଅଞ୍ଚଳରେ ପାଉଁଶ ପାହାଡ଼ ସୃଷ୍ଟି କରିଦେଇ ପରିବେଶ ନଷ୍ଟ କରି ଦେଇ ବେଦାନ୍ତ କମ୍ପାନୀ ଜିଲା ପାଇଁ ଅଭିଶାପ ସାଜିଛି ବୋଲି ବିଜେପି ର ତଥ୍ୟ ଅନୁସନ୍ଧାନ କାରୀ ଉଚସ୍ତରୀୟ କମିଟି ସଦସ୍ୟ ତଥା ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ କହିଛନ୍ତି ।

ଆଜି ଅପରାହ୍ନରେ ବରିଷ୍ଠ ବିଜେପି ନେତା ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେରେ ଆସିଥିବା ଏହି ଉଚ୍ଚ ସ୍ତରୀୟ ଦଳରେ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରେଙ୍ଗାଲି ବିଧାୟକ ନାଉରି ନାଏକ, ବିରାମିତ୍ର ପୁର ବିଧାୟକ ଶଙ୍କର ଓରାମ, ପ୍ରମୁଖ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ଭୁଶୁଡ଼ି ପଡିଥିବା ବେଦାନ୍ତର ପାଉଁଶ ପାହାଡ ସମେତ କାତି କେଲା ଓ ଶ୍ରୀପୁରା ଅଞ୍ଚଳରେ ଥିବା ବେଆଇନ ପାଉଁଶ ଡମ୍ପିଙ୍ଗ ୟାର୍ଡ଼ ପରିଦର୍ଶନ କରି ଶହଶହ ଏକରରେ ବେଆଇନ ପାଉଁଶ ପାହାଡ଼ ଦେଖି ବିସ୍ମିତ ହୋଇ ଯାଇଥିଲେ।

ଲଗାଣ ବର୍ଷାରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପାଖରେ ଥିବା ବେଦାନ୍ତର ପାଉଁଶ ପାହାଡ଼ ଭୁଶୁଡ଼ି ପଡି ନିକଟରେ ବହି ଯାଇଥିବା ଏକ ପ୍ରାକୃତିକ ଜଳ ସ୍ରୋତ ପୋତି ହୋଇ ଯାଇଥିବା ଘଟଣାରେ ସମସ୍ତ ବିଧାୟକ ଓ ସାଂସଦ କ୍ଷୋଭ ପ୍ରକାଶ କରିଥିଲେ। ଜିଲା ପ୍ରଶାସନ ଏପରି କର୍ଯ୍ୟକୁ କିପରି ଭାବରେ ଅନୁମତି ପ୍ରଦାନ କଲା ଓ ବର୍ଷାଧିକ କାଳ ଏହି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଘଟଣାରେ ଉଭୟ ବିଧାନସଭା ଓ ସଂସଦର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସାଂସଦ ଓ ବିଧାୟକ ମାନେ କହିଛନ୍ତି । ସାଂସଦ ସୁରେଶ ପୂଜାରୀ କହିଛନ୍ତି ଯେ, ଗତ ଏକ ବର୍ଷ ରୁ ଅଧିକ ସମୟ ଧରି ବେଦାନ୍ତ କମ୍ପାନୀ ଜିଲ୍ଲାପାଳଙ୍କ କାର୍ଯ୍ୟ ଳୟ ପଛ ପଟେ କାରଖାନାରୁ ବାହାରୁଥିବା ବର୍ଯ୍ୟବସ୍ତୁ ପାଉଁଶ ଗଦା କରୁଛି। ଅବ୍ୟବହୃତ ଖାଲୁଆ ଅଞ୍ଚଳ ଜମି ପୋତିବା କୁ କହି ସମଗ୍ର ଅଞ୍ଚଳରେ ପାଉଁଶ ପାହାଡ଼ ସୃଷ୍ଟି କରି ଦିଆଯାଇଛି। ଗୋଚର ଜମି ରେ ଏହି ବେଆଇନ କାମ ଚାଲିଛି, ଝାରସୁଗୁଡ଼ା ସହରାଞ୍ଚଳ ର ୯ ନମ୍ବର ୱାର୍ଡ ର ପଞ୍ଚପଡା ଅଞ୍ଚଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛ ପଟକୁ ଲାଗି ରହିଥିବା ସରକାରୀ ଜମିର ଖାଲୁଆ ଅଞ୍ଚଳରେ ଥ ବେଦାନ୍ତ କମ୍ପାନୀ କୁ ପାଉଁଶ ପକାଇ ପୋତିବା ସମତଳ କରିବାକୁ ଅନୁମତି ମିଳିଛି ।

ଗୋଚର ଜମି ରେ ଅନ୍ୟ କୌଣସି ଉନ୍ନୟନ କାର୍ୟ୍ୟ ପାଇଁ କଦାପି ଅନୁମତି ପ୍ରଦାନ କରାଯାଇପାରିବ ନାହିଁ। ଖୋଦ ରାଜ୍ୟ ସରକାର କି କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇପାରିବେ ନାହିଁ । ମାତ୍ର ଖୋଦ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ଅନୁମତି ପ୍ରଦାନ କରାଯାଇଥିବା ବିସ୍ମୟକର ବୋଲି ସେ କହିଛନ୍ତି । ବେଦାନ୍ତ ଏକ ପରିବହନ ସଂସ୍ଥା ମାଧ୍ୟମରେ ବେଦାନ୍ତ କମ୍ପାନୀ ସେହି ଅଞ୍ଚଳରେ ଖାଲୁଆ ଜମିକୁ ପୋତି ସମତଳ କରିବା ପରିବର୍ତେ ବେଆଇନ ଭାବରେ ତା ଉପରେ ପାଉଁଶ ସୃଷ୍ଟି କରିଦେଇଛି।

କେବଳ ପଞ୍ଚପଡା ନୁହେଁ ସହରାଞ୍ଚଳରେ ଅନେକ ସ୍ଥାନରେ ଏପରି ପାଉଁଶ ପାହାଡ଼ ସୃଷ୍ଟି କରିଛି । ବର୍ଷା ହେଲେ ସେହି ପାଉଁଶ ପାହାଡ଼ ସବୁ ଭୁଶୁଡ଼ି ପଡି ନିକଟସ୍ଥ ଚାଷ ଜମି ଓ ପ୍ରାକୃତିକ ଜଳସ୍ରୋତ ଝରଣା ଓ ନଦୀ ନାଳରେ ମିଶୁଛି । ଝାରସୁଗୁଡ଼ା ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ପଛପଟରେ ଥିବା ଏକ ପ୍ରାକୃତିକ ଝରଣା ମଧ୍ୟ ପୋତି ହୋଇଯାଇଛି । ସେହି ପାଉଁଶ ଏବେ ବର୍ଷାରେ ଧୋଇ ହୋଇ ଇବ ନଦୀ ରେ ମିଶୁଛି। ଯାହାକି ହୀରାକୁଦ ଜଳଭଣ୍ଡାରକୁ ପ୍ରଭାବିତ କରୁଛି ବୋଲି ଉଚ୍ଚ ସ୍ତରୀୟ କମିଟି ଅଭିଯୋଗ କରିଛି । ଏ ସମ୍ବନ୍ଧରେ ବେଦାନ୍ତର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Comments are closed.