ଝାରସୁଗୁଡ଼ା ନାବାଳକ ଯୌନ ନିର୍ଯାତନା ଘଟଣା : ମୁଖ୍ୟ ସଚିବ, ଡିଜିଙ୍କଠାରୁ ଏନ୍‌ସିପିସିଆରଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ : ଝାରସୁଗୁଡ଼ା ସ୍ଥିତ ‘ଫେତ୍‍ ଆଉଟରିଚ’ ନାମକ ସଂସ୍ଥାର ପ୍ରତିଷ୍ଠାତାଙ୍କ ଦ୍ୱାରା ଜଣେ ନାବାଳକକୁ ଯୌନ ନିର୍ଯାତନା ଦିଆଯିବା ଘଟଣାରେ ରାଷ୍ଟ୍ରୀୟ ଶିଶୁ ଅଧିକାର ଆୟୋଗ (ଏନସିପିସିଆର) ଓଡ଼ିଶା ସରକାରଙ୍କୁ ଜବାବ ତଲବ କରିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ଆୟୋଗ ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ରାଜ୍ୟ ମୁଖ୍ୟ ସଚିବ ଓ ପୁଲିସ ମହାନିର୍ଦେଶକଙ୍କୁ ଚିଠି ମାଧ୍ୟମରେ ୩୧ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବାକୁ ଜଣାଇଛନ୍ତି।

ଗଣମାଧ୍ୟମରେ ପ୍ରକାଶିତ ତଥ୍ୟକୁ ଉଲ୍ଲେଖ କରି ଏନସିପିସିଆର ଅଧ୍ୟକ୍ଷ ଦର୍ଶାଇଛନ୍ତି ଯେ ‘ଫେତ୍‍ ଆଉଟରିଚ’ ନାମକ ସଂସ୍ଥାର ପ୍ରତିଷ୍ଠାତା ଜନ ପ୍ୟାଟରିକ ବ୍ରିଜ ନାମକ ୬୮ ବର୍ଷୀୟ ବ୍ୟକ୍ତିଙ୍କ ଦ୍ୱାରା ଜଣେ ନାବାଳକ ଯୌନ ନିର୍ଯାତନାର ଶିକାର ହୋଇଥିଲା। ନାବାଳକ ଜଣକ ଝାରସୁଗୁଡ଼ା ସହରରେ ‘ଫେତ୍‍ ଆଉଟରିଚ’ ଦ୍ୱାରା ପରିଚାଳିତ ସେଲଟର ହୋମରେ ରହିବା ସହ ଅନୁଷ୍ଠାନ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ପଢ଼ୁଥିଲେ। ସେଲଟର ହୋମ ଅନ୍ତେବାସୀଙ୍କ ସହ ଏଭଳି ଲଗାତାର ଘଟଣା ବିଷୟରେ ଜଣେ ନାବାଳକଙ୍କ ଅଭିଯୋଗ ପରେ ସ୍ଥାନୀୟ ପୁଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ପୂର୍ବରୁ ୨୦୧୮ରେ ଢ଼େଙ୍କାନାଳ ଜିଲାରେ ସେଲ୍‍ଟର ହୋମରେ ମଧ୍ୟ ସମାନ ଘଟଣା ଲୋକଲୋଚନକୁ ଆସିଥିଲା। ଅବହେଳିତ ଶ୍ରେଣୀର ପିଲାଙ୍କ ସେଲଟର ହୋମ ରହଣି ବେଳେ ଯୌନ ନିର୍ଯାତନା ଭଳି ଘଟଣା ଘଟୁଥିବାରୁ ସେଲଟର ହୋମ ଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ହେବାକୁ ଏନସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନ୍‌ଗୋ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଓ ଡିଜିଙ୍କୁ ଅନୁରୋଧ କରିଛନ୍ତି। ଫେତ୍‍ ଆଉଟରିଚ ଏନଜିଓ ମାମଲାରେ ମହିଳା ଓ ଶିଶୁ ବିଭାଗ ଅଧିକାରୀ ଓ ପୁଲିସ ତଦନ୍ତ ବେଳେ ବିଭିନ୍ନ ଦିଗ ପ୍ରତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆୟୋଗ ସୁପାରିସ କରିଛନ୍ତି।

ସେଥିମଧ୍ୟରେ ଫେତ୍‍ ଆଉଟରିଚ ଦ୍ୱାରା ପରିଚାଳିତ ପ୍ରତ୍ୟେକ ବିଦ୍ୟାଳୟ ସେଲଟରହୋମ ଏବଂ ଡେ କେୟାର ସେଣ୍ଟରକୁ ତଦନ୍ତ ପରିସରକୁ ଆଣିବା, ଶିଶୁଯତ୍ନ କେନ୍ଦ୍ର ସଂଖ୍ୟା ଏବଂ ଏଗୁଡ଼ିକ ଜେଜେ ଆଇନ ଅନୁଯାୟୀ ପଞ୍ଜୀକରଣ ହୋଇଛି କି ନାହିଁ ସେ ବିବରଣୀ, ଅନୁଷ୍ଠାନ ପରିଚାଳିତ ସେଲଟର ହୋମରେ ଥିବା ପିଲାଙ୍କ ରହଣି ପାଇଁ ସରକାରଙ୍କ ବ୍ୟବସ୍ଥା, କେଉଁ ବୟସର କେତେ ପିଲା ରହୁଛନ୍ତି ତାର ବିସ୍ତୃତ ବିବରଣୀ, ଚାଇଲ୍‌ଡ଼ ୱେଲଫେୟାର କମିଟି (ସିଡ଼ବ୍ଲ୍ୟୁସି) ସମ୍ମୁଖରେ ଅନ୍ତେବାସୀଙ୍କ ବୟାନର ବିବରଣୀ, ପୁଲିସ ଏତଲା ନକଲ ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ, ପ୍ରତିଷ୍ଠାତାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ଅନ୍ତେବାସୀଙ୍କ ସଂଖ୍ୟା ଏବଂ ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ଏନସିପିସିଆର ତରଫରୁ ଓଡ଼ିଶା ସରକାରଙ୍କୁ କୁହାଯାଇଛି।

Comments are closed.