ଝାରସୁଗୁଡା ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ସାମୂହିକ ଆତ୍ମହତ୍ୟା ନିଷ୍ପତ୍ତିର କରୁଣ ପରିଣତି : ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ

କାଲି ଏକା ସାଙ୍ଗରେ ଜଳିଥିଲା ୪ ଜୁଇ

ଝାରସୁଗୁଡା : ସାନ ଭାଇର ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଝାରସୁଗୁଡା ଲହଣ୍ଡାବୁଡ଼ର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଆଉ ଜଣଙ୍କର ଆଜି ବୁର୍ଲା ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ବୁର୍ଲା ବଡ ମେଡିକାଲରେ ଚିକିତ୍ସାଧିନ ଥିବା ବନ୍ଦିତା ବିଶ୍ଵାଳଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି । ଫଳରେ ଆତ୍ମହତ୍ୟା ଉଦ୍ୟମ କରିଥିବା ୫ ଜଣ ପରିବାର ସଦସ୍ୟଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ପରିବାରର ଜଣେ ମାତ୍ର ଝିଅ ଲିଲି ବିଶ୍ବାଳ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛି।

ଅନ୍ୟପଟେ ବୁର୍ଲାରେ ଚିକିତ୍ସାଧୀନ ଥିବା ପରିବାରର ବଡ଼ପୁଅ ଶ୍ରୀକାନ୍ତ ବିଶ୍ବାଳଙ୍କର ବୁଧବାର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ମା ପୁଷ୍ପାଞ୍ଜଳି ବିଶ୍ବାଳ,ସାନ ଝିଅ ପିଙ୍କି ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ଗତ ସୋମବାର ବିଳମ୍ବିତ ରାତିରେ ପରିବାର ସାନ ପୁଅ ଦୀପକର ମୃତ୍ୟୁ ହୋଇଥିଲା । ଯାହାର ୨୦୧୮ରୁ ଦୁର୍ଘଟଣା କାରଣରୁ ଦିର୍ଘ ଦୁଇ ବର୍ଷ ହେବ ଚିକିତ୍ସା ଚାଲିଥିଲା । ଗତକାଲି ପରିବାରର ସମସ୍ତ ୪ ସଦସ୍ୟ ମା, ଦୁଇପୁତ୍ର ଓ ସାନ ଝିଅ ପିଙ୍କିଙ୍କ ମର ଶରୀରକୁ ସ୍ଵେଚ୍ଛାସେବୀଙ୍କ ଦ୍ବାରା ବିଟିଏମ କଲୋନୀର ଶଶ୍ମାନରେ ଦାହ କରାଯାଇଥିଲା । ଆଜି ପୁଣି ଗୋଟେ ଝିଅର ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ ୨୦୧୮ ମସିହାରେ ଝାରସୁଗୁଡାର ବେହେରାମାଲରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ ପରିବାରର ସାନ ପୁଅ ଦୀପକ ବିଶ୍ଵାଳ । ଦୁର୍ଘଟଣାରେ ଗୁରୁତର ହୋଇପଡିଥିବା ଦୀପକ କୋମାକୁ ଚାଲିଯାଇଥିଲେ । ସେହିଦିନଠାରୁ ପରିବାର ଦୀପକଙ୍କ ଚିକିତ୍ସା ଜାରି ରଖିଥିଲେ । ଦୀପକଙ୍କ ଚିକିତ୍ସାରେ ପରିବାର ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ  କରିସାରିଥିଲେ । କିନ୍ତୁ ଗତ ଜୁନ ୧ ତାରିଖରେ ସାନ ପୁଅ ଦୀପକର ମୃତ୍ୟୁ ହୋଇ ଯାଇଥିଲା । ସାନ ପୁଅର ଚିକିତ୍ସାରେ ଘରର ସମସ୍ତ ସମ୍ବଳ ଶେଷ କରିବା ପରେ ମଧ୍ୟ ପୁଅର ମୃତ୍ୟୁ ହୋଇଯିବା ପରେ ପରିବାର ସଦସ୍ୟ ମ୍ରିୟମାଣ ହୋଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ

Comments are closed.