ମାତିଛନ୍ତି ପଥର ମାଫିଆ: ଝାରସୁଗୁଡ଼ା-ସୁନ୍ଦରଗଡ଼ ସୀମାନ୍ତରେ ବେଆଇନ ପଥର ଲୁଟ

ଭୁବନେଶ୍ବର : ଝାରସୁଗୁଡ଼ା-ସୁନ୍ଦରଗଡ଼ ସୀମାରେ ବେଆଇନ ପଥର କାରବାର ଜୋର ସୋରରେ ଚାଲିଛି। ଦୁଇ ଜିଲାର ସୀମା ନିଛାଟିଆ ଘନ ଜଙ୍ଗଳ ଇଲାକା ହୋଇଥିବା କାରଣରୁ ମାଫିଆ ଅତି ସହଜ ଏବଂ ନିର୍ଭୟରେ ବେଧଡ଼କ କୋଟି କୋଟି ଟଙ୍କାର ପଥର ଲୁଟ କରିବାରେ ଲାଗି ପଡ଼ିଛନ୍ତି। ଝାରସୁଗୁଡ଼ା ଜିଲାର ଓପିଜିସିଠାରୁ ସୁନ୍ଦରଗଡ଼ର ମନୋହର କୋଇଲା ଖଣି ପର୍ଯ୍ୟନ୍ତ ରେଳ ଲାଇନର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ରେଳ ଲାଇନ ପାଇଁ ମାଟି ଖନନ ବେଳେ କୋଟି କୋଟି ଟଙ୍କାର ଲକ୍ଷ ଲକ୍ଷ ଘନ ମିଟର ପଥର ଖନନ କରାଯାଉଛି। ହେଲେ ଏହାକୁ ଜାଲ କାଗଜ ପତ୍ର ମାଧ୍ୟମରେ ମାଫିଆମାନେ ଲୁଟ କରି ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଚାଳାଣ କରୁଥିବା ଅଭିଯୋଗ ହେଉଛି। ଏପରି କି କେତେକ ପଥର ମାଫିଆ ଉଭୟ ଜିଲାର ଅସାଧୁ ଅଧିକାରୀଙ୍କୁ ହାତ ବାରିସି କରିଥିବାରୁ ତାଙ୍କ ପ୍ରତି ସାତ ଖୁଣ ମାଫର ନିତି ଅବଳମ୍ବନ କରାଯାଉଥିବା ଅଭିଯୋଗ ହେଉଛି।

ଯାଜପୁର ଜିଲାର ଡ଼ଙ୍କାରୀଠାରୁ ମାଫିଆମାନେ ହଜାର ହଜାର ଟନ ପଥର ଚୋରାଚାଳାଣ କରୁଥିବା ଘଟଣା ଗତ ବର୍ଷ ବିଭିନ୍ନ ଗଣମାଧ୍ୟମର ପ୍ରଥମପୃଷ୍ଟା ମଣ୍ଡ କରି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ବର୍ତମାନ ଝାରସୁଗୁଡ଼ା ଜିଲ୍ଲାର ଡ଼ଙ୍କାରି ପାଲଟିଛି ଝାରସୁଗୁଡ଼ା ଜିଲାର ଚାନ୍ଦନୀମାଲ। ୨୦୧୮ ମସିହାରେ କେଛୋବାହାଲ-କନ୍ଦାକୁଡ଼ା ଜଙ୍ଗଳ ଭିତରୁ ମାଫିଆମାନେ ବେଧଡ଼କ ଭାବେ କୋଟି କୋଟି ଟଙ୍କାର ପଥର ତାଡ଼ି ନେଇ ଚୋରା ଚାଳାଣ କରିଥିଲେ। ହେଲେ ଏନେଇ ତତ୍କାଳୀନ ବ୍ରଜରାଜନଗର ଏସଡ଼ିପିଓ ରାମ ପ୍ରସାଦ ସାହୁ ଖବର ପାଇବା ପରେ ସଦଳବଳ ଜଙ୍ଗଳ ଭିତରେ ଥିବା ବେଆଇନ ପଥର ଖାଦାନରେ ଚଢଉ କରିଥିଲେ। ଆଉ ଘଟଣାର ତଦନ୍ତୁ କରି ସେହି ଅଂଚଳରେ ବେଆଇନ ଭାବେ ବ୍ୟାପକ ମାତ୍ରରେ ବାରୁଦ ବ୍ୟବହାର କରି ପଥର ଚାଳାଣ କରାଯାଉଥିବା ଜାଣିବାକୁ ପାଇଥିଲେ। ହେଲେ ଏ ବାବଦରେ ତତ୍କାଳୀନ ବ୍ରଜରାଜନଗର ଏସଡ଼ିପିଓ ଜିଲ୍ଲା ପ୍ରଶାସନକୁ ଏକ ରିପୋର୍ଟ ପ୍ରଦାନ କରିଥିଲେ ହେଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଯାହା କାରଣରୁ କିଛି ମାସ ବେଆଇନ ପଥର ଖନନ ବନ୍ଦ ରହିବା ପରେ ବର୍ତମାନ ତାହା ପୁଣି ବେଧଡ଼କ ଭାବେ ଚାଲିଛି। ଆଉ ଶେଷରେ ପୋଲିସ ମଧ୍ୟ ନିରବଦ୍ରଷ୍ଠା ସାଜିଛି। ବେଆଇନ ପଥର ଖାଦାନ ଯୋଗୁଁ ଜଙ୍ଗଳ ଧ୍ୱଂଶ ପାଇବା ସହିତ ବେଆଇନ ବିଷ୍ଫୋରଣ କରାଯାଉଥିବାରୁ ଜୀବ ଜନ୍ତୁ ପ୍ରତି ବିପଦ ବଢିବା ସାଙ୍ଗେ ସାଙ୍ଗେ ପରିବେଶ ମଧ୍ୟ ବହୁ ମାତ୍ରାରେ ନଷ୍ଟ ହେବାରେ ଲାଗିଛି।

ସରକାରୀ ନିୟମ ଅନୁସାରେ, ରେଳ ଲାଇନ କିମ୍ବା ଜଙ୍ଗଳରୁ ବାହାରୁ ଥିବା ପଥର ହେଉଛି ସରକାରଙ୍କ ଲଘୁ ଖଣିଜ ସମ୍ପଦ। ଏହାକୁ ଉଠାଣ ପାଇଁ ହେଲେ ସେହି ଅଂଚଳର ତହସିଲ କାର୍ଯ୍ୟଳୟଠାରେ ସେ ବାବଦରେ ରୟାଲଟି ଜମା କରିବା ଆବଶ୍ୟକ। ହେଲେ ମାଫିଆମାନେ ସରକାରୀ ବାବୁଙ୍କ ସହିତ ସଲାହ ସୁତୁରା କରିଥିବାରୁ ସିଧା ସଳଖ ରାଜ୍ୟ ସରକାରଙ୍କ ରାଜକୋଷ ଭାରି ମାତ୍ରାରେ ପ୍ରଭାବିତ ହେଉଛି ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଅନ୍ୟ ପଟେ କାଁ ଭାଁ ଯାଂଚର ଭୟରେ କେତକ ତହସିଲ ଅଧିକାରୀ ଅସାଧୁ ବେପାରିକୁ ବହୁ କମ ପରିମାଣର ପଥର ଉଠାଣ ପାଇଁ ଅସ୍ଥାୟୀ ପରମିଟର ବ୍ୟବସ୍ଥା କରି ସରକାରୀ କାଗଜ ପତ୍ର ପ୍ରଦାନ କରିଥାନ୍ତୁ। ଫଳରେ ପଥର ଉଠାଣ ପାଇଁ ମିଳିଥିବା ପରିମାଣଠାରୁ ଢେର ଗୁଣ ଅଧିକ ପରିମାଣର ପଥର ଗୋଟିଏ ରୟାଲଟି ବହିରେ ମାସ ମାସ ଧରି ଉଠାଣ କରିବାରେ ମାଫିଆ ସଫଳ ହୋଇଥାନ୍ତି।

ଅନ୍ୟ ପଟେ ଦୀର୍ଘ ଦୁଇ ବର୍ଷ ଧରି ଭାରି ମାତ୍ରାରେ ଅବାଧ ପଥର ଚାଳାଣ ହେଉଥିଲେ ମଧ୍ୟ ଦୁଇଟି ଜିଲାର ଜିଲା ପ୍ରଶାସନ, ରାଜସ୍ୱ ଅଧିକାରୀ, ପୋଲିସ ପ୍ରଶାସନ ଏବଂ ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ନାହିରେ ତେଳ ଦେଇ ସୁଖ ନିଦ୍ରାରେ ଶୋଇଛି।

ସେହି ପରି ଝାରସୁଗୁଡ଼ା ସୀମାନ୍ତରେ ଅନେକ ବେଆଇନ ଭାବେ ଅନେକ କ୍ରସର ରହିଥିବା ମଧ୍ୟ ଅଭିଯୋଗ ହେଉଛି। ଲୁଟ ପଥର ଏହି ସବୁ କ୍ରସର ଗୁଡ଼ିକରେ ଚିପ୍ସ ତିଆରି କରାଯାଇ ବିଭିନ୍ନ ଠିକାଦାରଙ୍କୁ ଚାଳାଣ କରାଯାଇ ସରକାରୀ କାମରେ ବ୍ୟବହାର କରାଯାଉଛି। ସବୁଠାରୁ ପରିତାପର ବିଷୟ ଯେ, ଜନ ବସତି ଅଂଚଳରୁ ମାତ୍ର ୨୦ ମିଟର ଦୁରରେ ଥିବା କ୍ରସରକୁ ଲୋକ ବିରୋଧ କରିଥିଲେ ସୁଦ୍ଧା ଜିଲା ପ୍ରଶାସେନ ମୁକ ଦର୍ଶକ ସାଜି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହେଉଛି। ଶହ ଶହ ଟିପିଏଚ୍‍ର ବିଶାଳକାୟ ବେଆଇନ କ୍ରସର ଗୁଡ଼ିକ ଦିନ ରାତି ଘୋ ଘୋ ଶବ୍ଦ କରୁଥିଲେ ହେଁ ସୁନ୍ଦରଗଡ଼ ଜିଲା ପ୍ରଶାସନ କିପରି ଚୁପ ବସିଛି ତାହା ଅତ୍ୟନ୍ତ ଗୁରୁତର ବିଷୟ।

ଅପରପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ପଥର କାରବାର ଘଟଣାକୁ କ୍ରାଇମ ବ୍ରାଂଚର ଏସଟିଏଫ ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ଅନେକ ସରକାରୀ ଅଧିକାରୀ ଓ ମାଫିଆଙ୍କ ଜେଲ ପଠାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେଣୁ ଉଭୟ ଜିଲା ପ୍ରଶାସନର ମାତ୍ରାଧିକ ନରବତା କାରଣରୁ ରାଜ୍ୟର କେତେକ ପ୍ରମୁଖ ସ୍ୱେଚ୍ଛା ସେବୀ ସଙ୍ଗଠନ କ୍ରାଇମ ବ୍ରାଂଚର ସ୍ୱେଶାଲ ଟାସ୍କ ଫୋର୍ସ ନିକଟରେ ଅଭିଯୋଗ କରିବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି। କ୍ରାଇମ ବ୍ରାଚଂ ଚଢଉ ପରେ ଏହି ଅବାଧ ବେପାର ଉପରେ ଅଙ୍କୁଶ ଲାଗିବ ବୋଲି ଲୋକଙ୍କ ଭିତରେ ଆଲୋଚନା ଜୋର ଧରିଛି।

 

Comments are closed.