ଝାଡ଼ଖଣ୍ଡ ୨ୟ ପର୍ଯ୍ୟାୟ ନିର୍ବାଚନ: ଶେଷ ହେଲା ପ୍ରଚାର

ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତା ଶନିବାର ଏହି ପର୍ଯ୍ୟାୟରେ ୭ଟି ଜିଲ୍ଲାର ୨୦ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ। ସେହି ଜିଲ୍ଲାଗୁଡ଼ିକ ହେଉଛି ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ, ଷରେଇକଳା-ଖରସୁଆଁ, ରାଞ୍ଚି, ଖୁଣ୍ଟି ଏବଂ ସିମ୍‍ଡେଗା ଜିଲ୍ଲା। ପ୍ରଚାର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ରଘୁବର ଦାସ, ବିଜେପି କାର୍ଯ୍ୟକାରୀ ସଭାପତି ଜଗତ ପ୍ରସାଦ ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟାନ୍ୟ ଦଳୀୟ ବରିଷ୍ଠ ନେତାମାନେ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍‍, ଝାଡ଼ଖଣ୍ଡ ବିକାଶମୋର୍ଚ୍ଚା ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି, ଝାଡ଼ଖଣ୍ଡ ଛାତ୍ରସଂଘ ମୁଖ୍ୟ ସୁଦେଶ କୁମାର ମାହାତୋ ଏବଂ ଆର୍‍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ମଧ୍ୟ ନିର୍ବାଚନ ର‍୍ୟାଲି କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଜଙ୍ଗଲ ଜମି ଜଳ ଉପରେ ଆଦିବାସୀଙ୍କ ଅଧିକାର, ସଂରକ୍ଷଣ ଏବଂ ବେକାରୀ ଦୂରୀକରଣ ମୁଖ୍ୟ ପ୍ରସଙ୍ଗ ରହିଛି।

ଏହି ପର୍ଯ୍ୟାୟ ନିର୍ବାଚନରେ ପୂର୍ବ ଜାମସେଦପୁର, ପଶ୍ଚିମ ଜାମସେଦପୁର ଏବଂ ବାହାରଗୋଡା ଆସନ ବ୍ୟତୀତ ଅନ୍ୟ ୧୬ଟି ଆସନ ଜନଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ଯୁଗସଲାଇ ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ମୋଟ୍‍ ୨୬୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୯ଜଣ ମହିଳା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୋଟ୍‍ ୨୦ଟି ଆସନ ମଧ୍ୟରୁ ୧୮ଟି ଆସନ ନକ୍ସଲ ପ୍ରଭାବିତ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି। ୫ହଜାର ୭୮୪ଟି ବୁଥ୍‍ ମଧ୍ୟରୁ ୧ହଜାର ୮୪୪ଟି ଉତ୍ତେଜନାପ୍ରବଣ ବୁଥ୍‍ ପାଇଁ ବିଶେଷ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ଜଣାପଡିଛି।

Comments are closed.