ସମସ୍ତ ବିମାନ ବାତିଲ କରିପାରେ ଜେଟ୍‌ ଏୟାରୱେଜ୍‌

ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ି ରହିଥିବା ଦେଶର ପୁରାତନ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜ୍‌ ଏହାର ସବୁ ବିମାନ  ଉଡ଼ାଣ ବନ୍ଦ କରିପାରେ। ପୂର୍ବରୁ ଗତ ଜାନୁୟାରୀରେ ସଂସ୍ଥା ଏହାର ବିମାନ ସଂଖ୍ୟା ୧୪୧ରୁ ୨୬କୁ ଖସାଇ ଦେଇଥିଲା। ପରେ ଗତ ସପ୍ତାହରେ ସେଥିରୁ ୧୫ଟି ବିମାନ ଉଡ଼ାଣ ବନ୍ଦ କରିଦିଆଯାଇଥିଲା। ପାଖାପାଖି ୧୧ଟି ବିମାନ ଉଡ଼ାଣ କରୁଥିଲା। ବିମାନ ସେବା ଜାରି ରଖିବା ଲାଗି ସଂସ୍ଥା ୪୦୦ କୋଟି ଟଙ୍କାର ଜରୁରିକାଳୀନ ସହାୟତା ପାଇଁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଥିଲା। କିନ୍ତୁ ଟଙ୍କା ନ ମିଳିବାରୁ ସବୁ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବେ ବନ୍ଦ ରଖିବାକୁ ପଡ଼ିବ ବୋଲି ସଂସ୍ଥା ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ କୁହାଯାଇଛି।

ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଜେଟ୍‌ ଏୟାରୱେଜର ସମସ୍ୟାଗୁଡ଼ିକର ସମୀକ୍ଷା କରିବା ଲାଗି ବୈଠକ ଡାକିଥିଲେ। ବୈଠକରେ ବିମାନଗୁଡ଼ିକର ବର୍ଦ୍ଧିତ ଭଡ଼ା ଏବଂ ବିମାନ ବାତିଲ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସମୀକ୍ଷା ପରେ ୧୦ଟି ରୁଟ୍‌ରେ ଭଡ଼ା ହ୍ରାସ ପାଇଁ ବିମାନ ନିୟାମକ ପକ୍ଷରୁ ଏୟାରଲାଇନ୍ସକୁ କୁହାଯାଇଥିଲା ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏକ ଟ୍ବିଟ୍‌ କରି କହିଛନ୍ତି।

ତେବେ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ସଂସ୍ଥାକୁ ଆଉ ଅଧିକ ଟଙ୍କା ଦେବାକୁ ଚାହୁଁ ନ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏକ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ସରକାର ଏଥିରେ ହସ୍ତକ୍ଷେପ କରି କିଛି ପଦକ୍ଷେପ ନେବା ଉଚିତ। ବ୍ୟାଙ୍କ ଏବଂ ଉଦ୍ୟୋକ୍ତାଙ୍କ ସହ ପୃଥକ ବୈଠକ କରିବା ବଦଳରେ ସରକାର ସମସ୍ତ ଅଂଶୀଦାରଙ୍କୁ ଡକାଇ ଆଲୋଚନା କରିବା ଆବଶ୍ୟକ।

Comments are closed.